କାହାର ହେବ ଖୋର୍ଦ୍ଧା ଗଡ଼ । ବିଜେପି ପାଇଁ ନୋ କନଫ୍ୟୁଜନ୍, ‘ହାତ’କୁ ବଳ ଦେବାକୁ କାହାକୁ ବାଛିବ ଦଳ ? ପ୍ରାର୍ଥୀ ବଦଳାଇବ କି ବିଜେଡି ?

ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ତିନି ଦଳକୁ ଟେନସନରେ ପକାଇଛି ।

712

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ କେବଳ ନିର୍ବାଚନୀ ହାୱା ହିଁ ବହୁଥିବା ଦେଖିବାକୁ ମିଳୁଛି । ତେବେ ରାଜଧାନୀ ନିକଟବର୍ତ୍ତୀ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୧ ଠାରୁ ୨୦୧୪ ମଧ୍ୟରେ ଗୋଟିଏ ଉପନିର୍ବାଚନ ସହ ୧୬ଟି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ ୬ ଥର କଂଗ୍ରେସ ପ୍ରାର୍ଥୀ ଜିତିଥିବା ବେଳେ ୩ଥର ଜନତା ପାର୍ଟି, ୨ଥର ଓଡ଼ିଶା ଜନ କଂଗ୍ରେସ, ୨ ଥର ବିଜେଡି, ୨ଥର ସ୍ୱାଧୀନ ଏବଂ ଥରେ ସିପିଆଇ ବିଜୟ ହାସଲ କରିଛି । ତେବେ ଆସନ୍ତା ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବଷ କଷାକଷି ଆରମ୍ଭ ହୋଇଯାଇଛି । ସେହିଭଳି ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ତିନି ଦଳକୁ ଟେନସନରେ ପକାଇଛି ।

ପୂର୍ବରୁ ୨୦୧୪ ଏବଂ ୨୦୦୯ ନିର୍ବାଚନରେ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାଜନୈତିକ ପାଣିପାଗକୁ ଆକଳନ କଲେ ଜଣାପଡ଼େ ଯେ, ସ୍ୱାଧୀନ ଓ କଂଗ୍ରେସ ପ୍ରାର୍ଥୀଙ୍କ ଭୂମିକା ଏଥର ମଧ୍ୟ ଗୁରୁତ୍ୱ ବହନ କରିବ । ୨୦୦୯ରେ ରାଜେନ୍ଦ୍ର କୁମାର ସାହୁ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବେ ଲଢ଼ି ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ଜ୍ୟୋର୍ତୀନ୍ଦ୍ର ନାଥ ମିତ୍ରଙ୍କ ଠାରୁ ଅଳ୍ପ ଭୋଟ୍ ବ୍ୟବଧାନରେ ବିଜୟ ହୋଇଥିଲେ । ୨୦୧୪ରେ ଉଭୟ ସ୍ୱାଧୀନ ପ୍ରର୍ଥୀ ଦଳ ପରିବର୍ତ୍ତନ କରିଥିଲେ । ରାଜେନ୍ଦ୍ର ସାହୁ ବିଜେଡିରେ ସାମିଲ ହୋଇ ଟିକେଟ୍ ପାଇଥିଲେ । ସେପଟେ ଜ୍ୟୋର୍ତୀନ୍ଦ୍ର ନାଥ ମିତ ବିଜେପିରୁ ଟିକେଟ୍ ପାଇଥିଲେ । କିନ୍ତୁ ରାଜେନ୍ଦ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଜ୍ୟୋର୍ତୀନ୍ଦ୍ର ନାଥ ମିତ୍ରଙ୍କ ଠାରୁ ୬୫୯୭ ଭୋଟରେ ଜିତିଥିଲେ । ବିଜେପିରୁ କଂଗ୍ରେସରେ ଯୋଗଦେଇ ଦିଲିପ ଶ୍ରୀଚନ୍ଦନ ମାତ୍ର ୧୨୨୦୧ ଖଣ୍ଡ ଭୋଟ ପାଇଥିଲେ ।

ବର୍ତମାନ ଖୋର୍ଦ୍ଧାରେ ବିଧାୟକ ରାଜେନ୍ଦ୍ର ସାହୁଙ୍କର ଦଳୀୟ କର୍ମୀଙ୍କ ଉପରେ ଆଗ ଭଳି ପତିଆରା ଦେଖିବାକୁ ମିଳୁନାହିଁ। ତେଣୁ ବିଜେଡିରୁ କୌଣସି ଆଶାୟୀ ସିଧାସଳଖ ଟିକଟ ଲବିରେ ନଥିଲେ ମଧ୍ୟ ବିଧାୟକଙ୍କ ବିରୋଧରେ ଦଳ ମଧ୍ୟରେ ଏକ ଅନ୍ତଃସ୍ରୋତ ରହିଛି । ବର୍ତମାନ ବିଜେଡିର ପୂର୍ବତନ ନଗର ସଭାପତି ଜିତେନ୍ଦ୍ର କୁମାର ପ୍ରଧାନ ଦଳ ମଧ୍ୟରୁ ରାଜେନ୍ଦ୍ର ସାହୁଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ମୈଦାନରେ ଉଭା ହୋଇଛନ୍ତି । ସେହିଭଳି ଏହି ଆସନରୁ ସାଂସଦ ପ୍ରସନ୍ନ ପାଟ୍ଟସାଣୀଙ୍କୁ ବିଧାନସଭା ଲଢିବାନେଇ ଟିକେଟ୍ ମିଳିପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

ସେପଟେ କଂଗ୍ରେସ ତରଫରୁ ସ୍ୱାଗତିକା ପଟ୍ଟନାୟକ, ଯୋଗୀ ବାହୁବଳେନ୍ଦ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ସଂଜୟ ପଟ୍ଟନାୟକ ଆଶାୟୀ ଭାବେ ଉଭା ହୋଇଛନ୍ତି । ତେବେ ସଂଗଠନ ଦୃଷ୍ଟିରୁ କଂଗ୍ରେସ ଆଶାୟୀଙ୍କ ଶକ୍ତି ବିଜେପି ଓ ବିଜେଡିର ଆଶାୟୀଙ୍କ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ରହିଛି। କିନ୍ତୁ କଂଗ୍ରେସ ଏହି ତାଲିକାରୁ କାହାକୁ ପ୍ରାର୍ଥୀ କରି ମୈଦାନକୁ ଛାଡ଼ିବ ତାହା ଉପରେ ନଜର ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ଅପରାଜିତା ଷଡ଼ଙ୍ଗୀଙ୍କ ବିଜେପିରେ ଯୋଗଦାନ ବିଜେପିର ସ୍ଥିତିକୁ ଅନେକାଂଶରେ ଦୃଢ଼ କରିଛି । ତେବେ ତାଙ୍କ ପ୍ରତି ଥିବା ସମର୍ଥନ ଭୋଟରେ କେତେ ପରିମାଣରେ ପରିବର୍ତିତ ହେବ, ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ। ତେବେ ବିଜେପି ପକ୍ଷରୁ ପୁଣି ଜ୍ୟୋତିନ୍ଦ୍ର ମିତ୍ର ଟିକଟ ଲବିରେ ଥିବାବେଳେ କାଳୁଚରଣ ଖଣ୍ଡେଇତରାୟ, ରଶ୍ମି ମହାପାତ୍ର, ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ମଧ୍ୟ ଆଶାୟୀ ରହିଥିବା ଗେରୁଆ କ୍ୟାମ୍ପରେ ଚର୍ଚ୍ଚା ହେଉଛି ।