‘ଅଣସର ତାଟି’ କ’ଣ ? ଅଣସର ସମୟରେ ତାଟି ଭିତରେ ଦାରୁ ବିଗ୍ରହମାନଙ୍କର ପୂଜା ହୁଏ ନାହିଁ କାହିଁକି ?

82

ସ୍ନାନବେଦୀରେ ହାତୀବେଶ ଖୋଲା ହେବା ପରେ, ଚତୁର୍ଦ୍ଧାମୂର୍ତ୍ତି “ଗୋଟି ପହଣ୍ଡିରେ ଅଣସର ଘରକୁ ଯାଆନ୍ତି । କିନ୍ତୁ ସ୍ନାନବେଦୀକୁ ଆସିଲାବେଳେ ସେମାନେ “ଧାଡ଼ି ପହଣ୍ଡିରେ ଆସିଥାଆନ୍ତି । କେଉଁଠି ଧାଡ଼ି ପହଣ୍ଡି ହୁଏ ଓ କେଉଁଠି ଗୋଟି ପହଣ୍ଡି, ତାହାର ଏକ ସରଳ ସୂତ୍ର ରହିଛି । ଠାକୁରମାନେ ମନ୍ଦିର ଭିତରୁ ଲୋକଙ୍କ ମେଳକୁ ଆସିଲାବେଳେ ଧାଡ଼ି ପହଣ୍ଡି ହୁଏ । ଅର୍ଥାତ୍ ଜଣକ ପରେ ଜଣେ ପଛକୁ ପଛ ହୋଇ ଚାଲିଆସନ୍ତି । ଏହାର ତାତ୍ପର୍ଯ୍ୟ ହେଉଛି, ଭକ୍ତଜନଙ୍କ ସହ ମିଶିବାପାଇଁ ତାଙ୍କର ଉତ୍କଣ୍ଠା ରହିଥାଏ । କିନ୍ତୁ ସେମାନଙ୍କ ମେଳରୁ ମନ୍ଦିରକୁ ଫେରିଲାବେଳେ ତାଙ୍କର ଯିବାକୁ ଇଚ୍ଛା ନଥାଏ । ତେଣୁ ଜଣେ ଯାଇ ନିଜ ସ୍ଥାନରେ ପହଞ୍ଚି ସାରିବା ପରେ ଆଉ ଜଣେ ଯାଇ ଥାଆନ୍ତି ।

କିନ୍ତୁ ସ୍ନାନବେଦୀରୁ ଶ୍ରୀମନ୍ଦିରକୁ ଫେରି ସେମାନେ ଆଉ ରତ୍ନ ସିଂହାସନକୁ ଯାଆନ୍ତି ନାହିଁ । ମନ୍ଦିର ଭିତରର ଅଣସର ପିଣ୍ଡିରେ ବିରାଜମାନ କରନ୍ତି । ସେହି ଅଣସର ପିଣ୍ଡିକୁ ଗୋଟିଏ ବାଉଁଶ ତାଟି ଦ୍ୱାରା ଅଲଗା କରାଯାଇଥାଏ । ତାହାକୁ “ଅଣସର ତାଟି’ କୁହାଯାଏ । ତାହା ଭଣ୍ଡାର ଘର ଓ ଭିତର କାଠ ପାଖରେ ଲଗାଯାଇଥାଏ । ସେହି ତାଟିର ଭିତର ପଟେ, ଅଣସର ପିଣ୍ଡିରେ ଚାରିଠାକୁର- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ବିଜେ କରିବା ବେଳେ, ମାଧବ ଭଣ୍ଡାର ଘରଠାରେ ବିଜେ କରିଥାଆନ୍ତି । ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ କରୁଥିବା ସାତ ଦେବଦେବୀଙ୍କ ମଧ୍ୟରୁ ଏହି ପାଞ୍ଚ ହେଉଛନ୍ତି ଦାରୁମୂର୍ତ୍ତି । ଅନ୍ୟ ଦୁଇ ମୂର୍ତ୍ତି- ସୁନା ପ୍ରତିମା ଶ୍ରୀଦେବୀ ଓ ରୂପା ପ୍ରତିମା ଭୂଦେବୀ ତାଟି ବାହାର ପଟେ ବିଜେ କରନ୍ତି ।

ଅଣସର ତାଟିର ବାହାର ପଟରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ମୋଟ ଦଶମୂର୍ତ୍ତି ବିରାଜମାନ କରନ୍ତି । ସେମାନଙ୍କ ମଧ୍ୟରୁ ସାତମୂର୍ତ୍ତି ଅଣସର ତାଟିର ସାମନାରେ ଗୋଟିଏ ଖଟ ଉପରେ ବିରାଜମାନ ହେବା ବେଳେ, ତିନି ମୁଖ୍ୟ ବିଗ୍ରହ ତାଟିରେ ପଟିଦିଅଁ ରୂପରେ ବିରାଜିତ ହୁଅନ୍ତି ।

ଶ୍ରୀମନ୍ଦିରର ରତ୍ନସିଂହାସନରେ ତିନି ମୁଖ୍ୟ ଠାକୁରଙ୍କର ସେବାପୂଜା ପାଇଁ ତିନିଟି “ବାଡ଼’ ବା ଭାଗର ବ୍ୟବସ୍ଥା ରହିଛି । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପାଇଁ “ବଡ଼ବାଡ଼’, ଦେବୀ ସୁଭଦ୍ରାଙ୍କ ପାଇଁ “ମଝିବାଡ଼’ ଏବଂ ଶ୍ରୀଜଗନ୍ନାଥଙ୍କ ପାଇଁ “ମହାପ୍ରଭୁବାଡ଼’ । ଅଣସର ତାଟିରେ ପୂଜିତ ତିନି ପଟିଦିଅଁଙ୍କର ମଧ୍ୟ ସେହିପରି ତିନିଟି ବାଡ଼ ରହିଥାଏ । କାରଣ ଅଣସର ସମୟରେ ତିନିଠାକୁର ଏହି ତିନି ପଟିଦିଅଁରେ ଅବସ୍ଥାନ କରନ୍ତି ।

କିନ୍ତୁ ଏହି ତିନି ପଟିଦିଅଁଙ୍କର ନାମ ଓ ରୂପ ଅଲଗା । ଏମାନେ ସମସ୍ତେ ଚାରିହସ୍ତ ବିଶିଷ୍ଟ ପୂର୍ଣ୍ଣବିଗ୍ରହ । ଶ୍ରୀବଳଭଦ୍ରଙ୍କର ପଟିଦିଅଁ “ବାସୁଦେବ’, ଦେବୀ ସୁଭଦ୍ରାଙ୍କର ପଟିଦିଅଁ “ଭୁବନେଶ୍ୱରୀ’ ଓ ଶ୍ରୀଜଗନ୍ନାଥଙ୍କର ପଟିଦିଅଁ “ନାରାୟଣ’ ନାମରେ କଥିତ ହୁଅନ୍ତି । ପାରମ୍ପରିକ ରୀତିରେ ଏହି ପଟିଦିଅଁମାନଙ୍କୁ ଶ୍ରୀମନ୍ଦିରର “ଚିତ୍ରକାର’ ସେବକ ଅଙ୍କନ କରି ଦେଇଥାଆନ୍ତି ।

ଅଣସର ତାଟିର ବାହାରପଟେ, ଖଟ ଉପରେ ଏହି ତିନି ପଟିଦିଅଁଙ୍କ ସହ ଆଉ ସାତ ମୂର୍ତ୍ତି ବିଜେ କରନ୍ତି । ଏ ସମସ୍ତେ ମିଶି “ଦଶାବତାର ଦେବଦେବୀ’ ରୂପେ କଥିତ ହୁଅନ୍ତି । ଏହି ସାତ ମୂର୍ତ୍ତିଙ୍କ ମଧ୍ୟରୁ କିଏ କେଉଁ ବାଡ଼ରେ ପୂଜିତ ହେବେ ତାହା ସୁନିର୍ଦ୍ଧାରିତ । ରାମ, କୃଷ୍ଣ ଓ ନୃସିଂହ ବଳଭଦ୍ର ବା “ବାସୁଦେବ ବାଡ଼’ରେ, ଶ୍ରୀଦେବୀ ଓ ଭୂଦେବୀ ସୁଭଦ୍ରା ବା “ଭୁବନେଶ୍ୱରୀ ବାଡ଼’ରେ ଏବଂ ଦୋଳଗୋବିନ୍ଦ ଓ ମଦନମୋହନ ଜଗନ୍ନାଥ ବା “ନାରାୟଣ ବାଡ଼’ରେ ପୂଜିତ ହୁଅନ୍ତି । ଅଣସର ବେଳେ ସେହି ସ୍ଥାନ “ତାଟିମନ୍ଦିର’ ରୂପେ ବିବେଚିତ ହୋଇଥାଏ ।

ଏହି “ଦଶାବତାର ଦିଅଁ’ଙ୍କର ପୂଜା ଅଣସର ଶେଷ ହେବା ପର୍ଯ୍ୟନ୍ତ ହୋଇଥାଏ । ଏହି ସମୟରେ ସେମାନଙ୍କର ସମସ୍ତ ଦୈନିକ ନୀତି ହୁଏ ଏବଂ ସେମାନଙ୍କୁ ଭୋଗ ଲାଗି କରାଯାଏ । ସେତେବେଳେ ତାଟି ଭିତରେ ଥିବା ଦାରୁବିଗ୍ରହମାନେ “ଅଣସର ଦିଅଁ’ ରୂପେ କଥିତ ହୁଅନ୍ତି ।

କିନ୍ତୁ “ତାଟିମନ୍ଦିର’ରେ ପୂଜିତ “ପଟିଦିଅଁ’ଙ୍କ ସଂପର୍କରେ ଆଉ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ କଥା “ନୀଳାଦ୍ରି ମହୋଦୟ’ରେ କୁହାଯାଇଛି । ତାହା ହେଉଛି- ଏହି ଅଣସର ସମୟରେ ତାଟି ଭିତରେ ଦାରୁ ବିଗ୍ରହମାନଙ୍କର ପୂଜା ହେବ ନାହିଁ । କାରଣ, ଏହି ସମୟରେ ପଟିଦିଅଁ ହିଁ ଦାରୁବ୍ରହ୍ମ ରୂପେ ପୂଜିତ ହେବେ । ସେହି ସମୟରେ ପଟିଦିଅଁ “ପଟିବ୍ରହ୍ମ’ ରୂପେ ବିବେଚିତ ହେବେ ।

ଏଣୁ ଅଣସର ସମୟରେ ତାଟିଠାରେ ପୂଜିତ ଦଶାବତାର ଦେବଦେବୀଙ୍କର ଦର୍ଶନ କଲେ ପରମ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

Comments are closed.