କେବେ ସରିବ ଦାଦନର ଦୁଃଖ? ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ର, ହେଲେ ଟଙ୍କା ମିଳିବ କଣ କିଡନୀ କାଢିନେଲା ମାଲିକ

ଆନ୍ଧ୍ରରେ ଦାଦନଙ୍କ ଉପରେ ଦଲାଲର ଜୁଲମ୍

121

କନକ ବ୍ୟୁରୋ: ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ଅଜାଣତରେ ତାଙ୍କ ଅସ୍ତ୍ରୋପଚାର ହୋଇଗଲା। ଗୁରୁତର ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଲେ। ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଝରାପାଲି ଗାଁରେ। ଝରାପାଲି ଗାଁର ଜପ ସୁନା (୩୫) ଦୁଇମାସ ତଳେ ଅନ୍ୟ ୩ଜଣଙ୍କ ସହିତ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ତେବେ ସେଠାରେ ସେମାନଙ୍କୁ ଅକଥନୀୟ ନିର‌୍ୟାତନା ଦିଆଯାଉଥିଲା। କୌଶଳକ୍ରମେ ଗାଁର ଅନ୍ୟ ୩ଜଣ ଯୁବକ ଫେରି ଆସିଥିଲେ ହେଲେ ଜପ ସେଠାରେ ଫସି ରହିଥିଲେ। ଆନ୍ଧ୍ରରୁ ଜଣେ ଅଜଣା ବ୍ୟକ୍ତି ଟ୍ରେନରେ ବସାଇ ଦେବାରୁ ଜପ ଘରକୁ ଫେରିଛନ୍ତି। ହେଲେ ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିବା ଦେଖା ଦେଇଛି।

ତାଙ୍କ କିଡନି କାଢ଼ି ନିଆଯାଇଥିବା କକାପୁଅ ଭାଇ ରାଜନ ସୁନା ଅଭିଯୋଗ କରିଛନ୍ତି। ଜପ ପରିବାର ଲୋକଙ୍କୁ ଦେଇଥିବା ବୟାନ ଅନୁସାରେ, ତାଙ୍କୁ ଆନ୍ଧ୍ରରେ ପ୍ରବଳ ମାଡ଼ ମରାଯାଇଥିଲେ। ଏଥିରେ ସେ ଅଚେତ ହୋଇ ପଡ଼ିଥିଲେ। ଚେତା ଫେରିବା ପରେ ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିବା ଜାଣିବାକୁ ପାଇଥିଲେ। ଜପଙ୍କ ପେଟରେ ପ୍ଲାଷ୍ଟିକ୍ କ୍ୟାପ୍ ମଧ୍ୟ ଲାଗିଛି। ତୁରନ୍ତ ଘରଲୋକେ ତାଙ୍କୁ ବୁର୍ଲା ମେଡିକାଲକୁ ନେଇଛନ୍ତି। ତେବେ ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ।

ସେପଟେ, ହେମଗିରିର ୧୧ଜଣ ଶ୍ରମିକ ବିଜୟନଗରମ୍ ଇଟାଭାଟିରେ କାମ କରୁଥିଲେ। ଶ୍ରମିକମାନେ ନିଜ ପାରିଶ୍ରମିକ ମାଗିଲେ ମାଲିକ ଦରମା ତ ଦିଅନ୍ତି ନାହିଁ, ଓଲଟି ମାରପିଟ କରିବା ଆରମ୍ଭ କରି ଦେଇଥାଆନ୍ତି। ତେବେ ନିକଟରେ ଇଟାଭାଟିର ମାଲିକକୁ ଜଣେ ଦାଦନ ଶ୍ରମିକ ନିଜ ପାରିଶ୍ରମିକ ମାଗିଥିଲେ। ମାଲିକ ଶ୍ରମିକଙ୍କ ପାରିଶ୍ରମିକ ଦେବା ବଦଳରେ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ।

କେବଳ ଏତିକି ନୁହେଁ ଅନ୍ୟ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ କୌଶଳ କ୍ରମେ ୪ଜଣ ଖସି ଆସିଥିବା ବେଳେ ଅନ୍ୟ ୭ ଜଣ ବନ୍ଧକ ଥିବା ସୂଚନା ମିଳିଛି। ଏସିଡ୍ ମାଡର ଶିକାର ହୋଇଥିବା ଶ୍ରମିକକୁ ଧରି ଅନ୍ୟ ୪ଜଣ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ଗୁରୁତର ଅବସ୍ଥାରେ ଏସିଡ୍ ମାଡ ଶିକାର ହୋଇଥିବା ଶ୍ରମିକକୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।