କିମ୍ସ ଉପରେ ୫ କୋଟିର ଜରିମାନା : ବିନା ଅନୁମତିରେ ସିଟ୍ ସଂଖ୍ୟା ବଢ଼ାଇବା ଉପରେ ସୁପ୍ରିମକୋର୍ଟ ଲଗାଇଲେ ଅଙ୍କୁଶ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାର ପ୍ରତିଷ୍ଠିତ ଘରୋଇ ମେଡ଼ିକାଲ କଲେଜ୍ କିମ୍ସ ଉପରେ ଦୃଷ୍ଟାନ୍ତମୂଳକ ଜରିମାନା କରିଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକ ଭିତିଭୂମି ନଥାଇ ସିଟ୍ ସଂଖ୍ୟା ବୃଦ୍ଧି କରିଥିବାରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ-କିମ୍ସ ଉପରେ ୫କୋଟି ଟଙ୍କାର ଜରିମାନା କରାଯାଇଛି । ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି- ୨୦୧୫ ଜାନୁୟରୀ ଶେଷ ସପ୍ତାହରେ ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆ, କିମ୍ସର ଭିତିଭୂମି ଅନୁଧ୍ୟାନ କରିଥିଲେ । ଏହି ଅନୁଧ୍ୟାନକାରୀ ଦଳ ଏମ୍ସିଆଇକୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଅନୁଧ୍ୟାନ ସମୟରେ କିମ୍ସର ଅତି ଖରାପ ଅବସ୍ଥା ସାମ୍ନାକୁ ଆସିଥିଲା । ଏହାପରେ ଏମ୍ସିଆଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କିମ୍ସର ଆଉ ୫୦ ସିଟ୍ ନ ବଢ଼ାଇବାକୁ ସୁପାରିଶ କରିଥିଲା । କିନ୍ତୁ କିମ୍ସ ଆବଶ୍ୟକ ଭିତିଭୂମି କରିପାରିବ ବୋଲି ଯୁକ୍ତି ଦର୍ଶାଇ ଶହେ ବଦଳରେ ୧୫୦ ସିଟରେ ଛାତ୍ରଛାତ୍ରୀଙ୍କ ଆଡମିଶନ୍ କରିଥିଲା । କିନ୍ତୁ ଅନୁଧ୍ୟାନ ବେଳେ ଏହା ଧରାପଡ଼ି ଯାଇଥିଲା । କିମ୍ସ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳି ଥିବା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି ।