ସ୍ୱାମୀ କନେଷ୍ଟବଳ, ସ୍ତ୍ରୀ ମିନିଷ୍ଟର । ଚର୍ଚ୍ଚାରେ କୋଟପାଡ ବିଧାୟିକା, ଜାଣନ୍ତୁ ତାଙ୍କ ସଫଳ ରାଜନୈତିକ କ୍ୟାରିୟର ପଛର ନାୟକଙ୍କୁ ।

3,129

କନକ ବ୍ୟୁରୋ : ଚର୍ଚ୍ଚାରେ ନବୀନଙ୍କ କ୍ୟାବିନେଟର ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ସାଧାରଣ ଗୃହିଣୀରୁ ବିଧାୟକ ଓ ମନ୍ତ୍ରୀ ବନିଥିବା ପଦ୍ମିନୀଙ୍କ ସଫଳତା ପଛରେ ରହିଛି ତାଙ୍କ ସ୍ୱାମୀ ସଦାଶିବ ଦିଆନଙ୍କ ହାତ । ସଦାଶିବ ଜଣେ ପୋଲିସ କନେଷ୍ଟବଳ ହୋଇଥିବାରୁ ସ୍ତ୍ରୀଙ୍କ ପାଖେପାଖେ ରହିବା ପାଇଁ ପଦ୍ମିନୀଙ୍କ ପିଏସଓ ଭାବେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସ୍ୱାମୀ କନେଷ୍ଟବଳ, ସ୍ତ୍ରୀ ମିନିଷ୍ଟର । ଚର୍ଚ୍ଚାରେ କୋଟପାଡ଼ ବିଧାୟିକା । ପ୍ରଥମ ପଦାର୍ପଣରେ ମନ୍ତ୍ରୀ ହୋଇଥିବା ଏହି ନେତ୍ରୀ ଜଣକ ହେଉଛନ୍ତି କୋଟପାଡ଼ରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ବିଧାୟିକା ପଦ୍ମିନୀ ଦିଆନ । ଜଣେ ସାଧାରଣ ଗୃହିଣୀରୁ ବିଧାୟିକା ବନିବା ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୃଷ୍ଟି ଆକର୍ଷଣ କରି ମନ୍ତ୍ରୀ ହେବା ପଛରେ ଯେଉଁ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ହାତ ରହିଛି, ସେ ହେଉଛନ୍ତି, ପଦ୍ମିନୀଙ୍କ ସ୍ୱାମୀ ସଦାଶିବ ଦିଆନ । ସଦାଶିବ, ଓଡ଼ିଶା ପୁଲିସ୍ ଅଧିନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି ।

ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପଦ ପାଇଥିବା ପଦ୍ମିନୀ ଦିଆନଙ୍କୁ ରାଜନୀତି କ୍ଷେତ୍ରରେ ପାଦ ଥାପିବାକୁ ଉତ୍ସାହିତ କରିଥିଲେ ସ୍ୱାମୀ ସଦାଶିବ ଦିଆନ । ସଦାଶିବ ଏବେ କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି । ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକ ୧୪ବର୍ଷର ଜଣେ ପୁଅ ବି ଅଛି । ନବମ ଶ୍ରେଣୀରେ ପଢୁଥିବା ପୁଅ ସୁରେଶ ଦିଆନ ବାପା-ମାଙ୍କ ଭଳି ଜନସେବାରେ ମନ ନିବେଶ କରିବେ ବୋଲି କହିଛନ୍ତି । କିନ୍ତୁ ସରକାରୀ ଚାକିରି କିମ୍ବା ନେତା ଭାବେ ନୁହେଁ ବରଂ ବ୍ୟବସାୟ କରି ଜନସେବା କରିବେ ବୋଲି କହିଛନ୍ତି । ଆଉ ଏସବୁ ଭିତରେ ପରିବାର ଏବଂ ରାଜ୍ୟର କଥା ବୁଝିବେ ପଦ୍ମିନୀ ।ଏହାରି ଭିତରେ ଚର୍ଚ୍ଚା ହେଉଛି ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପିଏସଓ ଭାବେ ଯୋଗ ଦେଇପାରନ୍ତି, କନେଷ୍ଟବଳ ସ୍ୱାମୀ ସଦାଶିବ ଦିଆନ ।