ଭୁଶୁଡ଼ିଲାଣି ରାଜଧାନୀର ସୁରକ୍ଷା ବ୍ୟବସ୍ଥା ! ବେକରେ ଛୁରି ଲଗାଇ ଯୁବତୀଙ୍କୁ ଅପହରଣ ଉଦ୍ୟମ

51

କନକ ବ୍ୟୁରୋ: ବେକରେ ଛୁରି ଲଗାଇ ଯୁବତୀଙ୍କୁ ଅପହରଣ ଉଦ୍ୟମ । ସିସିଟିଭିରେ କଏଦ୍ ହେଲା ଲାଇଭ୍ ଭିଜୁଆଲ । ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଅଂଚଳରେ ଘଟିଛି ଏଭଳି ଘଟଣା । ସହିଦ୍ ନଗର ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ପାଣିଟାଙ୍କି ନକଟରେ ଗତକାଲି ଭୋର ସମୟରେ ହୋଇଥିଲା ଏହି ଅପହରଣ ଉଦ୍ୟମ । ନିଜ ହଷ୍ଟେଲ ଗେଟ୍ ସାମନାରେ ଠିଆ ହୋଇଥିବା ବେଳେ ଏପରି ଅଘଟଣର ଶିକାର ହୋଇଛନ୍ତି ଯୁବତୀ ଜଣକ ।

ଯୁବତୀଙ୍କ କହିବା ଅନୁସାରେ, ସୋମବାର ଭୋରରେ ଯୁବତୀ ଜଣକ ରାୟଗଡାରୁ ଭୁବନେଶ୍ୱରରେ ପହଂଚିବା ପରେ ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଂଚଳରେ ଥିବା ତାଙ୍କ ହଷ୍ଟେଲ ଗେଟ୍ ସମ୍ମୁଖରେ ଠିଆ ହୋଇ ଗେଟ୍ ଖୋଲିବାକୁ କଲିଂ ବେଲ୍ ମାରିଥିଲେ । ଏହି ସମୟରେ ହେଷ୍ଟଲ ସମ୍ମୁଖ ରାସ୍ତାରେ ଜଣେ ଯୁବକ ହେଲମେଟ୍ ପିନ୍ଧି ଏକ ବାଇକରେ ୨ରୁ ୩ ରାଉଣ୍ଡ ଚକ୍କର କାଟିଥିଲେ । ଯୁବତୀଜଣଙ୍କ ଏସବୁକୁ ଧାନ୍ୟ ନଦେଇ ମୋବାଇଲରେ ବ୍ୟସ୍ତ ରହିଥିଲେ ।

ଯୁବତୀଙ୍କ ଏହି ଅନ୍ୟମନସ୍କତାର ସୁଯୋଗ ନେଇ ଯୁବକଜଣଙ୍କ ତାଙ୍କ ବେକରେ ଛୁରି ଲଗାଇ କିଛି ଦୂର ଟାଣିନେଇଥିଲେ । ଯୁବତୀଜଣଙ୍କ ନିଜକୁ ବଂଚାଇବା ପାଇଁ ଚିତ୍କାର କରିବା ସହ ଠେଲାପେଲା କରିବାରୁ ଯୁବକଜଣଙ୍କ ତାଙ୍କୁ ରାସ୍ତାକଡରେ ଥିବା ଏକ ନାଳକୁ ଠେଲି ଦେଇ ବାଇକରେ ଚମ୍ପଟ ମାରିଥିଲେ । ପୂର୍ବରୁ ସେଠାରେ ଥିବା ଏକ କାର ମଧ୍ୟ ତୁରନ୍ତ ଯୁବକଙ୍କ ପଛେ ପଛେ ଘଟଣାସ୍ଥଳରୁ ପଳାଇଯାଇଥିଲା । ଯେଉଁଥିରେ ୩ରୁ ୪ଜଣ ଯୁବକ ବସିଥିବା ଯୁବତୀଜଣଙ୍କ ପୁଲିସ ଆଗରେ କହିଛନ୍ତି ।

ତେବେ ସେମାନେ କିଏ ? କାହିଁକି ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ କଲେ ? ତାହା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଏହି ଘଟଣା ସଂପର୍କରେ ଘରମାଲିକଙ୍କ କହିବା କଥା ଅନୁଯାୟୀ, ଗତ କିଛିଦିନ ହେବ, ରାତି କଥା ଦୂରରେ ଥାଉ, ଦିନବେଳେ ମଧ୍ୟ ଝିଅମାନେ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁନାହାଁନ୍ତି । ସେମାନେ ହଷ୍ଟେଲରୁ ବାହାରକୁ ଯିବା ସମୟରେ କେତେକ ଯୁବକ ତାଙ୍କୁ ପିଛା କରୁଛନ୍ତି । ଏକ ଗାଙ୍ଗ ଏଭଳି ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି ।