ଭେଟନ୍ତୁ ନବୀନଙ୍କୁ ଡିଜିଟାଲ କରିଥିବା ବ୍ୟକ୍ତିଙ୍କୁ । ସୋସିଆଲ ମିଡିଆରେ କିଭଳି ଦବଦବା ଦେଖାଇ ଅନ୍ୟଙ୍କୁ ପଛରେ ପକାଇଲେ ନବୀନ? ଏକ୍ସକ୍ଲୁସିଭ ରିପୋର୍ଟ ।

92

ଟ୍ୱିଟରରେ ୧୦ ଲକ୍ଷ ଅନୁଗାମୀଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ନବୀନ ନେତା ନମ୍ବର ୱାନ୍ । ରାଜ୍ୟ ନେତାଙ୍କ ଠାରୁ ଢେର ଆଗରେ ମୁଖ୍ୟମନ୍ତ୍ରୀ । ସାରା ଦେଶରେ ୧୦ ଲକ୍ଷ ସଂଖ୍ୟା ଅତିକ୍ରମ କରିଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ୧୦ମ ସ୍ଥାନରେ ଅଛନ୍ତି । ୨ ବର୍ଷ ଭିତରେ ସମସ୍ତଙ୍କୁ ପଛରେ ପକାଇ ନବୀନ ନୁଆ ଟ୍ରେଣ୍ଡ ସ୍ଥାପନ କରିଛନ୍ତି ।

୨୦୧୪ ନିର୍ବାଚନରେ ସଫଳତାର ଫର୍ମୁଲା ଓଡିଶାକୁ ଏଂଟ୍ରୀ କଲା ୨୦୧୫ରେ । ଯେତେବେଳେ ପ୍ରଥମ ଥର ପାଇଁ ନବୀନ ମାଇକ୍ରୋ ବ୍ଲଗିଂ ସାଇଟକୁ ଆସିଥିଲେ । ମିଡିଆ ଠାରୁ ଦୁରରେ ରହୁଥିବା, ବହୁତ କମ କଥା କହୁଥିବା ତଥା ବିରୋଧୀଙ୍କ ଅଭିଯୋଗ ଅନୁସାରେ ଲୋକଙ୍କ ଠାରୁ ଦୁରେଇ ରହୁଥିବା ନବୀନ କିଭଳି ଆସିଲେ ସୋସିଆଲ ନେଟୱାର୍କକୁ?
ସେପଟେମ୍ବର ୨୦୧୫ରେ ପ୍ରଥମେ ଟ୍ୱିଟର ଜରିଆରେ ସୋସିଆଲ ନେଟୱାର୍କିଂ ସାଇଟକୁ ପ୍ରବେଶ କରିଥିଲେ ନବୀନ । ପ୍ରଥମ ଟ୍ୱିଟ୍ ଥିଲା ଜୟ ଜଗନ୍ନାଥ । ଏହି ସମୟ ବେଳକୁ ଟ୍ୱିଟରରେ ନବୀନଙ୍କ ନାଁରେ ଅନେକ ଫେକ୍ ଆକାଉଂଟ ଖୋଲିଥିଲା । ହେଲେ ଏସମସ୍ତ ଚର୍ଚ୍ଚାର ଅବସାନ ଘଟାଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ଜଣାଇଥିଲା, ଟ୍ୱିଟରରେ ନବୀନ ପଟ୍ଟନାୟକ ଆକାଉଂଟ ଖୋଲିଛନ୍ତି । ଆଉ ଠିକ୍ ୨ ବର୍ଷ ପରେ ୧୦ ଲକ୍ଷ ଅନୁଗାମୀଙ୍କ ସହ ସୋସିଆଲ ମିଡିଆରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଢେର ଆଗରେ ନବୀନ ପଟ୍ଟନାୟକ ।
ହେଲେ ରାସ୍ତା ଏତେ ସହଜ ନଥିଲା । ଏହା ପଛରେ କାମ କରିଥିଲା ଜଣେ ବ୍ୟକ୍ତିଙ୍କ ଅଭିଜ୍ଞତା । ନବୀନଙ୍କୁ ଡିଜିଟାଲ ପ୍ଲାଟଫର୍ମକୁ ଆଣିବା ଉଦ୍ୟମ ପଛର ଉଦ୍ଦେଶ୍ୟ ଥିଲା ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା । କାରଣ, ଧୀରେ ଧୀରେ ଡିଜିଟାଲ ପ୍ଲାଟଫର୍ମର ଗ୍ରହଣୀୟତା ସବୁ ସ୍ତରରେ ବଢୁଥିଲା । ଖାସ କରି ୨୦୧୪ ନିର୍ବାଚନରେ ଯେତେବେଳେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କଲା ତାହା ପଛରେ ଥିଲା ସୋସିଆଲ ମିଡିଆର ସବୁଠାରୁ ବଡ ଅବଦାନ । ଆଉ ଏହାର ପାଖାପାଖି ବର୍ଷକ ପରେ ନବୀନ ଆସିଥିଲେ ଟ୍ୱିଟରକୁ ।
ନବୀନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ଅଗ୍ରଣୀ କରାଇବା ପଛରେ ରହିଛି ସୁଜିତ୍ କୁମାରଙ୍କ ହାତ । ଏବେ ରାଜ୍ୟ ଯୋଜନା ବୋର୍ଡରେ ଓଏସଡି କମ୍ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅଛନ୍ତି ସୁଜିତ କୁମାର । ନବୀନଙ୍କୁ ସୋସିଆଲ ମିଡିଆରେ ଅଧିକ କ୍ରିୟାଶୀଳ କରାଇବାର ଗୁରୁ ଦାୟିତ୍ୱ ଥିଲା ତାଙ୍କ ଉପରେ । ଖାଲି ଏତିକି ନୁହେଁ, ସୋସିଆଲ ମିଡିଆ ସହ ପ୍ରଶାସନକୁ ଯୋଡିବାରେ ମଧ୍ୟ ତାଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ । ଗୋଟିଏ ସମୟ ଥିଲା ଯେତେବେଳେ ବିରୋଧୀ ଅଭିଯୋଗ କରିଥିଲେ, ସାମାଜିକ ସ୍ତରରେ ନବୀନ ଲୋକଙ୍କ ଠାରୁ ଦୁରରେ । ନବୀନଙ୍କ ଏହି ନକରାତ୍ମକ ଭାବମୁର୍ତ୍ତିକୁ ଦୁରେଇବାକୁ ଦାୟିତ୍ୱ ମିଳିଥିଲା ସୁଜିତ କୁମାରଙ୍କୁ । ନିଜର ଏକ ଛୋଟ ଟିମ୍ ନେଇ କାମ ଆରମ୍ଭ କରିଥିବା ସୁଜିତ, ଆଜି ନବୀନଙ୍କୁ ୧ ନମ୍ବର ସ୍ଥାନରେ ପହଂଚାଇ ପାରିଛନ୍ତି ।
ନଜର ପକାନ୍ତୁ ସୁଜିତ କୁମାରଙ୍କ କ୍ୟାରିୟର୍ ଉପରେ । ଏବେ ସେ ରାଜ୍ୟ ଯୋଜନା ବୋର୍ଡରେ କାର୍ଯ୍ୟରତ ଅଛନ୍ତି । ଯୋଜନା କଣ ପ୍ରଣୟନ କରାଯିବ, କିଭଳି ତାକୁ ସଫଳତାର ସହ ରୁପାୟନ କରାଯିବ ତାର ଗୁରୁ ଦାୟିତ୍ୱ ସୁଜିତଙ୍କ ଉପରେ । ପଲିସି ପ୍ଲାନିଂରେ ତାଙ୍କ ଭୁମିକା ମଧ୍ୟ ବେଶ ଗୁରୁତ୍ୱପୁର୍ଣ୍ଣ । ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ ୟୁଏନଡିପିରେ କାମ କରିବାର ଅଭିଜ୍ଞତା ରଖିଛନ୍ତି ସୁଜିତ୍ । ଅକ୍ସଫୋର୍ଡରେ ଏମବିଏ ସାରିବା ପରେ ୱାର୍ଲଡ ଇକୋନୋମିକ ଫୋରମରେ ଗ୍ଲୋବାଲ ଲିଡରଶିପ ଫେଲା ଭାବେ ଯୋଗ ଦେଇଥିଲେ । ହାୱାର୍ଡ ୟୁନିଭର୍ସିଟିର କେନେଡୀ ସ୍କୁଲ(ଏଚକେଏସ)ରେ ଅଧ୍ୟୟନ ପାଇଁ ୱାର୍ଲଡ ଇକୋନୋମିକ ଫୋରମ ଛାଡିଥିଲେ । କନସଲଟିଂ ଫାର୍ମ ଲେକ୍ସମନ୍ତ୍ରାର ଫାଉଣ୍ଡର ମେଂଟର ଥିବା ସୁଜିତ୍ କୁମାର, କଳିଙ୍ଗ କୁସୁମର ମଧ୍ୟ ଅଧ୍ୟକ୍ଷ ଅଛନ୍ତି । କଳାହାଣ୍ଡିରେ ସ୍କୁଲ ଓ କଲେଜ ଶିକ୍ଷା ପରେ ବୁର୍ଲାରେ ଇଂଜିନିୟରିଂ ସାରିଥିଲେ ସୁଜିତ । ଏହାପରେ ତାଙ୍କ କ୍ୟାରିୟରରେ ଯୋଡି ହୋଇଥିଲା ଅକ୍ସଫୋର୍ଡ ଓ ହାଭାର୍ଡ ଭଳି କଲେଜର ନାଁ ।
ସୁଜିତ କୁମାରଙ୍କ ଉଦ୍ୟମ ବଳରେ ନବୀନ ଯେ ଖାଲି ଟ୍ୱିଟରରେ ଯୋଗ ଦେଇଛନ୍ତି ତାହା ନୁହେଁ ବରଂ ସାମାଜିକ ସ୍ତରରେ ନବୀନଙ୍କ ଭାବମୁର୍ତ୍ତିକୁ ବଦଳାଇବାରେ ମଧ୍ୟ ସେ ସମର୍ଥ ହୋଇଛନ୍ତି ।


ଖାସ କରି ପଂଚାୟତ ନିର୍ବାଚନରେ ବିଜେପିର ଜୋରଦାର ପ୍ରଦର୍ଶନ ପରେ ନବୀନଙ୍କୁ ସେ ଆହୁରି ଲୋକଙ୍କ ପାଖରେ ପହଂଚାଇ ପାରିଛନ୍ତି । ନବୀନ ସେଲଫି ନେବାଠାରୁ ଆରମ୍ଭ କରି ପ୍ରସଙ୍ଗ ଭିତ୍ତିରେ କରୁଥିବା ଟ୍ୱିଟ ପଛରେ ମଧ୍ୟ ସୁଜିତ କୁମାରଙ୍କ ସୁଚିନ୍ତିତ ରଣନୀତି ରହିଛି ।
ସେହିଭଳି ସୋସିଆଲ ମିଡିଆର ଗ୍ରହଣୀୟତା ରାଜ୍ୟ ପ୍ରଶାସନିକ ସ୍ତରରେ ମଧ୍ୟ ବଢିଛି । ସବୁ ବିଭାଗ ସୋସିଆଲ ମିଡିଆରେ ଆକଉଂଟ ଖୋଲିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା, ଉପଲବ୍ଧି ଓ ଲୋକଙ୍କ ସମସ୍ୟା ସମାଧାନର ଏକ ବଡ ଉତ୍ସ ପାଲଟିଛି ସୋସିଆଲ ମିଡିଆ । ଖାସ କରି ଫେସବୁକ ଓ ଟ୍ୱିଟରରେ ଆକାଉଂଟ ଖୋଲିବା, ସମସ୍ୟାର ସମାଧାନ କରିବାର ସଂଖ୍ୟା ମଧ୍ୟ ବଢିଛି । ନିକଟରେ ରାଜ୍ୟରେ ଦେଖାଦେଇଥିବା ବନ୍ୟା ସଂକଟ ସମୟରେ ସ୍ୱତନ୍ତ୍ର ରିଲିଫ କମିଶନର ନିଜ ଫେସବୁକ ଆଉ ଟ୍ୱିଟର ଆକାଉଂଟକୁ ଯେଉଁଭଳି ତଥ୍ୟ ଆଦାନ ପ୍ରଦାନର ମାଧ୍ୟମ ଭାବେ ଗ୍ରହଣ କଲେ ତାକୁ ବହୁତ ପ୍ରଶଂସା ମଧ୍ୟ କରାଗଲା ।

ପ୍ରତିଦିନ ପୋଲିସ ନିକଟକୁ ଶହଶହ ସଂଖ୍ୟାରେ ଆସୁଥିବା ଅଭିଯୋଗକୁ ମଧ୍ୟ ସମାଧାନ କରାଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ ସୋସିଆଲ ମିଡିଆର ସଂପୁର୍ଣ୍ଣ ବ୍ୟବହାର ଓଡିଶାରେ ଧୀରେ ଧୀରେ ଦେଖିବାକୁ ମିଳୁଛି ।

ଏବେ ନଜର ପକାନ୍ତୁ ତୁଳନାତ୍ମକ ଚିତ୍ର ଉପରେ । ସୋସିଆଲ ମିଡିଆରେ ଆଜିର ଦିନରେ ଶେହେନସା ବନିଛନ୍ତି ନବୀନ ପଟ୍ଟନାୟକ । ୧୦ ଲକ୍ଷ ଫଲୋଅରଙ୍କ ସହ ନବୀନ ପଟ୍ଟନାୟକ ସମସ୍ତଙ୍କ ଠାରୁ ଆଗରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗାମୀ ସଂଖ୍ୟା ୫ ଲକ୍ଷ ୮୫ ହଜାର ହୋଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କର ଅନୁଗାମୀ ସଂଖ୍ୟା ୩ ଲକ୍ଷ ୧୦ ହଜାର ।

ସାରା ଦେଶରେ ମୁଖ୍ୟମନ୍ତ୍ରୀମାନଙ୍କ ମିଲିୟନ ଫଲୋଅର ତାଲିକାର ୧୦ ନମ୍ବର ସ୍ଥାନରେ ରହିଛନ୍ତି ନବୀନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ୧୨ ମିଲିୟନ ଫଲୋଅର ଥିବା ବେଳେ ମନୋହର ପାରିକଙ୍କର ୪.୨ ମିଲିୟନ୍, ଶିବରାଜ ସିଂ ଚୈାହ୍ୱାନ ୩.୫ ମିଲିୟନ୍, ଚନ୍ଦ୍ରବାବୁ ନାଇଡୁଙ୍କର ୨.୭ ମିଲିୟନ୍, ଦେବେନ୍ଦ୍ର ଫଡନାଭିସଙ୍କର ୨.୨ ମିଲିୟନ୍, ବସୁନ୍ଧରା ରାଜେଙ୍କର ୨ ମିଲିୟନ୍, ନୀତିଶ କୁମାରଙ୍କ ୧.୯ ମିଲିୟନ୍, ରମଣ ସିଂଙ୍କର ୧.୨ ମିଲିୟନ୍, ଯୋଗୀ ଆଦିତ୍ୟନାଥଙ୍କର ୧ ମିଲିୟନ ଫଲୋଅର ଅଛନ୍ତି ।
ତେବେ ନବୀନଙ୍କର ଫଲୋଅରଙ୍କୁ ନେଇ ବିବାଦ ମଧ୍ୟ ଜୋର ଧରିଥିଲା ।(ନବୀନଙ୍କ ଟ୍ୱିଟର୍ ଅନୁଗାମୀ ଫେକ୍ !) ଅଗଷ୍ଟ ୨୦୧୭ରେ ନବୀନଙ୍କ ଟ୍ୱିଟର ଅନୁଗାମୀ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିବା ପରେ ଏହାକୁ ନେଇ ଆପତ୍ତି ଉଠାଇଥିଲା ବିଜେପି । କହିଥିଲା ରୋବୋଟ ଦ୍ୱାରା ଆଇଡି ଜେନେରେଟ କରାଯାଇ ନବୀନଙ୍କ ଅନୁଗାମୀ ସଂଖ୍ୟା ବଢାଇଯାଇଛି । ଦଳ କହିଥିଲା ଚଂଚକତା କରି ନବୀନଙ୍କ ଫଲୋଅର ସଂଖ୍ୟା ବଢାଯାଇଥିଲା ହେଲେ ଏନଗେଜମେଂଟ ରେଟ ଖୁବ କମ ବୋଲି ଦଳ ତଥ୍ୟ ରଖିଥିଲା । ଜବାବ ରଖି ବିଜେଡି କହିଥିଲା, ଦଳ ତରଫରୁ କାହାକୁ ଅଥ ଦେଇ ବା କେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇ ଏଭଳି କାର୍ଯ୍ୟକ୍ରମ କରାଯାଇଛି ବୋଲି ଯେଉଁ ଅଭିଯୋଗ ଆସିଛି ଏହା ସତ୍ୟ ନୁହେଁ । ନରେନ୍ଦ୍ର ମୋଦିଙ୍କ ଆକାଉଂଟରେ ମଧ୍ୟ ଫେକ୍ ଫଲୋଅର ଅଛନ୍ତି । ହେଲେ ଏହାରି ଭିତରେ ବିବାଦ ଢେର ପଛରେ ରହିଛି ଆଉ ନବୀନ ପଟ୍ଟନାୟକ ୧୦ ଲକ୍ଷ ଅନୁଗାମୀଙ୍କ ସହ ୧ ନମ୍ବର ସ୍ଥାନରେ ଅଛନ୍ତି ।
ନବୀନଙ୍କ ଟ୍ୱିଟରରେ କେବଳ ବ୍ୟକ୍ତିଗତ ପେଜ୍ ନାହିଁ ବରଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମଧ୍ୟ ଅଫିସିଆଲ ପେଜ୍ ରହିଛି । ଲୋକଙ୍କ ଅଭିଯୋଗର ଶୁଣାଣି ଆଉ ସମାଧାନ ଦିଗରେ ଏହି ପେଜ୍ କାର୍ଯ୍ୟ କରିଥିବା ଅନେକ ନଜିର ମଧ୍ୟ ରହିଛି ।

କେବଳ ସରକାରରେ ନୁହେଁ ବରଂ ଦଳୀୟ ସ୍ତରରେ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର ଉପରେ ଜୋର ଦେଇଛନ୍ତି ନବୀନ । ସୋସିଆଲ ମିଡିଆ କର୍ମଶାଳା କରି ଦଳୀୟ ନେତାଙ୍କୁ ଏଥିପାଇଁ ମନ୍ତ୍ର ଦେଇଛନ୍ତି ନବୀନ । ମନ୍ତ୍ରୀମଣ୍ଡଳରେ ଅନେକ ନେତା ଏବେ ସୋସିଆଲ ମିଡିଆରେ ବେଶ ସକ୍ରିୟ ହୋଇଛନ୍ତି । ପ୍ରତିଦିନର କାର୍ଯ୍ୟକଳାପ ବାବଦରେ ଅପଡେଟ କରୁଛନ୍ତି ଏଥିସହ ଲୋକଙ୍କ ସହ ପ୍ରତ୍ୟେକ ଦିନ ସଂପର୍କରେ ମଧ୍ୟ ରହୁଛନ୍ତି ।
ଏବେ ନଜର ପକାନ୍ତୁ ଫେସବୁକ ତଥ୍ୟ ଉପରେ । ମେ ୨୦୧୬ରେ ନବୀନ ପଟ୍ଟନାୟକ ଫେସବୁକରେ ପେଜ୍ ଖୋଲିଥଲେ । ରଥଯାତ୍ରାର ଗୋଟିଏ ଫୋଟୋ ପୋଷ୍ଟ କରିବା ସହ ନବୀନ ପ୍ରଥମେ ଲେଖିଥିଲେ ଜୟ ଜଗନ୍ନାଥ । ଆଜିର ଦିନରେ ୧ ଲକ୍ଷ ୮୬ ହଜାର ଫେସବୁକ ବ୍ୟବହାରକାରୀ ନବୀନଙ୍କ ପେଜକୁ ଲାଇକ୍ କରିଛନ୍ତି । ହେଲେ ଫେସବୁକରେ ଅନ୍ୟ ମାନଙ୍କ ତୁଳନାରେ ପଛରେ ରହିଛନ୍ତି ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପେଜକୁ ୯ ଲକ୍ଷ ୬୩ ହଜାର ଲୋକ ଲାଇକ୍ କରିଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ପେଜକୁ ଲାଇକ୍ କରିଛନ୍ତି ୧୪ ଲକ୍ଷ ୨୯ ହଜାର ।
ବଡ କଥା ହେଉଛି, ନବୀନଙ୍କୁ ଡିଜିଟାଲ କରାଇଥିବା ଏହି ପୁରା ଟିମ୍ ସବୁବେଳେ ପରଦା ପଛର ନାୟକ ଭାବେ କାର୍ଯ୍ୟ କରିଛନ୍ତି । ତଥ୍ୟ, ରାଜ୍ୟ ସରକାରଙ୍କ ନୁଆ ଯୋଜନା, ଶୁଭେଛା, ଭିଡିଓ, ସରକାରୀ ସ୍ତରରେ ଆଲୋଚନା ଏବେ ନିୟମିତ ନବୀନଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସ୍ଥାନ ପାଉଛି ।


ବିଜେପି ମଧ୍ୟ ଏହି ଫଣ୍ଡାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛି । ଆଗାମୀ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆର ଫାଇଟ ଯଥେଷ୍ଟ ଗୁରୁତ୍ୱ ବହନ କରିବା ଏକ ପ୍ରକାରର ସ୍ପଷ୍ଟ । କାରଣ, ଆଜିର ଦିନରେ ସୋସିଆଲ ମିଡିଆର ବ୍ୟବହାର ସବୁ ସ୍ତରରେ ବଢିବା ସହ ଯୁବଗୋଷ୍ଠୀ ମଧ୍ୟରେ ଏହାର ଗ୍ରହଣୀୟତା ଶୀର୍ଷରେ । ତେଣୁ ସୋସିଆଲ ମିଡିଆକୁ ବ୍ୟବହାର କରି ଯିଏ ସମାଜର ସବୁ ବର୍ଗଙ୍କୁ ଛୁଇଁପାରିବ, ସିଏ ନିର୍ବାଚନ ସମୟରେ ଆଗରେ ରହିବ ବୋଲି ଚର୍ଚ୍ଚା ହେଉଛି ।