ଟଳିଗଲା ପରମାଣୁ ଯୁଦ୍ଧର ସଂକଟ, ସିଙ୍ଗାପୁରରୁ ଆସିଲା ଶାନ୍ତିର ସଂକେତ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କଲେ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍

46

କନକ ବ୍ୟୁରୋ : ସିଙ୍ଗାପୁରରୁ ଆସିଲା ଶାନ୍ତିର ସଂକେତ । ବିଶ୍ୱ ଶାନ୍ତି ପାଇଁ ଆଜି ଦୁଇ ବିଶ୍ୱନେତାଙ୍କ ମଧ୍ୟରେ ହୋଇଛି ଐତିହାସିକ ଆଲୋଚନା । ସିଙ୍ଗାପୁରର ସେଂଟୋସା ଦ୍ୱୀପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତରକୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ମଧ୍ୟରେ ହୋଇଛି ବହୁ ପ୍ରତୀକ୍ଷିତ ଭେଟଘାଟ । କିମ୍ ଜଙ୍ଗଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଶାନ୍ତି ପାଇଁ କିମ୍ ବଡ ପଦକ୍ଷେପ ନେଇଛନ୍ତି । ଉତରକୋରିଆ ତାର ମିସାଇଲ ଟେଷ୍ଟିଂ ସେଂଟର ନଷ୍ଟ କରିବ ବୋଲି କିମ୍ ଜଙ୍ଗ ସାକ୍ଷାତ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀକୁ ବେଖାତିର କରିଆସୁଥିବା ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ସାକ୍ଷାତକୁ ଚାହିଁ ରହିଥିଲା ସାରା ବିଶ୍ୱ । କାରଣ ଗୋଟିଏ ସମୟରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ତିକ୍ତତା ତୃତୀୟ ବିଶ୍ୱଯୁଦ୍ଧର ଭୟ ବଢାଇ ଦେଇଥିଲା । ଆଉ ଏବେ ଦୁଇ ନେତାଙ୍କ ମଧ୍ୟରେ ସିଙ୍ଗାପୁରରେ ସାକ୍ଷାତ ସମଗ୍ର ବିଶ୍ୱକୁ ଦେଇଛି ଶାନ୍ତିର ବାର୍ତା । ସାରା ବିଶ୍ୱର ନଜର ଲାଖିରହିଥିଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ନେତା ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱକୁ ଆଉ ଏକ ଆଣବିକ ଯୁଦ୍ଧ ଆଡକୁ ଟାଣିନେଉଥିବା ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଙ୍କ ସାକ୍ଷାତ ଉପରେ । ଅନେକ ବାଦ ବିବାଦ, କଡା ବୟାନବାଜି ଓ ତିକ୍ତତା ଭିତରେ ଦୁଇ ନେତା ଯେତେବେଳେ ପରସ୍ପର ସହ ହାତ ମିଳାଇଥିଲେ ସମଗ୍ର ବିଶ୍ୱ ଆଶ୍ୱସ୍ତ ହୋଇଥିଲା ଯେ, ଏକ ବଡ ବିପଦ ଟଳିଗଲା । କାରଣ କୌଣସି ଚେତାବନୀକୁ ଭୃକ୍ଷେପ ନକରି ବାରମ୍ବାର ପରମାଣୁ ବୋମାଠାରୁ ଆରମ୍ଭ କରି ହାଇଡ୍ରୋଜେନ ବୋମା ପରୀକ୍ଷଣ କରିଚାଲିଥିଲେ ଲିଟିଲମ୍ୟାନ ଉନ୍ । ହେଲେ ସିଙ୍ଗାପୁରରେ ଟ୍ରମ୍ପଙ୍କ ସହ ୯୦ ମିନିଟର ଆଲୋଚନା ପରେ ସାମ୍ନାକୁ ଆସିଥିଲା ଏକ ସକାରାତ୍ମକ ମିଳିତ ବିବୃତି । ଯେଉଁଥିରେ କୁହାଗଲା..
– କୋରିଆ ଉପଦ୍ୱୀପକୁ ସଂପୂର୍ଣ୍ଣ ଆଣବିକ ଅସ୍ତ୍ରମୁକ୍ତ କରିବାକୁ ରାଜି ଦୁଇଦେଶ
– ଉତ୍ତର କୋରିଆରେ ସମସ୍ତ ଆଣବିକ ଅସ୍ତ୍ର ପରିକ୍ଷଣ କେନ୍ଦ୍ର ବନ୍ଦ କରିବେ ଉନ୍
– ଆମେରିକା ସମସ୍ତ ପରମାଣୁ ଅସ୍ତ୍ର ନଷ୍ଟ କରି ଏଗୁଡିକର ଯାଂଚ କରିବ
– ସବୁ ସର୍ତ୍ତ ପୂରଣ ନହେବା ଯାଏଁ ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଜାରି ରହିବ

ସମଗ୍ର କୋରିଆ ଉପଦ୍ୱୀପକୁ ଆଣବିକ ଅସ୍ତ୍ରମୁକ୍ତ କରିବା ସର୍ତରେ ଆଲୋଚନା ଟେବୁଲକୁ ଆସିବାକୁ ରାଜି ହୋଇଥିଲେ ଆମେରିକା ରାଷ୍ଟ୍ରପତି । କିମ ଜଙ୍ଗ ଉନଙ୍କ ସହ ଆଲୋଚନା ସକାରାତ୍ମକ ହୋଇଥିବା କହିଛନ୍ତି ଟ୍ରମ୍ପ । ସେପଟେ ସମସ୍ତ ପରମାଣୁ ପରିକ୍ଷଣ ସ୍ଥଳ ବନ୍ଦ କରିବା ନିଷ୍ପତିରେ କାଏମ ରହିବେ ବୋଲି କହିଛନ୍ତି ଉତ୍ତର କୋରିଆ ଶାସକ । ଆଲୋଚନା ପରେ କିମ ଜଙ୍ଗ ଉନଙ୍କୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖୁବ କମ ବୟସରେ ସେ ଅନେକ ପ୍ରତିଭାର ଅଧିକାରୀ ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ । କୋରିଆକୁ ବିଶ୍ୱ ପ୍ରଗତି ସହ ଯୋଡିବା ପାଇଁ କିମଙ୍କ ପାଇଁ ଏକ ଐତିହାସିକ ସୁଯୋଗ ଆସିଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ୨୦୧୮ ଜୁନ୍ ୧୨ ତାରିଖର ସିଙ୍ଗାପୁର ସମ୍ମିଟ ଏକ ଐତିହାସିକ ଦିନ ହୋଇ ରହିବ ।