ପ୍ରେମ ଆଗରେ ହଜିଗଲା ଶିଶୁର କଅଁଳ କାନ୍ଦ ! ଗର୍ଲଫ୍ରେଣ୍ଡ ସହ ବିବାହ କରିବାକୁ ନିଜ ତିନି ମାସର ଝିଅକୁ ଅପହରଣ କଲା ବାପା

81

ହଜିଗଲା ମାନବିକତା । ପ୍ରେମିକା ସହ ବିବାହ କରିବା ପାଇଁ ନିଜ ତିନି ବର୍ଷର ଝିଅକୁ ଅପହରଣ କଲା ପ୍ରେମରେ ଅନ୍ଧ ହୋଇଯାଇଥିବା ବାପା । ଆଉ ଏଭଳି ଏକ ଘୃଣ୍ୟ କାମରେ ସହଯୋଗ କରିଥିଲା ସମ୍ପୃକ୍ତ ପ୍ରେମିକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଅପହରଣ କରିବା ପରେ ଦୁଇ ଜଣ ପ୍ରେମିକ ଓ ପ୍ରେମିକା ଝିଅର ଅପହରଣ ନେଇ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଏହି ଘଟଣାର ତୁରନ୍ତ ପର୍ଦ୍ଦାଫାସ କରିଦେଇଥିଲା । ତିନି ମାସର କଅଁଳ ଶିଶୁଟିକୁ ଉଦ୍ଧାର କରିବା ସହ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର କଲନ୍ଦର କଲୋନୀରେ ରହୁଥିବା ଶ୍ୟାମବାବୁ ଓରଫ ଦୀପକ, ନିଜ ଝିଅର ଅପହରଣ ହୋଇଥିବା ସୂଚନା ପୋଲିସକୁ ଦେଇଥିଲେ । ଘଟଣାର ତଦନ୍ତ ପାଇଁ ଏସଏଚଓ ସଞ୍ଜୀବ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଏହା ପରେ ଏହି ମାମଲାର ତଦନ୍ତଭାର ଏସଆଇ ରାକେଶ ମଲିକଙ୍କ ଟିମ୍ କୁ ଦିଆଯାଇଥିଲା । ତେବେ ତଦନ୍ତ ସମୟରେ ଜଣାପଡିଥିଲା ଯେ, ଜଣେ ମହିଳା ସେହି ତିନି ମାସର ଶିଶୁଟିକୁ ନେଇଯାଇଛନ୍ତି ।

ଆଖପାଖ ଅଞ୍ଚଳରେ ମିଳିଥିବା ସୂଚନା ଏବଂ ସେହି ମହିଳାଙ୍କ ଚେହେରାର ସୂଚନା ଆଧାରରେ ଏସଆଇ ରାକେଶ ସମ୍ପୃକ୍ତ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ପୋଲିସକୁ ଦୀପକଙ୍କ ପ୍ରେମିକାଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ଆଉ ଏହା ପରେ ପୋଲିସ ଦୀପକକୁ ତାର ପ୍ରେମିକା ସମ୍ପର୍କରେ ପଚରାଉଚୁରା କରିଥିଲା । ଏବଂ ଦୀପକ କହିଥିଲା ଯେ, ସମ୍ପୃକ୍ତ ମହିଳାଙ୍କ ନାଁ ଲକ୍ଷ୍ମୀ । ତାଙ୍କ ଦୁଇଜଣଙ୍କ ମଧ୍ୟରେ ଅନେକ ସମୟରୁ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଏବେ ସେ ଆଉ ଲକ୍ଷ୍ମୀ ସହ କଥା ହେଉନାହାନ୍ତି ।

ପୋଲିସ ସମ୍ପୃକ୍ତ ମହିଳାଙ୍କ ସମ୍ବନ୍ଧରେ ସମସ୍ତ ତଥ୍ୟ ଏକାଠି କରିଥିଲା । ଆଉ ସେଥିରୁ ଜଣାପଡିଥିଲା ଯେ, ମହିଳାଜଣଙ୍କ ବିବାହିତା ଅଟନ୍ତି । କିନ୍ତୁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ଦିଲଶାଦ ଗାର୍ଡେନରେ ରୁହନ୍ତି । ଲକ୍ଷ୍ମୀଙ୍କୁ ପଚରାଉଚୁରା କରିବା ପାଇଁ ପୋଲିସ ସେଠାରେ ପହଞ୍ଚିଥିଲା । କିନ୍ତୁ ଲକ୍ଷ୍ମୀ ପୋଲିସକୁ ବାଟବଣା କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସର ତଦନ୍ତ ଆଗରେ ଶେଷରେ ହାର ମାନିଥିଲା ଲକ୍ଷ୍ମୀ । ଆଉ ଏହା ପରେ ପୋଲିସକୁ କହିଥିଲା ପୁରା କାହାଣୀ । ପୋଲିସ ଲକ୍ଷ୍ମୀଙ୍କୁ ଗିରଫ କରିବା ସହ ଶିଶୁଟିକୁ ଗାଜିଆବାଦରୁ ଉଦ୍ଧାର କରିଥିଲା ।

ମହିଳାଜଣଙ୍କ କହିଛନ୍ତି ଯେ, ସେ ଦୀପକକୁ ପ୍ରେମ କରୁଥିଲେ । କିନ୍ତୁ ସେ ବିବାହିତା ଥିଲେ ଏବଂ ତାଙ୍କର ୯ବର୍ଷର ଗୋଟିଏ ପୁଅ ମଧ୍ୟ ଥିଲା । ସମୟକ୍ରମେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । କୋର୍ଟରେ ତାଙ୍କର ଡିଭର୍ସ କେସ୍ ମଧ୍ୟ ଚାଲିଛି । ସେପଟେ ଦୀପକ ମଧ୍ୟ ନିଜ ସ୍ତ୍ରୀଙ୍କ ଠାରୁ ଅଲଗା ହେବା ପାଇଁ ନିଜ ତିନି ମାସର ଝିଅକୁ ଅପହରଣ କରିବାର କାହାଣୀ ରଚିଥିଲେ । ମାର୍ଚ୍ଚ ୨୩ ତାରିଖରେ ଦୀପକର ଘରେ ଏକ ପୂଜାର ଆଯୋଜନ କରାଯାଇଥିଲା । ଆଉ ଦୀପକର ସ୍ତ୍ରୀ ସେଥିରେ ବ୍ୟସ୍ତ ଥିଲେ ।

ଆଉ ଠିକ ସେହି ଦିନ ସନ୍ଧ୍ୟାରେ ଲକ୍ଷ୍ମୀ ସେଠାରେ ପହଞ୍ଚିଥିଲେ । ଆଉ ଶିଶୁଟିକୁ ସେଠାରୁ ଉଠାଇ ଆଣିଥିଲେ । ଶିଶୁଟିକୁ ଅପସରା ବର୍ଡର ଦେଇ ଆନନ୍ଦ ବିହାର ଏବଂ ପରେ ଇନ୍ଦିରାପୁରମ ସ୍ଥିତ ଚାମୁଣ୍ଡା ମନ୍ଦିରରେ ପହଞ୍ଚିଥିଲେ । ଆଉ ସେହିଠାରେ ହିଁ ଶିଶୁଟିକୁ ଛାଡିଦେଇ ନିଜ ଘରକୁ ଫେରିଆସିଥିଲେ । ତେବେ ଏହି ଘଟଣାର ପୋଲିସ ଉଭୟ ଦୀପକ ଏବଂ ଲକ୍ଷ୍ମୀଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି । ୨୪ ଘଣ୍ଟା ମଧ୍ୟରେ ହିଁ ପୋଲିସ ଏହି ମାମଲାକୁ ସମାଧାନ କରିଛି ।