ଲୋକସଭାରେ ମୋଦିଙ୍କୁ ରାହୁଲ ଆଲିଙ୍ଗନ କରିବା କେତେ ଯୁକ୍ତିଯୁକ୍ତ ! ଜାଣନ୍ତୁ କ’ଣ ରହିଛି ସଂସଦର ନିୟମ ।

83

ଲୋକସଭାରେ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ବୈଠକରେ ଆଲୋଚନା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଭାଷଣ ପ୍ରଦାନ କରିବା ସମୟରେ ଅଚାନକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଯାଇ ହାତ ମିଳାଇବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ତେବେ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ନେଇ ବିଜେପି ନେତା ଆପତ୍ତି ଉଠାଇ କହିଛନ୍ତି ଏହା ସଂସଦର ମର୍ଯ୍ୟାଦା ବିରୋଧ କାମ । ତେବେ ଏଥିରେ କ’ଣ ରହିଛି ସଂସଦ ବିରୋଧ କାମ ଏବଂ ରାହୁଲ ମୋଦିଙ୍କୁ ଆଲିଙ୍ଗନ କରିବା କେତେ ଯୁକ୍ତିଯୁକ୍ତ ଆସନ୍ତୁ ଜାଣିବା ।

ଲୋକସଭାରେ ସାଂସଦଙ୍କୁ ନେଇ କେତେପ୍ରକାର ନିୟମ ରହିଛି । ଯାହା ଅନୁସାରେ ସାଂସଦଙ୍କୁ କାମ କରିବାକୁ ପଡିଥାଏ । ଏମିତିରେ ସଂସଦରେ ପ୍ରସ୍ତାବ ରଖିବା,ଭାଷଣ ଦେବା ଏବଂ ବିଲ୍ ପାଶ୍ କରିବା ନେଇ ଅନେକ ନିୟମ ରହିଅଛି । କିନ୍ତୁ ସଂସଦରେ ସାଂସଦଙ୍କ ବ୍ୟବହାରକୁ ନେଇ ମଧ୍ୟ କିଛି ସାଧାରଣ ନିୟମ ରହିଛି । ଲୋକସଭା ୱେବସାଇଟରେ ମଧ୍ୟ ଏହି ନିୟମ ବିଷୟରେ ଚର୍ଚ୍ଚା କରାଯାଇଛି ।

୧ . ସଂସଦରେ କୌଣସି ବହି,ଖବରକାଗଜ (ଯାହା ତଦନ୍ତ ସମ୍ବନ୍ଧୀୟ ହୋଇନଥିବ) ପଢି ପାରିବେ ନାହିଁ ।

୨. କୌଣସି ସଦସ୍ୟ ଅଭିଭାଷଣ ଦେବା ସମୟରେ ଅନ୍ୟ କେହି ତାଙ୍କୁ ବିରକ୍ତ କରିପାରିବେ ନାହିଁ କିମ୍ବା କୌଣସି ମୁଖଭଙ୍ଗୀ ଦେଇପାରିବେ ନାହିଁ । କୌଣସି ସାଂସଦ ନିଜ କଥା ରଖୁଥିବା ବେଳେ ଅନ୍ୟ କେହି ତାଙ୍କ ସାମ୍ମାରୁ ଯାଇପାରିବେ ନାହିଁ ।

୩. ବାଚସ୍ପତି ନିଜର ଅଭିଭାଷଣ ଦେବା ସମୟରେ ଅନ୍ୟ କୌଣସି ସଂସଦ ଗୃହ ଛାଡି ଯାଇପାରିବେ ନାହିଁ ।

୪. ସଂସଦକୁ ସମ୍ବୋଧିତ କରୁଥିବା ସମୟରେ ସାଂସଦ ନିଜ ସିଟରେ ଠିଆ ହେବା ଅନିବାର୍ଯ୍ୟ । ଏହାସହ ସଂସଦରେ ସେତେବେଳେ ଶୃଙ୍ଖଳା ବଜାୟ ରହିବା ଉଚିତ୍ ।

୫. ସାଂସଦ ଅଧ୍ୟକ୍ଷଙ୍କ ସାମ୍ମାରେ ବସି ପାରିବେ ନାହିଁ କିମ୍ବା ତାଙ୍କୁ ପିଠି କରି ବସି ପାରିବେ ନାହିଁ । ସଂସଦରେ କୌଣସି ପ୍ରକାର ଟେପ୍ ରେକର୍ଡର ବାଜିପାରିବ ନାହିଁ ।

୬. ସାଂସଦ ଲୋକସଭା ଭିତରେ ନାରା ଲଗାଇପାରିବେ ନାହିଁ କିମ୍ବା ଅଧ୍ୟକ୍ଷଙ୍କ ବିଷୟରେ ବ୍ୟକ୍ତିଗତ ଅନୁରୋଧ କରିପାରିବେ ନାହିଁ ।

୭. ଜାତୀୟ ପତକା ଛଡା ଆଉ କୌଣସି ପ୍ରକାର ବ୍ୟାଚ୍ କେହି ଲଗାଇ ପାରିବେ ନାହିଁ ।

୮. ସାଂସଦ ଲବିରେ ବସି ଜୋରରେ ହସିପାରିବେ ନାହିଁ କିମ୍ବା କଥା ହୋଇପାରିବେ ନାହିଁ,ସାଙ୍ଗରେ କୌଣସି ଧ୍ୱଜ ବା ହତିଆର ଆଣିପାରିବେ ନାହିଁ ।

୯. ସାଂସଦ ସଂସଦରେ କୌଣସି ସାହିତ୍ୟ,ପ୍ରଶ୍ନୋତ୍ତର,ପାମ୍ପଲେଟ୍ କିମ୍ବା ପ୍ରେସ୍ ନୋଟ୍ ବାଣ୍ଟିପାରିବେ ନାହିଁ ।

୧୦. ସାଂସଦ ବିରୋଧିଙ୍କ କଥାରେ ରାଗି କୌଣସି ଦସ୍ତାବିଜ ଚିରି ପାରିବେ ନାହିଁ ।

ସଂସଦରେ ଅଧ୍ୟକ୍ଷଙ୍କ ଫଇସଲା ସର୍ବୋଚ୍ଚ ହୋଇଥାଏ । ଯଦି ରାହୁଲ ଗାନ୍ଧିଙ୍କ କଥା କହିବା ତେବେ ସଂସଦରେ ଆଲିଙ୍ଗନ କରିବା ଭଳି କୌଣସି ନିୟମ ନାହିଁ । କିନ୍ତୁ ବାଚସ୍ପତି ସୁମିତ୍ରା ମହାଜନଙ୍କ ଏହି କାର୍ଯ୍ୟକ୍ରମକୁ ଭୁଲ୍ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ, “ସମସ୍ତ ସାଂସଦ ସଦସ୍ୟଙ୍କୁ ନିଜ ପଦବୀର ଗୌରବ ମର୍ଯ୍ୟାଦା ବଜାୟ ରଖିବା ଦରକାର । ରାହୁଲ ଗାନ୍ଧି ମୋ ଶତ୍ରୁ ନୁହନ୍ତି ସେ ମୋ ପୁଅ ଭଳି, କିନ୍ତୁ ସେ ଏଭଳି ବ୍ୟବହାର କାହିଁକି ଦେଖାଇଲେ ତାହା ମୁଁ ମଧ୍ୟ ଜାଣିପାରୁନାହିଁ ।”