ଅପହରଣକାରୀଙ୍କ କବଳରୁ ଖସିଆସିଲେ ୨ ବାଳକ ! କହିଲେ, ଅପହରଣ କାହାଣୀ

25

କନକ ବ୍ୟୁରୋ : ଅପହରଣକାରୀଙ୍କ କବଳରୁ ଖସି ଆସିଲେ ୨ ଛୁଆ । ସୋନପୁରର ୨ ନାବାଳକଙ୍କୁ ବଲାଙ୍ଗୀର ପୁଲିସ ସନ୍ଦେହଜନକ ଭାବେ ଉଦ୍ଧାର କରିଛି । ବିକ୍ରମ ଛକରୁ ୨ ଜଣଙ୍କୁ ଉଦ୍ଧାର କରିଛି ପୁଲିସ । ଅପହୃତ ବାଳକ ଅଭିଷେକର କହିବା ଅନୁସାରେ ସେ ନିଜ ମାମୁ ପୁଅ ଜିନୁ ସହ ଷ୍ଟାଡିୟମକୁ ଖେଳିବା ପାଇଁ ଆସିଥିଲେ । ଏହା ପରେ ଅଚାନକ ତାଙ୍କୁ ପଛପଟୁ କେହି ଧରିପକାଇଥିଲେ । ଏହା ପରେ ସେ କିଛି ଜାଣିପାରିନଥିଲେ । ଆଉ ତା’ପରେ କ’ଣ ଘଟିଥିଲା ସେ ବିଷୟରେ ଉଭୟେ ଅଜ୍ଞ ଥିଲେ ।

ଚେତା ଆସିବା ପରେ ସେମାନଙ୍କୁ ଏକ ଘରେ ବନ୍ଦ କରି ରଖାଯାଇଥିବା ଦେଖିଥିଲେ । ଅଭିଷେକର ହାତ ଗୋଡ ବନ୍ଧା ହୋଇଥିବା ବେଳେ ଜିନୁକୁ ଏକ ବସ୍ତା ଭିତରେ ବନ୍ଦ କରାଯାଇଥିଲା । ଏହା ପରେ ଅଭିଷେକ କୌଶଳ କ୍ରମେ ନିଜ ହାତ ଗୋଡକୁ ଫିଟାଇବା ପରେ ଜିନୁକୁ ବସ୍ତା ଭିତରୁ ଉଦ୍ଧାର କରିଥିଲା । ଏହା ପରେ ସେମାନେ ସେଠୁ ଖସି ଆସିଥିବା ବେଳେ ବିକ୍ରମ ଛକରୁ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ତେବେ କିଏ ଓ କାହିଁକି ସେମାନଙ୍କୁ ଅପହରଣ କରିଥିଲେ ତାହା ଜଣାପଡିନାହିଁ ।