କନକ ବ୍ୟୁରୋ : ସମଲିଙ୍ଗିଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଖବର । କିନ୍ନରଙ୍କ ଅଧିକାର ନେଇ ଲଢେଇ କରୁଥିବା ମୀରା କିନ୍ନର, ତାଙ୍କ ସଂପର୍କରେ ଏକ ବଡ଼ ରହସ୍ୟ ଖୋଲିଛନ୍ତି । ସେ କହିଛନ୍ତି, ଏବେ ସେ କିନ୍ନର ନୁହଁନ୍ତି, ସଂପୂର୍ଣ୍ଣ ନାରୀ ପାଲଟିି ଯାଇଛନ୍ତି । ଚିକିତ୍ସା ବିଜ୍ଞାନର ଚମତ୍କାରିତା ଯୋଗୁଁ ଏଭଳି ଅସମ୍ଭବ ସମ୍ଭବ ହୋଇପାରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସମଲିଙ୍ଗି ସଂପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ସାରା ଦେଶରେ ଏଲଜିବିଟି ସମୁଦାୟ ମଧ୍ୟରେ ଖୁସିର ଲହରି ଖେଳାଇଦେଇଛି । ବର୍ଷବର୍ଷ ଧରି ଚାଲିଆସିଥିବା ନିଷ୍ଠୁର ଆଇନ ଅସିଦ୍ଧ ହୋଇଯିବା ପରେ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଲ ଓଡିଶା ଟ୍ରାନ୍ସଜେଣ୍ଡର ଟ୍ରଷ୍ଟର ଅଧ୍ୟକ୍ଷା ମୀରା ପରିଡା । ମୀରା, ଚିକିତ୍ସା ବିଜ୍ଞାନର ଏକ ଚମକ୍ରାର ସଂପର୍କରେ ଖୁଲାସା କରିଛନ୍ତି । ମାନସିକ ଭାବେ ନିଜକୁ ନାରୀ ବୋଲି ବିଚାର କରୁଥିଲେ ମଧ୍ୟ ସାମାଜିକ ଲାଂଛନା ଭୟରେ ବର୍ଷବର୍ଷ ଧରି ତୃତୀୟ ଲିଙ୍ଗର ମାନ୍ୟତା ନେଇ ବଂଚି ଆସୁଥିଲେ । ହେଲେ ଏବେ ଏଥିରୁ ମୁକ୍ତି ପାଇବାକୁ ନିଜ ଶରୀରରେ ଅସ୍ତ୍ରୋପଚାର କରାଇଛନ୍ତି ମୀରା ପରିଡା ।
ଚଳିତବର୍ଷ ମେ’ ୨୦ ତାରିଖରେ ଦିଲ୍ଲୀ ପ୍ରୀତମପୁରା ସ୍ଥିତ ଓଲମେକ୍ କ୍ଲିନିକରେ ଏହି ବିରଳ ଅସ୍ତ୍ରୋପଚାର କରାଇଛନ୍ତି ମୀରା ପରିଡା । ନାରୀର ମାନ୍ୟତା ପାଇଁ ତାଙ୍କ ଶରୀରରେ ସଫଳତାର ସହ ସମ୍ବେଦନଶୀଳ ଅଙ୍ଗ ପ୍ରତିରୋପଣ କରାଯାଇଛି । ହେଲେ ଜଣେ କିନ୍ନରଙ୍କ ଶରୀରରେ ୟୁଟରସ ଏବଂ ଓଭାରୀ ବା ଗର୍ଭାଶୟ ଓ ଡିମ୍ବାଶୟ ପ୍ରତିରୋପଣ ହୋଇପାରିଲେ ହିଁ ସେ ସଂପୂର୍ଣ୍ଣ ନାରୀ ହୋଇପାରିବେ ବୋଲି କହିଛନ୍ତି ମୀରା ।
ଯୌବନର ପ୍ରାରମ୍ଭିକ ଅବସ୍ଥାରେ ପୁରୁଷ ଭଳି ବିବାହ କରିଥିଲେ ମୀରା । ସେତେବେଳେ ସାମାଜିକ ବାଧ୍ୟବାଧକତା ଯୋଗୁଁ ନିଜ ବିଲକ୍ଷଣ ପ୍ରକାଶ କରିପାରିନଥିଲେ । ପରେ ବିବାହ ବିଚ୍ଛେଦ ଘଟିଲା । ଏବେ ତାଙ୍କର ଜଣେ ପୁରୁଷ ସାଥୀ ଅଛନ୍ତି । ସମଲିଙ୍ଗି ସଂପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସେ ନିଜ ପୁରୁଷ ବନ୍ଧୁଙ୍କ ପରିଚୟ ଗୋପନୀୟ ରଖିବାର ବାଧ୍ୟବାଧକତାରୁ ମୁକ୍ତ ହୋଇଥିବା କହିଛନ୍ତି । ଭାରତୀୟ ଚିକିତ୍ସା ବିଜ୍ଞାନର ଚମକ୍ରାରିତା ଯୋଗୁଁ ମୀରାଙ୍କ ପରି ଟ୍ରାନ୍ସଜେଣ୍ଡର ନାରୀ ହୋଇପାରିଛନ୍ତି । ଅବଶ୍ୟ ମୀରା ନାରୀ ପାଲଟିଛନ୍ତି, ମାତ୍ର ଏବେ ବି ଅନେକ ଟ୍ରାନ୍ସଜେଣ୍ଡର ନିଜର ସ୍ୱୀକୃତି ପାଇଁ ଅପେକ୍ଷା କରିଛନ୍ତି । ଆଉ ଦୀର୍ଘ ଦିନର ଲଢେଇ ପରେ ସେମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ଅଧିକାର ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।