କିଷାନ ଯୋଜନା ପାଇଁ ହିତାଧିକାରୀଙ୍କ ତାଲିକା ମାଗିଲା କେନ୍ଦ୍ର । ମାର୍ଚ୍ଚ ୩୧ ସୁଦ୍ଧା ମିଳିବ ପ୍ରଥମ କିସ୍ତି ଟଙ୍କା, ଅନ୍ୟପଟେ ଖୁବଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା 

274

କନକ ବ୍ୟୁରୋ : ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରର ତାଲିକା ଓ ସେମାନଙ୍କ ବ୍ୟାଙ୍କ୍ ଆକାଉଂଟ୍ ବିବରଣୀ ପଠାଇବା ପାଇଁ କେନ୍ଦ୍ର, ସମସ୍ତ ରାଜ୍ୟକୁ ଚିଠି ଲେଖିଛି । ଫେବ୍ରୁଆରୀ ୨୫ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ପଠାଇବା ପାଇଁ ଚିଠିରେ କୁହାଯାଇଛି । ମାର୍ଚ୍ଚ ୩୧ ମଧ୍ୟରେ ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ଚାଷୀଙ୍କ ନିକଟକୁ ପଠାଇବେ ସରକାର । ତେବେ ଏହି ସମୟ ସୀମା ମଧ୍ୟରେ ଚାଷୀ ତାଲିକା ପଠାଇବା ସମ୍ଭବ ନୁହେଁ ବୋଲି ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ କହି ସାରିଛନ୍ତି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ସରକାର ସକରାତ୍ମକ ମନୋଭାବ ରଖିଛନ୍ତି, ପ୍ରଶାସନିକ ସ୍ତରରେ ବିଚାରବିମର୍ଶ ଚାଲିଛି । ସେପଟେ ଖୁବ ଶୀଘ୍ର ୧୮ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ପଠାଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।

ନିର୍ବାଚନୀ ବର୍ଷରେ ଚାଷୀଙ୍କ ମନ ଜିଣିବାକୁ ଚାଲିଥିବା ପ୍ରତିଯୋଗିତା ଭିତରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ । ଏହା ସହ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଛି ବିସ୍ତୃତ ଗାଇଡଲାଇନ୍ । ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରର ତାଲିକା ଓ ସେମାନଙ୍କ ବ୍ୟାଙ୍କ୍ ଆକାଉଂଟ୍ ବିବରଣୀ ପଠାଇବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଫେବ୍ରୁଆରୀ ୨୫ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ପଠାଇବା ପାଇଁ କୁହାଯାଇଛି । କାରଣ ମାର୍ଚ୍ଚ ୩୧ ମଧ୍ୟରେ ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ଚାଷୀଙ୍କ ନିକଟକୁ ପଠାଇବେ ସରକାର ।  ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କ ବ୍ୟାଙ୍କ ଖାତାକୁ ତିନିଟି କିସ୍ତିରେ ବର୍ଷକୁ ମୋଟ ୬ ହଜାର ଟଙ୍କା ପଠାଯିବ । ୧୨ କୋଟି ହିତାଧିକାରୀ ଏଥିରେ ଉପକୃତ ହେବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

ଏହି ସମୟ ସୀମା ମଧ୍ୟରେ ଚାଷୀ ତାଲିକା ପଠାଇବା ସମ୍ଭବ ନୁହେଁ ବୋଲି ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ କହି ସାରିଛନ୍ତି । ତେବେ କାଳିଆ ଯୋଜନା ଭଳି ଲୋକପ୍ରିୟ ଯୋଜନା କରିଥିବା ନବୀନ ସରକାର ଏ ନେଇ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର । ଆୟୁଷ୍ମାନ୍ ଭାରତ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ପିଏମ୍ କିଷାନ ଯୋଜନା ବାବଦରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଏ ନେଇ ସରକାର ସକରାତ୍ମକ ମନୋଭାବ ରଖିଛନ୍ତି, ପ୍ରଶାସନିକ ସ୍ତରରେ ବିଚାରବିମର୍ଶ ଚାଲିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ପରାମର୍ଶ ନନେଇ ଯୋଜନା କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶଶି ବେହେରା ।

ସେପଟେ ଖୁବ ଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ୧୮ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଟଙ୍କା ପଠାଯିବ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକଙ୍କୁ ଜୀବିକା ସହାୟତା ବାବଦରେ କାଳିଆ ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ମିଳିସାରିଛି କାଳିଆ ଟଙ୍କା ।