ବଢ଼ିବାରେ ଲାଗିଛି ସୁନାଦର ! ବର୍ଷକ ଭିତରେ ଦର ହେଲାଣି ଆକାଶ ଛୁଆଁ, ଜାଣନ୍ତୁ ଏହା ପଛର କାରଣ

38

କନକ ବ୍ୟୁରୋ : ବିଶ୍ୱ ବଜାରରେ ଏବେ ସୁନା ଦର ଆକାଶ ଛୁଇଁଲାଣି । ଗତ ଏକବର୍ଷ ମଧ୍ୟରେ ସୁନା ଦରରେ ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଛି । ତେବେ ସୁନା ଦରରେ ଏପରି ବୃଦ୍ଧି ପଛରେ ଉତ୍ତରକୋରିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଦାୟୀ କରାଯାଉଛି । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ଘରୋଇ ବଜାର ଉପରେ । ଚଳିତ ବର୍ଷ ସୁନା ଦରରେ ବୃଦ୍ଧି ଘଟି ୧୦ ଗ୍ରାମ ପ୍ରତି ୩୦,୫୦୦ ଟଙ୍କାରେ ପହଞ୍ଚିଛି । ଯାହାକି ବିଶ୍ୱବଜାରର ଦର ସହିତ ପାଖାପାଖି ସମାନ । ତା ସହିତ ଦୀର୍ଘ ତିନି ସପ୍ତାହ ଧରି ଡଲାରର ମୂଲ୍ୟ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ସୁନା ଭାରତ ଅନ୍ୟ ଦେଶରୁ ଆମଦାନୀ କରୁଥିବାରୁ ଏହାର ସିଧାସଳଖ ପ୍ରଭାବ ଭାରତ ବଜାରରେ ପଡିଛି । ବିଭିନ୍ନ ଆମଦାନୀ ଶୁଳ୍କ ତଥା ଡଲାର ଓ ଟଙ୍କା ମୂଲ୍ୟରେ ଦେଖା ଦେଉଥିବା ତାରତମ୍ୟ ପାଇଁ ସୁନାର ମୂଲ୍ୟ ଭାରତରେ ବଢ଼ି ବଢ଼ି ଚାଲିଛି ।

ଉତ୍ତର କୋରିଆ ହାଇଡ଼୍ରୋଜନ ବମର ପରୀକ୍ଷଣ କରିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ନର୍ଥକୋରିଆ ସହ ଲାଗି ରହିଥିବା ବିବାଦ ପାଇଁ ଆମେରିକାର ଫେଡରାଲ ରିଜର୍ଭ ବ୍ୟାଙ୍କ ତାର ତ୍ରୈମାସିକ ବିବରଣୀ ପ୍ରଦାନ କରିବାରେ ବିଳମ୍ବ କରୁଛି ତା ସହିତ ସୁନା କ୍ଷେତ୍ରରେ ଅଧିକ ନିବେଶ କରିବାକୁ ନିବେଶକଙ୍କୁ ଉତ୍ସାହିତ କରୁଛି ।

gold 2ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସୁନାର ଦର ବୃଦ୍ଧି ପଛରେ ଉତ୍ତର କୋରିଆ ମିସାଇଲ ପରୀକ୍ଷଣ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଉଭୟ ଦେଶ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହି ମୂଲ୍ୟବାନ ଧାତୁ ଉପରେ ଏବେ ପର୍ଯ୍ୟନ୍ତ ୭ ପ୍ରତିଶତ ଦର ବୃଦ୍ଧି ହୋଇଛି ତେବେ ବର୍ଷ ଶେଷ ହେବା ବେଳକୁ ଏହା ୧୬ ପ୍ରତିଶତ ବୃଦ୍ଧି ପାଇଥିବ ବୋଲି ଅନୁମାନ କରାଯାଉଛି । ଉତ୍ତର କୋରିଆ ସହ ବିବାଦ ପରେ ଆମେରିକା ତାର ବାଣିଜ୍ୟିକ ନୀତିରେ କିଛି ମାତ୍ରାରେ ପରିବର୍ତ୍ତନ ଆଣିଛି । ଉତ୍ତର କୋରିଆ ସହ ଆମେରିକାର ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଏହାକୁ ଲକ୍ଷ୍ୟ କରି ସାମ୍ଭାବ୍ୟ କ୍ଷତିରୁ ବଞ୍ଚିବା ପାଇଁ ଏଭଳି ଉପାୟ ଆପଣାଇଛି ।

ଉତ୍ତର କୋରିଆ ସହ ଲାଗି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଲକ୍ଷ୍ୟ କରି ଆମେରିକାର ଫେଡରାଲ ବ୍ୟାଙ୍କ ତରଫରୁ ଏବେ ସୁଧହାରରେ ପରିବର୍ତ୍ତନ କରାଯିବ ନାହିଁ । ଯେତେବେଳ ଯାଏଁ ମୁଦ୍ରସ୍ପୀତି ବୃଦ୍ଧି ହେବାର ବିଶ୍ୱାସ ନ ହୋଇଛି ସେତେବେଳ ଯାଏଁ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଏକ ବରିଷ୍ଠ ଅଧିକାରୀ କହିଛନ୍ତି । ଆମେରିକା ସରକାରଙ୍କ ରିପୋର୍ଟ ଅନୁଯାୟୀ, ଗତ ମାସ ଆମେରିକାରେ ନିଯୁକ୍ତି ପୂର୍ବାପେକ୍ଷା କମିଛି । ୨୦୧୮ ମଧ୍ୟ ସୁଦ୍ଧା ଫେଡରାଲ ରିଜର୍ଭ ବ୍ୟାଙ୍କର ସୁଧହାରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଜଣାପଡିଛି । ଉଚ୍ଚ ସୁଧହାର ଡଲାରର ମୂଲ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । ତା ସହିତ ବଣ୍ଡ ପେପରର ମୂଲ୍ୟ ବୃଦ୍ଧି ହୋଇଥାଏ ।

gold 3କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଉତ୍ତର କୋରିଆ ସହ ବିିବାଦ ଜାରି ରୁହେ, ତେବେ ସୁନାର ମୂଲ୍ୟ ଆହୁରି ଅଧିକ ବଢ଼ିବାର ସମ୍ଭାବନା ରହିଛି । ଏପରିକି ୧୦ ଗ୍ରାମ ସୁନାର ମୂଲ୍ୟ ୧୩୫୦ ଡଲାରରୁ ଅଧିକ ହୋଇପାରେ । ଏବେ ଭାରତୀୟ ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୦ ହଜାର ୨୩୦ ଟଙ୍କା ରହିଛି । ତେବେ ତିନି ସପ୍ତାହ ଧରି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ବୁଧବାର ସକାଳ ୧୦ଟା ସୁଦ୍ଧା ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ଘଟି ୬୪.୨୪ ଟଙ୍କାରେ ପହଞ୍ଚିଛି । କିଛି ବେପାରୀଙ୍କ କହିବା ଅନୁଯାୟୀ, ବିଭିନ୍ନ ବ୍ୟାଙ୍କ ଓ ଆମଦାନକାରୀଙ୍କ ଡିମାଣ୍ଡ ପାଇଁ ଡଲାରର ମୂଲ୍ୟରେ ବୃଦ୍ଧି ଘଟିଛି ।

ଏଭଳି ପରିସ୍ଥିତିରେ ବିଦେଶୀ ନିବେଶକ ମାନେ କରଜ ଓ ଇକ୍ୟୁଟି ବଜାରରୁ ୧୦୧୦ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି । ଘରୋଇ ବଜାରରେ ମଜବୁତ ସ୍ଥିତି ଯୋଗୁଁ ଏଭଳି ପରିସ୍ଥିତିରେ ମଧ୍ୟ ଚଳିତ ବର୍ଷ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି ।