ହକି ତାରକା ସର୍ଦ୍ଦାର ସିଂ ଓ ଦିବ୍ୟାଙ୍ଗ ଆଥଲେଟ୍ ଦେବେନ୍ଦ୍ର ଝାଝାରିଆ ପାଇବେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରଷ୍କାର ! ଚେତେଶ୍ୱର, ହରମନପ୍ରିତଙ୍କ ସହ ୧୭ ଜଣଙ୍କୁ ଅର୍ଜୁନ ସମ୍ମାନ

49

କନକ ବ୍ୟୁରୋ : ହକି ତାରକା ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ ଏବଂ ଦିବ୍ୟାଙ୍ଗ ଜାଭେଲିନ୍‌ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି । ଗୁରୁବାର ଅବସରପ୍ରାପ୍ତ ବିଚାରପତି ସିକେ ଠକ୍କରଙ୍କ ଅଧ୍ୟକ୍ଷତାରେ ଗଠିତ ପୁରସ୍କାର ମନୋନୟନ ସମିତି ଖେଳରତ୍ନ ପାଇଁ ଏହି ଦୁଇ ଜଣଙ୍କୁ ନାମ ସାଙ୍ଗକୁ ଅର୍ଜୁନ ପୁରସ୍କାର ପାଇଁ ୧୭ ଜଣଙ୍କ ନାମ ବାଛି କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଇ ଦେଇଛି ।

ଖେଳରତ୍ନ ପାଇଁ ଦୁଇ ଜଣଙ୍କୁ ସମିତି ବାଛିଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ପାରାଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ଜିତିଥିବା ଝାଝାରିଆ ପ୍ରଥମ ପସନ୍ଦ ଥିଲେ । ୩୬ ବର୍ଷ ବୟସ୍କ ଝାଝାରିଆ ୨୦୦୪ ଏଥେନ୍ସ ଏବଂ ଗତବର୍ଷ ରିଓ ପାରାଲିମ୍ପିକ୍ସ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ଉଭୟ ଥର ନୂଆ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଥିଲେ । ଏହା ବ୍ୟତୀତ ସେ ମଧ୍ୟ ୨୦୧୩ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଭଳି ସଫଳତା ଯୋଗୁଁ ତାଙ୍କୁ ସମିତି ପ୍ରଥମ ପସନ୍ଦ ଭାବେ ବାଛିଥିଲା ବେଳେ ଭାରତୀୟ ହକି ଦଳର ମଧ୍ୟଭାଗ ଖେଳାଳି ସର୍ଦ୍ଦାରଙ୍କୁ ଦ୍ୱିତୀୟ ପସନ୍ଦ ଭାବେ ବାଛିଥିଲେ ।

ଆନ୍ତର୍ଜାତିକ ହକିରେ ଭାରତକୁ ସ୍ଥିର ପ୍ରଦର୍ଶନ ଦେବାରେ ସର୍ଦାରଙ୍କ ଭୂମିକା ପ୍ରଶଂସନୀୟ ବୋଲି ସମିତି ଅନୁଭବ କରିଥିଲା । ୩୧ ବର୍ଷ ବୟସ୍କ ସର୍ଦାର ବିଶ୍ୱ ହକିରେ ଜଣେ ଦକ୍ଷ ମଧ୍ୟଭାଗ ଖେଳାଳି ଭାବେ ସୂନାମ ଅର୍ଜନ କରିଛନ୍ତି । ସେ ମଧ୍ୟ ସର୍ବକନିଷ୍ଠ ଖେଳାଳି ଭାବେ ଭାରତୀୟ ହକି ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୮ ସୁଲ୍‌ତାନ ଆଜ୍‌ଲାନ୍‌ ଶାହା କପ୍‌ରେ ସର୍ଦାର ଦଳର ନେତୃତ୍ୱ ଭାର ଗ୍ରହଣ କଲାବେଳେ ସର୍ବକନିଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ସର୍ଦ୍ଦାର ପୂର୍ବରୁ ୨୦୧୫ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇଥିଲେ । ସର୍ଦ୍ଦାର ଦୁଇ ଥର ଏସୀୟ କ୍ରୀଡ଼ା ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ତାଙ୍କ ନେତୃତ୍ୱରେ ଭାରତ ୨୦୧୪ ଇଞ୍ଚିଅନ୍‌ କ୍ରୀଡ଼ାରେ ସ୍ୱର୍ଣ୍ଣ ଏବଂ ୨୦୧୦ ଗୁଆଙ୍ଗଜୁ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିଲା । ସେ ମଧ୍ୟ ଆନ୍ତର୍ଜାତିକ ହକି ସଂଘର ଅଲ୍‌ଷ୍ଟାର୍‌ ଦଳରେ ଦୁଇ ଥର (୨୦୧୦ ଓ ୨୦୧୧) ସାମିଲ ହୋଇଥିଲେ । ଉଭୟ ଝାଝାରିଆ ଓ ସର୍ଦ୍ଦାର ଯୁଗ୍ମ ଭାବେ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇବାକୁ ଯୋଗ୍ୟ ବୋଲି ସମିତି କହିଛି ।

ତେବେ ଉଭୟ ପାଇବେ ନା ଦୁହିଁଙ୍କ ମଧ୍ୟରୁ ଜଣେ ପାଇବେ ତାହାଉପରେ କ୍ରୀଡ଼ା ମନ୍ତ୍ରଣାଳୟ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସମିତି କହିଛି । ଆଉ ମନୋନୟନ ସମିତିର ସୁପାରିସରେ ଚୂଡାନ୍ତ ମୋହର ବାଜିଲେ ଝାଝାରିଆ ରାଜୀବ ଗାନ୍ଧୀ ଖେଳରତ୍ନ ପାଇବାରେ ପ୍ରଥମ ପାରାଲିମ୍ପିଆନ୍‌ ହେବାର ଗୌରବ ବହନ କରିବେ ।

ଖେଳରତ୍ନ ପୁରସ୍କାର ବ୍ୟତୀତ ମନୋନୟନ ସମିତି ଅର୍ଜୁନ ପୁରସ୍କାର ପାଇଁ ୧୭ ଜଣିଆ ତାଲିକା ଘୋଷଣା କରିଛି । ସେଥିରେ ପୁରୁଷ ଟେଷ୍ଟ କ୍ରିକେଟର୍‌ ଚେତେଶ୍ୱର ପୂଜାରା, ମହିଳା କ୍ରିକେଟ୍‌ ବିଶ୍ୱକପ୍‌ ଦଳର ତାରକା ହର୍‌ମନ୍‌ପ୍ରୀତ୍‌ କୌର୍‌, ପାରାଲିମ୍ପିକ୍‌ ପଦକ ବିଜେତା ମାରିୟାପାନ୍‌ ଥାଙ୍ଗାଭେଲୁ ଓ ବରୁଣ ଭଟ୍ଟୀ, ଗଲ୍‌ଫର ଏସ୍‌ଏସ୍‌ପି ଚୌରାସିଆ, ହକି ତାରକା ଏସ୍‌ଭି ସୁନିଲ, ତୀରନ୍ଦାଜ୍‌ ଭିଜେ ସୁରେଖା, ଦୌଡ଼କୁଦ ତାରକା ଖୁସ୍‌ବୀର କୌର ଓ ଆରୋକିନ୍‌ ରାଜୀବ, ବାସ୍କେଟ୍‌ବଲ୍‌ ଖେଳାଳି ପ୍ରଶାନ୍ତି ସିଂହ, ମୁଷ୍ଟିଯୋଦ୍ଧା ଏଲ୍‌ ଦେବେନ୍ଦ୍ର ସିଂହ, ମହିଳା ଫୁଟ୍‌ବଲ୍‌ ଖେଳାଳି ଓଇନାମ୍‌ ବେମ୍‌ବେମ୍‌ ଦେବୀ, କବାଡ଼ି ଖେଳାଳି ଜସ୍‌ବୀର ସିଂହ, ବନ୍ଧୁକଚାଳକ ପିଏନ୍‌ ପ୍ରକାଶ, ଟେବୁଲ ଟେନିସ୍‌ ତାରକା ଏ ଅମଲ୍‌ରାଜ୍‌, ଟେନିସ୍‌ ଖେଳାଳି ସାକେତ ମିନେନି, କୁସ୍ତି ଯୋଦ୍ଧା ସତ୍ୟବ୍ରତ କାଡିଆଁ ସାମିଲ ହୋଇଛନ୍ତି ।