ଚା’ ଖଟିରେ ହଟ୍ ଟପିକ ! କାହା ନେତୃତ୍ୱରେ ଲଢିବ ବିଜେପି, ଦ୍ୱନ୍ଦରେ କର୍ମୀ । ୬ରେ ପହଞ୍ଚିଲାଣି ମୁଖ୍ୟମନ୍ତ୍ରୀ ତାଲିକା!

1,044

କନକ ବ୍ୟୁରୋ : ୨୦୧୯ ପାଇଁ ଏବେ ଆକ୍ସନ ମୋଡରେ ରାଜ୍ୟ ବିଜେପି । ରାମ ମନ୍ଦିର ପାଖ ଅଫିସରେ କବାଟ କିଳା ଆଲୋଚନା ସହ ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଯେଉଁଥିରେ ଜୀବନ୍ୟାସ ଦେବାକୁ ଆସନ୍ତା ୨୪ ତାରିଖରେ ଓଡିଶା ଆସିବେ ମୋଦି । ଯେଉଁଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗେରୁଆ କ୍ୟାମ୍ପ । ଅନ୍ୟ ଦଳରୁ ନେତା ଆମଦାନୀ ସହ ବଡ ବଡ ଚେହେରାଙ୍କୁ ଦଳରେ ମିଶାଇ ଆଗକୁ ବଢୁଛି ରାଜ୍ୟ ବିଜେପି । ତେବେ ୨୦୧୯ ନିର୍ବାଚନ ପାଇଁ ଏବେ ଢେର ଦିନ ବାକି ଥିବା ବେଳେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଏବେ ହଟ୍ ଟପିକ ଭାବେ ଉଭା ହୋଇଛି । ଖଟିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବିଜେପିର ଏହି ମୁଖ୍ୟମନ୍ତ୍ରୀ ତାଲିକାରେ ୫ରୁ ୬ ଜଣଙ୍କ ନାଁ ରହିଛି । ଯେଉଁମାନେ କେହି କାହାରି ଠାରୁ କମ୍ ନୁହଁନ୍ତି । ଏପରିକି ବିଜେପି କାହା ନେତୃତ୍ୱରେ ଓଡିଶାରେ ଲଢିବ ତାହା ଏବେ କର୍ମୀଙ୍କୁ ଶଙ୍କାରେ ପକାଇଥିବା ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜେପି ପାଇଁ ଅଡୁଆ ସାଜିବ ବୋଲି ଲୋକେ କହୁଛନ୍ତି ।

ଗେରୁଆ ଶିବିରରେ ଏବେ ଘଡିକେ ଘୋଡା ଛୁଟୁଛି । ନିର୍ବାଚନ ନ ହେଉଣୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଏବେ ରେସ୍ ଆରମ୍ଭ ହୋଇଛି । କାରଣ ବିଜେପିରେ ଏବେ କର୍ମୀ କମ ଆଉ ନେତା ଅଧିକ ହୋଇଗଲେଣି ବୋଲି ଚା’ ଖଟିରେ ଚର୍ଚ୍ଚା ହେଉଛି । ଆଇଏଏସ ଚାକିରି ଛାଡି ପଦ୍ମ ପୋଖରୀରେ ଅପରାଜିତା ବୁଡ ମାରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରା ବିନା ପତ୍ର ହଲୁନଥିବା ରାଜ୍ୟ ବିଜେପିରେ ଏବେ ଅପରାଜିତା ଅଦିନିଆ ଝଡ ନେଇ ଆସିଛନ୍ତି । ଅପରାଜିତା ଦଳରେ ମିଶିବା ସହ ଆରମ୍ଭ ହୋଇଛି ଚର୍ଚ୍ଚା । ଅପରାଜିତା ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତୃଣମୂଳ ସ୍ତରର କର୍ମୀଙ୍କ ମୁହଁରୁ ଏଭଳି କଥା ଶୁଣିବାକୁ ମିଳୁଛି ।

Dharmendra Pradhanଅପରାଜିତାଙ୍କୁ ନେଇ ଚର୍ଚ୍ଚା ହେବନି ବା କେମିତି । ଦିଲ୍ଲୀ ଦରବାରରେ ଦଳର ମୁଖିଆଙ୍କ ଉପସ୍ଥିତିରେ ପଦ୍ମ ଧରିଥିବା ଅପରାଜିତା କାଳେ ଦିଲ୍ଲୀରୁ ଅଭୟବାଣୀ ପାଇ ପଲ୍ଲୀ ଆସିଛନ୍ତି ବୋଲି ଗେରୁଆ କ୍ୟାମ୍ପରେ ଚର୍ଚ୍ଚା ହେଉଛି । ଏପରିକି ଅପରାଜିତାଙ୍କୁ ସୋସିଆଲ ମିଡିଆରେ ଏଭଳି ଭାବେ ଚିତ୍ରଣ କରାଯାଉଛି ଯେପରି ସେ ହିଁ ଓଡିଶା ବିଜେପିର ସର୍ବେସର୍ବା । ବିଜେପି କ୍ୟାମ୍ପରେ ଅପରାଜିତାଙ୍କ ଏଣ୍ଟ୍ରି ପରେ ଏବେ ଧର୍ମେନ୍ଦ୍ର ବ୍ୟାକଫୁଟକୁ ଚାଲିଯାଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଅପରାଜିତାଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ଧର୍ମେନ୍ଦ୍ରଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କହିବାକୁ ପଛାଇ ନାହାନ୍ତି ଜୁଏଲ ଓରାମ । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢିବାକୁ ଇସାରା ମଧ୍ୟ ଦେଇଛନ୍ତି ଜୁଏଲ ।

ଏତିକିରେ ସରିନି ବିଜେପିର ମୁଖ୍ୟମନ୍ତ୍ରୀ ଚର୍ଚ୍ଚା । ଗେରୁଆ ଦଳର ଫାୟାର ବିଗ୍ରେଡ ନେତା ପ୍ରତାପ ଷଡଙ୍ଗୀଙ୍କ ମତରେ ଦଳରେ ରହିଛନ୍ତି ପୁଳା ପୁଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏସବୁ ବାଦ୍ ବିଜେପି ଦଳରେ ଅନେକ ପୁରୁଖା ନେତା ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଚର୍ଚ୍ଚା ହେଉଛି । ଆଦିବାସୀ ଚେହେରା ଭାବେ ଜୁଏଲ ଓରାମଙ୍କ ନାଁ ସାମ୍ନାକୁ ଆସୁଥିବା ବେଳେ ଦୃଢ ସଙ୍ଗଠକ ଭାବେ ପ୍ରତାପ ଷଡଙ୍ଗୀଙ୍କ ନାଁ ମଧ୍ୟ ଏହି ରେସରେ ରହିଥିବା ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତୀତ ଦୀର୍ଘ ଦିନ ହେବ ଚୁପ୍ ବସିଥିବା କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ମଧ୍ୟ ପଛରେ ନାହିଁ । ଏହାଛଡା ଆଗାମୀ ଦିନରେ ବୈଜୟନ୍ତ ପଣ୍ଡା ପଦ୍ମ ପୋଖରୀରେ ଲମ୍ପ ମାରିବେ ବୋଲି ଚର୍ଚ୍ଚା ହେଉଛି । ଯଦି ବୈଜୟନ୍ତ ପଦ୍ମ ଧରନ୍ତି ତେବେ ବିଜେପିର ମୁଖ୍ୟମନ୍ତ୍ରୀ ତାଲିକାରେ ଆଉ ଏକ ନାଁ ମଧ୍ୟ ଯୋଡି ହୋଇଯିବ ବୋଲି ଚର୍ଚ୍ଚା ହେଉଛି । କାରଣ ବୈଜୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଅନେକ ସମୟରେ ଚର୍ଚ୍ଚା ହୁଏ । ତେଣୁ ଏମିତି ମୋଫତରେ ବୈଜୟନ୍ତ ବିଜେପି କ୍ୟାମ୍ପକୁ ଏଣ୍ଟ୍ରି ମାରିବେ ତାହା ସମ୍ଭବ ନୁହେଁ ।

ବିଜେପିର ମୁଖ୍ୟମନ୍ତ୍ରୀ ତାଲିକା ଯେତିକି ଲମ୍ବିବ ଦଳ ପାଇଁ ଅଡୁଆ ମଧ୍ୟ ସେତିକି ବଢିବ ବୋଲି ଚର୍ଚ୍ଚା ହେଉଛି । ବେଶି ଲୋକରେ ମୂଷା ମରେନାହିଁ ଓଡିଆରେ ଏଭଳି ଏକ ଲୋକକଥା ଏବେ ବିଜେପି ପାଇଁ ସମ୍ପୂର୍ଣ୍ଣ ଫିଟ୍ ବୋଲି ଲୋକେ କହୁଛନ୍ତି । କାରଣ ବିଜେପିରେ କର୍ମୀ କମ ନେତା ଅଧିକ ହେଲେଣି । ଏପରିିକି କାହା ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ତାହା କର୍ମୀଙ୍କୁ ଦ୍ୱିଧାରେ ପକାଇଛି । ବାସ୍ତବରେ ବିଜେପିର ସର୍ଦ୍ଦାର କିଏ ତାହା ଏବେ ରହସ୍ୟ ଘେରରେ । ଆଉ ଏସବୁ ଭିତରେ ଆଗାମୀ ଗ୍ରୀଷ୍ମ ଋତୁର ଡହଡହ ଖରାରେ ହେବାକୁ ଥିବା ୨୦୧୯ ନିର୍ବାଚନରେ ପଦ୍ମ ପୋଖରୀ ଶୁଖିଯିବ ନା ସେଥିରେ ପଦ୍ମ ଫୁଟିବ ତାହା ଦେଖିବା ବାକି ରହିଲା ।