ଡରାଉଛି ମାରାତ୍ମକ କିଡ଼ନୀ ରୋଗ । ଆଇରନ୍ ଯୁକ୍ତ ପିଇବା ପାଣି ଯୋଗୁଁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ଗ୍ରାମବାସୀ । 

58

କନକ ବ୍ୟୁରୋ: ଜାପାନୀ ଏନସେଫାଲାଇଟିସ ପରେ ଏବେ ମାଲକାନଗିରି ଜିଲ୍ଲାକୁ ଗ୍ରାସ କରିଛି ମାରାତ୍ମକ କିଡନୀ ରୋଗ । ଶହଶହ ସଂଖ୍ୟାରେ କିଡନୀ ରୋଗୀ ଚିକିତ୍ସା ଅଭାବରୁ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି । ଗାଁ ଗଣ୍ଡାରେ ନଳକୁଅରୁ ବାହାରୁ ଥିବା ଆଇରନ ଯୁକ୍ତ ପାଣି ପିଇବାରୁ ରୋଗୀଙ୍କ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ  ଲାଗିଛି । ହେଲେ ଏଯାଏଁ ସେଗୁଡିକ ଚିହ୍ନଟ କରାଯାଇ ବିଶୁଦ୍ଧ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରାଜ୍ୟ ତଥା ଦେଶର ପ୍ରାୟ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲେସିସ ସୁବିଧା ଉପଲବ୍ଧ ହେଉଥିବା ବେଳେ ମାଲକାନଗିରି ଜିଲ୍ଲା ଏ ସୁବିଧାରୁ ବହୁ ଦୁରରେ ।

ଗାଁ ଗାଁରେ କିଡନୀ ରୋଗୀ । ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଛି କିଡନୀ ରୋଗ । କିଏ ବିଛଣାରେ ପଡି ଛଟପଟ ହେଉଛି ତ ଆଉ କିଏ ଡାକ୍ତରଖାନାରେ ଜୀବନମରଣ ସହ ସଂଗ୍ରାମ କରୁଛି । ମାଲକାନଗିରି ଜିଲ୍ଲା ଏମ.ଭି ୮୬ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘରେ ଘରେ କିଡନୀ ରୋଗୀ । ଗତ କିଛି ମାସ ମଧ୍ୟରେ ୪ ଜଣ ରୋଗୀ ଚିକିତ୍ସା ଅଭାବରୁ ପ୍ରାଣ ହରାଇ ଥିବା ବେଳେ ଆଉ କିଛି ରୋଗୀ  ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କୀଡନି ରୋଗ ପାଇଁ ସ୍ଥାନୀୟ ଲୋକ ଆଇରନ ଯୁକ୍ତ ପାନୀୟ ଜଳକୁ ଦାୟୀ କରୁଛନ୍ତି । ଲୌହ ଏବଂ ମାରାତ୍ମକ ଲିଡ ଓ ଆର୍ସେନିକ ଯୁକ୍ତ ପାଣି ବ୍ୟବହାର କରି ଗ୍ରାମବାସୀ ରୋଗରେ ପଡୁଥିବା ଅଭିଯୋଗ ହୋଇଛି ।

ସେପଟେ ସ୍ୱାସ୍ଥ ବିଭାଗର ରିପୋର୍ଟ ଅନୁସାରେ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା, କାଲିମେଳା ଓ ପୋଡିଆ ବ୍ଲକର ୨୦ରୁ ଅଧିକ ଗାଁରେ ୧୦୦ରୁ ଅଧିକ କିଡନୀ ରୋଗୀ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୬-୧୭ ଆର୍ଥିକ ବର୍ଷରେ ୪୨ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ୬୧ଜଣ ରୋଗୀଙ୍କ ପ୍ରାଣ ଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ସୁଧା ୨୫ ଜଣ ରୋଗୀ ମାଲକାନଗିରି ଡାକ୍ତରଖାନାରେ ଆଖି ବୁଜିଲେଣି । ତେବେ ପୁରା ଜିଲ୍ଲାର ତଥ୍ୟ ମାଲକାନଗିରି ସ୍ୱାସ୍ଥ ବିଭାଗ ପାଖରେ ନାହିଁ । ଦେଶରେ କିଡନି ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲେସିସ ସୁବିଧା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସ୍ୱାସ୍ଥ ବିଭାଗ ଘୋଷଣା କରିଛି । ହେଲେ ଏଯାଏଁ ମାଲକାନଗିରି ଜିଲ୍ଲାରେ ଡାଏଲେସିସ ସୁବିଧା ଉପଲବ୍ଧ ହୋଇପାରିନାହିଁ । ସ୍ୱାସ୍ଥ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଅନେକ ଗାଁରେ ଜଳ ନମୁନା ସଂଗ୍ରହ କରାଯାଇ ନଳକୁପରେ ଫିଲ୍ଟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ସମୁଦ୍ରକୁ ସଙ୍ଖେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।