‘ହାତ’ ଛିଣ୍ଡାଇଦେଲା ‘ପଦ୍ମ’ ପାଖୁଡ଼ା, ଭୁଶୁଡ଼ିଲା ବିଜେପି ଗଡ଼ । ଆସିଲା କି କଂଗ୍ରେସର ଅଛେ ଦିନ୍…ଖଟିରେ ଚର୍ଚ୍ଚା
ସାରା ଦେଶରେ ବିଜେପି ମ୍ୟାଜିକକୁ ଫିକା କରିଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ।
କନକ ବ୍ୟୁରୋ: ଯେଉଁ ସରକାର କେନ୍ଦ୍ରରେ ତିନ ତଲାକ ନେଇ ଅଧିକ ଗୁରୁତ୍ୱ ଦେଉଥିଲେ ତାଙ୍କୁ ଆଜି ମିଳିଛି ତିନ୍ ତଲାକ । ଏଭଳି ଚର୍ଚ୍ଚା ଗତକାଲିର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନୀ ଫଳାଫଳ ପରେ ଚର୍ଚ୍ଚା ଜୋର ଧରିଛି । ସାରା ଦେଶରେ ବିଜେପି ମ୍ୟାଜିକକୁ ଫିକା କରିଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ଆଉ ବିଜେପି ଶାସିତ ରାଜ୍ୟରୁ ପଦ୍ମ ପାଖୁଡ଼ାକୁ ଖସାଇ ହାତକୁ ଉଠାଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଏଭଳିକି ୫ଟି ରାଜ୍ୟ ମଧ୍ୟରୁ ୩ଟିରେ ବିଜେପିକୁ ଚିତ୍ ପଟାଙ୍ଗ କରିଦେଇଛନ୍ତି ରାହୁଲ ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟ ଉପରେ ଥିଲା ସମସ୍ତଙ୍କ ନଜର ଏବଂ ଏହାକୁ ସେମିଫାଇନାଲ ଭାବେ ଆକଳନ ମଧ୍ୟ କରାଯାଉଥିଲା । ବିଜେପି ପାଇଁ ଏହି ନିର୍ବାଚନ ଫଳାଫଳ ଆତ୍ମସମ୍ମାନ କଥା ଥିବାବେଳେ କଂଗ୍ରେସ ପାଇଁ ଥିଲା କର ବା ମର ସ୍ଥିତି । କାରଣ ଆଗକୁ ୨୦୧୯ ନିର୍ବାଚନ ଫାଇନାଲ ଲଢ଼େଇରେ ବିଜେପିର ବିଜୟଧାରାରେ ଲଗାମ ଲଗାଇ ‘ହାତ’କୁ ଉଠାଇବା ପାଇଁ କଂଗ୍ରେସର ଲକ୍ଷ୍ୟ ଥିଲା । ଏବଂ ତାହା ହିଁ କରିଦେଖାଇଲେ କଂଗ୍ରେସ ଯୁବରାଜ । ଗତକାଲିର ଫଳାଫଳ ପରେ ବିଜେପିକୁ ୫ଟି ରାଜ୍ୟ ମଧ୍ୟରୁ ୩ଟି ବିଜେପି ଶାସିତ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭୋଟରମାନେ ପ୍ରତ୍ୟାଖ୍ୟାନ କରିବାପରେ ବିଜେପିକୁ ଏହା ତିନ ତଲାକ ମିଳିଛି ବୋଲି ଚା’ଖଟିର ହଟ୍ ଟପିକ୍ ପାଲଟିଛି ।
ବିଜେପି ଶାସିତ ରାଜ୍ୟରେ ଯେଉଁ ଦମ୍ଭ ଦେଖାଉଥିଲା ବିଜେପି ତାହାକୁ ଶକ୍ତ ଝଟକା ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଏହି ୩ଟି ରାଜ୍ୟରେ ରାଜ୍ କରୁଥିବା ମୁଖିଆଙ୍କ ନିଦ ହଜାଇ ଧସେଇ ପସିଛି କଂଗ୍ରେସ । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ ମାଧ୍ୟମରେ ମୋଦି-ଶାହଙ୍କ ଯୋଡ଼ିକୁ ଝଟକା ଦେଇଛନ୍ତି ରାହୁଲ । ୨୦୧୪ ମସିହାରୁ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଗେରୁଆ କରିବାରେ ଲାଗି ପଡ଼ିଥିଲେ ମୋଦି-ଶାହ ଯୋଡ଼ି । ହେଲେ କଂଗ୍ରେସ ଯୁବରାଜ ରାହୁଲ ବିଜେପିକୁ ମାତ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଚାଲିଥିଲେ । ଏବଂ ମଉକା ଦେଖି ଚଉକା ମାରିଦେଲେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ସେହିଭଳି ମିଜୋରାମ ଏବଂ ତେଲେଙ୍ଗାନାରେ ଆଞ୍ଚଳିକ ଦଳର ଦବଦବା ରହିଛି । ଉଭୟ କଂଗ୍ରେସ ଓ ବିଜେପିର ସ୍ୱପ୍ନକୁ ଦୂଳିସାତ୍ କରିଦେଇଛନ୍ତି ଏହି ଦୁଇ ରାଜ୍ୟର ଆଞ୍ଚଳିକ ଦଳ ।