ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି; ଘଟଣାର ତଦନ୍ତ ସହ ୨୦ ଲକ୍ଷ ଟଙ୍କା ଦାବି କଲେ ପରିବାର

ସେପଟେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ ଭୁଶୁଡିବା ଘଟଣାରେ ଠିକାଦାର ଅଟକ

406

କନକ ବ୍ୟୁରୋ: ବିମାନବନ୍ଦର ଛାତ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣା । କ୍ଷତିପୁରଣ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କଲେ ମୃତକଙ୍କ ପରିବାର ଲୋକ । ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ପହଂଚି ଏହି ଦାବି କରିଛନ୍ତି । ଛାତ ଭୁଶୁଡ଼ି ବଡମ୍ୱା ଅଂଚଳରର ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କର ମୃତ୍ୟୁ ହୋଇଛି । ଭାଙ୍ଗି ଯାଇଥିବା ଛାତ ତଳେ ଦୀର୍ଘ ୨ ଘଂଟାରୁ ଅଧିକ ସମୟ ଫସି ରହିବାରୁ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଧାନୀ କୁକୁର ଜରିଆରେ ତାଙ୍କୁ ଠାବ କରାଯିବା ପରେ ସମସ୍ତ ଲୁହା ରଡକୁ ବାହାର କରି ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଜଣେ ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚି ଯାଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ନାମ ନବକିଶୋର ସ୍ୱାଇଁ, ଘର ଢେଙ୍କାନାଳ ଅଂଚଳରେ ବୋଲି ଜଣାପଡିଛି । ଟର୍ମିନାଲ ୧ ଓ ଟର୍ମିନାଲ ୨କୁ ସଂଯୋଗ କରିବାକୁ ଏକ ଛାତର ନିର୍ମାଣ ଚାଲିଥିଲା । ଶୁକ୍ରବାର ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ନିର୍ମାଣ କାମ ଚାଲିଥିବା ବେଳେ ଏହା ଭୁଷୁଡି ପଡିଛି । ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ ଶ୍ରମିକ  । ଦୁର୍ଘଟଣା ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫର ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲା ।

ସେପଟେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ ଭୁଶୁଡିବା ଘଟଣାରେ ଠିକାଦାର ଅଟକ । ନିର୍ମାଣ କରୁଥିବା ଦିଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇଙ୍କୁ ଅଟକି ରଖି ଡିସିପିଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ପ୍ରାୟ ୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା । ତିନି ମାସ ହେବ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଗତକାଲି ରାତିରେ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଅଚାନକ ଛାତ ଭୁଶୁଡି ପଡିବାରୁ ଜଣେ ଶ୍ରମିକ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ମୁହଁଫୁଟାଣି ଦେଖାଇଥିଲେ ଦିଲ୍ଲୀପ । ସବୁ ଦୋଷ ଶ୍ରମିକଙ୍କର ବୋଲି ସେ କହିଥିଲେ । ଅନ୍ୟପଟେ ତଦନ୍ତ ପରେ କେଉଁ ପରିସ୍ଥିତିରେ ଏତେ ବଡ ଅଘଟଣ ଘଟିଲା ତାହା ଜଣାପଡିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର  ।