ଓଢ଼ଣା ଢ଼ାଙ୍କି ରାତି ସାରା ବୁଲିଲେ କିରଣ ବେଦି ! ପୁଡୁଚେରୀରେ ମହିଳାଙ୍କ ସୁରକ୍ଷା ନେଇ କଲେ ଯାଂଚ

59

କନକ ବ୍ୟୁରୋ: ମୁଣ୍ଡରେ ନାହିଁ ହେଲମେଟ । ତଥାପି ରାଜରାସ୍ତାରେ ଗାଡି ଚଲାଉଛନ୍ତି ଜଣେ ମହିଳା । ପଛ ସିଟରେ ଆଉ ଜଣେ ମହିଳା ବି ବସିଛନ୍ତି । ଯାହାଙ୍କ ଚେହେରା ଓଢ଼ଣୀରେ ଢ଼ଙ୍କା ହୋଇଛି । ଦୁଇଜଣଯାକ ବାହାରିଛନ୍ତିି ରାତିରେ କେତେ ସୁରକ୍ଷିତ ସହର ତାହାର ଯାଂଚ କରିବାକୁ । ଯାଂଚ ଆଉ କେହି କରୁନାହାଁନ୍ତିି ଖୋଦ ରାଜ୍ୟର ଉପ-ରାଜ୍ୟପାଳ । ଯାହା ସାମ୍ନାକୁ ଆସିବା ପରେ ଅନେକଙ୍କର ହୋସ ଉଡାଇଦେଇଛି ।

ପୁଡୁଚେରୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ମହିଳା ଆଇପିଏସ ଅଧିକାରୀ କିରଣ ବେଦି । ଆଇପିଏସ ଅଫିସର ଭାବେ ସାରା ଭାରତରେ ନାଁ କମାଇଥିବା କିରଣ ବେଦି ଶୁକ୍ରବାର ରାତିରେ ବାହାରିଥିଲେ ରାଜ୍ୟର ହାଲଚାଲ ଦେଖିବାକୁ । ରାତିର ଅନ୍ଧାରେ ପୁଡୁଚେରୀର ସଡକ ଉପରେ ମହିଳା କେତେ ସୁରକ୍ଷିତ ତାକୁ ଅନୁଧ୍ୟାନ କରିଥିଲେ । ଜଣେ ମହିଳା ବନ୍ଧୁଙ୍କ ସ୍କୁଟିରେ ବସି ପୁରା ସହର ବୁଲିଥିଲେ । ଅବଶ୍ୟ ପରେ ଟୁଇଟ କରି ପୁଡୁଚେରୀରେ ରାତିରେ ମହିଳା ଅସୁରକ୍ଷିତ ନୁହଁନ୍ତି ବୋଲି କିରଣ କହିଛନ୍ତି ।

ଶୁକ୍ରବାର କିରଣଙ୍କ ଅନ୍ଧାରୀ ବିଜେରେ ସେ ପୁରା ସହରର ବିଭିନ୍ନ ଛକରେ ମହିଳା କେତେ ସୁରକ୍ଷିତ ତାହା ଅନୁଧ୍ୟାନ କରିଥିଲେ । ମୁହଁକୁ ଓଢ଼଼ଣୀରେ ଢ଼ାଙ୍କି ନିଜ ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିଲେ କିରଣ । ଲୁଚିଛପି ନିଜର ରାଜ୍ୟର ହାଲ ଦେଖିଥିଲେ ସେ । ଯଦିଓ ଏହି ସମୟରେ ସେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାଁନ୍ତି କିନ୍ତୁ ମହିଳାଙ୍କ ପାଇଁ ପୁଡୁଚେରୀକୁ ଅଧିକ ସୁରକ୍ଷିତ କରିବାକୁ ପୁଲିସ ବିଭାଗକୁ ପରାମର୍ଶ ଦେବେ ବୋଲି କିରଣ କହିଛନ୍ତି । ତେବେ ସ୍କୁଟି ଚଲାଇବା ସମୟରେ କିରଣଙ୍କୁ ପଛରେ ବସାଇ ସ୍କୁଟି ଚଳାଉଥିବା ମହିଳା ଜଣକ ହେଲମେଟ ପିନ୍ଧି ନଥିଲେ ମଧ୍ୟ କୌଣସି ସ୍ଥାନରେ ତାଙ୍କୁ ଅଟକା ଯାଇନଥିଲା । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ମଧ୍ୟ ସେ କହିଛନ୍ତି ।

ଦେଶର ପ୍ରଥମ ମହିଳା ଆଇପିଏସ ହେଉଛନ୍ତି କିରଣ ବେଦି । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଜଣାଶୁଣା କିରଣ, ବ୍ୟକ୍ତିଗତ ଭାବେ ଜଣେ ଭଲ ଟେନିସ ଖେଳାଳୀ ମଧ୍ୟ । ୨୦୧୬ରେ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ-ଡିଏମକେ ମେଣ୍ଟ ସରକାର ଗଢ଼ିଛି । ସି.ନାରାୟଣ ସ୍ୱାମୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେହିବର୍ଷ ମଇମାସରୁ କିରଣ ସେଠାରେ ଉପ-ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେବେଠାରୁ ରାଜ୍ୟ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।