ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ ହେଲା କିସ ! କେନ୍ଦ୍ରର ଘୋଷଣା ପରେ କ୍ୟାମ୍ପସରେ ଖୁସିର ମାହୋଲ

41

କନକ ବ୍ୟୁରୋ : କିସ ବିଶ୍ୱବିଦ୍ୟାଳୟର ବଡ ଉପଲବ୍ଧି । ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ ଭାବେ ଗୌରବ ଅର୍ଜନ କରିବା ପରେ ଏବେ କ୍ୟାମ୍ପସରେ ଖୁସିର ମୋହୋଲ । କେନ୍ଦ୍ରର ଘୋଷଣା ପରେ ରାଜ୍ୟ ମଧ୍ୟ ଏନେଇ ଖୁସି ଜାହିର କରିଛି । କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍ କୁ ଡିମଡ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିବା ନେଇ ଘୋଷଣା କରିଛି କେନ୍ଦ୍ରମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ । ଚିଠିସଂଖ୍ୟା- ଏଫ୍.୯-୧୪/୨୦୧୧-ୟୁ-୩(କ)ରେ ଏହି ଘୋଷଣା କରିଛି ବିଭାଗ । ଫଳରେ ଏହା ଭାରତ ତଥା ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି ।
କିସକୁ ‘ଡିମଡ ୟୁନିଭରସିଟି ଅଣ୍ଡର ଦି ନୋଭେ କ୍ୟାଟେଗୋରି’ରେ ମାନ୍ୟତା ମିଳିଛି । ବିଶେଷତଃ କିସରେ ପ୍ରାଥମିକ ଭାବେ ୭ଟି ଅଭିନବ ବିଭାଗ ଖୋଲାଯାଇ ଜନଜାତିଙ୍କ ଉପରେ ଉଚ୍ଚତର ଶିକ୍ଷା ଓ ଗବେଷଣା କରାଯିବ । ଯାହାଦ୍ୱାରା କିସ ସମଗ୍ର ବିଶ୍ୱରେ ଖ୍ୟାତି ଅର୍ଜନ କରିବ । ଏହାକୁ ଦୃଷ୍ଟିରେ ରଖି ଏହି ମାନ୍ୟତା ମିଳିଛି । କିସ ବିଶ୍ୱବିଦ୍ୟାଳୟ ମଧ୍ୟ ସଂପୂର୍ଣ୍ଣ ମାଗଣା ଓ ଆବାସିକ ।
କିସକୁ ଏହି ମାନ୍ୟତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ୧୯୯୨-୯୩ରେ ୧୨୫ ଜଣ ଗରିବ ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଏକ ଭଡାଘରେ ଆରମ୍ଭ ହୋଇଥିଲା କିସ । ପରେ ଏଠାରେ ପିଲାସଂଖ୍ୟା ବୃଦ୍ଧି ହୋଇଛି । ବର୍ତ୍ତମାନ କିସରେ ପିଲାସଂଖ୍ୟା ୩୭ହଜାରରେ ପହଂଚିଛି । ଏଥିରେ ୬୦ ପ୍ରତିଶତ ଛାତ୍ରୀ ଅଛନ୍ତି ।