ଲୋକସଭାରେ ମୋଦି ଦେଇପାରନ୍ତି ବଡ଼ ପରୀକ୍ଷା ! ସରକାରଙ୍କ ବିରୋଧରେ ଆସିଲା ଦୁଇ ଦୁଇଟି ଅବିଶ୍ୱାସ ପ୍ରସ୍ତାବ

48

କନକ ବ୍ୟୁରୋ : ମୋଦିଙ୍କ ଚା’କପରେ ଝଡ । ପ୍ରଥମ ଥର ପାଇଁ ମୋଦି ସରକାରଙ୍କ ବିରୋଧରେ ଆସିଛି ଅବିଶ୍ୱାସ ପ୍ରସ୍ତାବ । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିକୁ ନେଇ ତେଲୁଗୁ ଦେଶମ ପାର୍ଟି ଓ ୱାଇଏସଆର୍ କଂଗ୍ରେସ ପାର୍ଟି ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହାକୁ ସମର୍ଥନ କରିଛନ୍ତି, କଂଗ୍ରେସ ଓ ବାମ ପନ୍ଥୀ । ଫଳରେ ଅନାସ୍ଥା ଉପରେ ଭୋଟ୍ ହେବାର ସମ୍ଭାବନା ବଢିଯାଇଛି । ଏସବୁ ଭିତରେ ମୋଦିଙ୍କୁ ବିରୋଧ କରୁଥିବା ଅନ୍ୟ ସହଯୋଗୀ ଦଳ ଗୁଡିକ ଉପରେ ସମସ୍ତଙ୍କ ନଜର ରହିଛି ।

ପ୍ରଥମ ଥର ପାଇଁ ଲୋକସଭାରେ ପରୀକ୍ଷା ଦେବେ ମୋଦି ସରକାର । ସରକାରଙ୍କ ଉପରେ ଗୃହର ବିଶ୍ୱାସ ଅଛି କି ନାହିଁ ତାହା ପ୍ରମାଣ କରିବାକୁ ପଡିବ । କାରଣ ଦୁଇଟି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଆନ୍ଧ୍ର ପ୍ରଦେଶର ଦୁଇ ଦଳ । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଲାଗି ମୋଦି ସରକାର ମନା କରିଦେବା ପରେ ତାତି ଉଠିଛନ୍ତି ରାଜ୍ୟର ଦୁଇ ପ୍ରତିଦ୍ୱନ୍ଦି ଦଳ ତେଲଗୁ ଦେଶମ ପାର୍ଟି ଓ ୱାଇଏସଆର କଂଗ୍ରେସ । ଗତକାଲି ଜଗନ ରେଡିଙ୍କ ୱାଇଏସଆର କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଥିବା ବେଳେ ଆଜି ଚନ୍ଦ୍ରବାବୁ ନାଇଡୁ ଦେଇଛନ୍ତି ଜୋରଦାର ଝଟକା ।

ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବା ସହ ଆଜି ମୋଦିଙ୍କ ହାତ ଛାଡି ଦେଇଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ । ଏନଡିଏରୁ ବିଧିବଦ୍ଧ ଭାବେ ଓହରି ଯାଇଛି ଟିଡିପି । ସେପଟେ ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି, ଯଦି ଅନାସ୍ଥା ପ୍ରସ୍ତାବ ଠିକ୍ ଥିବ, ତେବେ ଲୋକସଭାରେ ଏହାକୁ ଗ୍ରହଣ କରାଯିବ । ଏହା ସହ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।

pm modi

ଯଦି ଅନାସ୍ଥା ପ୍ରସ୍ତାବକୁ ଲୋକସଭାର ୫୦ ଜଣ ସାଂସଦ ସମର୍ଥନ କରିନ୍ତି, ତେବେ ଏହା ଉପରେ ଆଲୋଚନା କରାଯାଇ ଭୋଟ କରିବେ ବାଚସ୍ପତି । କଂଗ୍ରେସ ଓ ସିପିଏମ୍ ଏହି ଅନାସ୍ଥାକୁ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେବା ପ୍ରାୟ ଏକ ପ୍ରକାର ନିଶ୍ଚିତ ।

ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମୋଦି ସରକାରଙ୍କ ଉପରେ ଏହି ଅନାସ୍ଥା ପ୍ରସ୍ତାବ ବିଶେଷ କିଛି ଅସୁବିଧା ସୃଷ୍ଟି କରି ନପାରେ । ଯଦି ସବୁ ବିରୋଧୀ ଦଳ ଏକାଠି ହୋଇଯାଆନ୍ତି, ତେବେ ସରକାରଙ୍କ ପାଇଁ ଏହା ସତର୍କ ଘଂଟି ବଜାଇପାରେ ।

ଏବେ ଆସନ୍ତୁ ନଜର ପକାଇବା ଲୋକସଭାର ଗଣିତ ଉପରେ ?

ଲୋକସଭାରେ ନିର୍ବାଚିତ ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ମୋଦି ସରକାରଙ୍କ ପାଇଁ ସୁରକ୍ଷିତ ସଂଖ୍ୟା ହେଉଛି ୨୭୨ । ଟିଡିପି ଓହରିଯିବା ପରେ ଲୋକସଭାରେ ଏନଡିଏ ସାଂସଦଙ୍କ ସଂଖ୍ୟା ୩୧୩କୁ ହ୍ରାସ ପାଇଛି ।  ସେହିପରି କଂଗ୍ରେସ ନେତୃତ୍ୱାଧିନ ୟୁପିଏରେ ଅଛନ୍ତି ୫୨ ଜଣ ସାଂସଦ ।

ଟିଡିପିର ୧୬, ୱାଇଏସଆର କଂଗ୍ରେସର ୯, ସିପିଏମର ୯, ସରକାରଙ୍କୁ ପ୍ରାୟ ସବୁ ପ୍ରସଙ୍ଗରେ ବିରୋଧ କରୁଥିବା ତୃଣମୂଳ କଂଗ୍ରେସର ୩୪ ଜଣ ସାଂସଦ, ସମାଜବାଦୀ ପାର୍ଟିର ୭, ଆମ ଆଦମୀ ପାର୍ଟିର ୪ ସାଂସଦ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କଲେ ସରକାରଙ୍କ ବିରୋଧରେ ୧୩୧ ଭୋଟ ପଡିବା ପ୍ରାୟ ଏକପ୍ରକାର ନିଶ୍ଚିତ ।

ଲୋକସଭାରେ ପଂଚମ ଦଳର ମାନ୍ୟତା ପାଇଛି ବିଜେଡି । ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ୨୦ ଜଣ ସାଂସଦ କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର । ମୋଦି ସରକାରଙ୍କ ବିରୋଧରେ ଏହୀ ଅନାସ୍ଥା ପ୍ରସ୍ତାବ ଓଡ଼ିଶା ପାଇଁ ବି ଗୁରୁତ୍ୱ ରଖୁଛି । କାରଣ ଯେଉଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ନେଇ ଆନ୍ଧ୍ର ପ୍ରଦେଶର ଦୁଇ ପ୍ରମୁଖ ଦଳ ଅନାସ୍ଥା ଆଣିଛନ୍ତି, ସେହି ପ୍ରସଙ୍ଗକୁ ନେଇ ଓଡ଼ିଶା ମଧ୍ୟ ଦୀର୍ଘ ବର୍ଷ ଧରି ଲଢିଆସୁଛି ।

ସେପଟେ କାବେରୀ ବିବାଦକୁ ନେଇ ଏଆଇଏଡିଏମକେ ମଧ୍ୟ ମୋଦି ସରକାର ବିରୋଧରେ ଭୋଟ ଦେବା ଲାଗି ଚେତାବନୀ ଦେଇଛି । ଲୋକସଭାରେ ଏଆଇଏଡିଏମ୍କେର ଅଛନ୍ତି ୩୭ ଜଣ ସାଂସଦ । ସେହିପରି ୨ ବର୍ଷ ହେଲା ବିଜେପି ସହ ସଂପର୍କ ତିକ୍ତ ହୋଇଛି ଶିବସେନାର । ଶିବସେନାର ଅଛନ୍ତି ୧୮ ଜଣ ସାଂସଦ । ବିଜେଡି, ଏଆଇଏଡିଏମକେ, ଶିବସେନାର ମୋଟ ୭୫ ଜଣ ସାଂସଦ ଥିବାରୁ ଏହି ଦଳଗୁଡିକର ଅଭିମୁଖ୍ୟ ନେଇ ଚର୍ଚ୍ଚା ହେଉଛି । ଅନ୍ୟାନ୍ୟ ଛୋଟ ଛୋଟ ଦଳ ମଧ୍ୟ ସରକାରଙ୍କ ବିରୋଧରେ ଭୋଟ ଦେବା ଆଶଙ୍କା ରହିଛି ।