କ୍ଷୁବ୍ଧ ଖାରବେଳ ସ୍ୱାଇଁ ! ବସ୍ତି ବାସିନ୍ଦାଙ୍କୁ ଜମି ଦେବା ନିଷ୍ପତିରେ କହିଲେ ଆବଶ୍ୟକ ହେଲେ ଯିବି କୋର୍ଟ

40

କନକ ବ୍ୟୁରୋ : ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ଜମି ଦେବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତିକୁ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ତୀବ୍ର ବିରୋଧ କରିଛନ୍ତି । ଏହି ନିଷ୍ପତି ବିରୋଧରେ ଦରକାର ପଡିଲେ ସେ କୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି ଖାରବେଳ । କନକନ୍ୟୁଜକୁ ଖାରବେଳ କହିଛନ୍ତି, ବସ୍ତିବାସିନ୍ଦାଙ୍କୁ ଜମି ଦେବା ନିଷ୍ପତିକୁ ସେ ତୀବ୍ର ବିରୋଧ କରୁଛନ୍ତି ।

ପୌରପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟ ଏହି ନିଷ୍ପତି ନେଇଥିଲା ।ଓଡ଼ିଶାର ସହରାଂଚଳରେ ବସ୍ତି ବନାଇ ରହୁଥିବା ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ନବୀନ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍ । ଆସନ୍ତା ବର୍ଷ ସହରାଂଚଳ ନିର୍ବାଚନ ଥିବା ବେଳେ ବିଜେଡି ସରକାରଙ୍କ ଏହି ନିଷ୍ପତି ନିର୍ବାଚନୀ ରାଜନୀତି ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଓଡ଼ିଶାର ୫ଟି ମହାନଗର ନିଗମ, ୩୫ଟି ମୁନିସିପାଲିଟି କାଉନସିଲ ଓ ୬୩ଟି ବିଜ୍ଞାପିତ ପରିଷଦ ଅଂଚଳର ବସ୍ତି ଲୋକଙ୍କ ପାଇଁ ମନଲୋଭା ଘୋଷଣା କରିଛନ୍ତି ସରକାର ।

ମୁନସିପାଲିଟି କାଉନସିଲର ବସ୍ତିରେ ରହୁଥିବା ଲୋକଙ୍କୁ ମିଳିବ ୪୫୦ ବର୍ଗ ଫୁଟର ଜମି । ସେମାନଙ୍କୁ ମିଳିପାରେ ରହୁଥିବା ଜାଗାର ଜମି ପଟ୍ଟା । ଯଦି ଜମି ସେଠାରେ ନଥିବ, ତେବେ ଅନ୍ୟତ୍ର ସେମାନଙ୍କୁ ଥଇଥାନ କରାଯିବ । ଏହି ଜମିକୁ ବନ୍ଧକ ରଖି ସେମାନେ ଘର ପାଇଁ ବ୍ୟାଙ୍କ ଋଣ ବି ନେଇପାରିବେ ।

ବିଜ୍ଞାପିତ ପରିଷଦ ଅଂଚଳରେ ରହୁଥିବା ଲୋକଙ୍କୁ ମିଳିବ ୬୦୦ ବର୍ଗ ଫୁଟର ଜମି । ମୁନିସିପାଲିଟି ଭଳି ଏଠାରେ ମଧ୍ୟ ସେମାନେ ରହୁଥିବା ଜାଗାକୁ ଅଗ୍ରାଧିକାର ଦିଆଯିବ । କେବଳ ବାସଗୃହ ନିର୍ମାଣ କରିବା ପାଇଁ ଜମି ଦିଆଯିବ । ସରକାର ଦେଇଥିବା ଜମିକୁ ବିକ୍ରି କି ବଦଳ କରାଯାଇପାରିବ ନାହିଁ ।

ସେହିପରି ଯେଉଁମାନେ ମୁନିସିପାଲ କର୍ପୋରେସନରେ ବସ୍ତି ବାସିନ୍ଦା ହୋଇଥିବେ, ସେମାନଙ୍କୁ ମିଳିବ ୩୦୦ ବର୍ଗ ଫୁଟର ଫ୍ଲାଟ । ହେଲେ ମହାନଗର ନିଗମରେ ମିଳିବ ନାହିଁ ଜମି ଅଧିକାର । ମିଳିଥିବା ଘରକୁ ୧୦ବର୍ଷ ପରେ ସେମାନେ ବିକ୍ରି କିମ୍ବା ବଦଳ ମଧ୍ୟ କରିପାରିବେ । ଏହି ଫ୍ଲାଟକୁ ରହିବା ଘର ପାଇଁ କେବଳ ବ୍ୟବହାର କରିହେବ ।

ରାଜ୍ୟ କ୍ୟାବିନେଟ ନିଷ୍ପତିକୁ କାର୍ଯ୍ୟକାରୀ କରିବା ପାଇଁ ଦୁଇଟି ଅର୍ଡିନାନ୍ସ ଆଣିବେ ସରକାର । ଇଡବ୍ଲୁଏସ୍ ଇକୋନମିକ୍ ଓି୍ୱକର ସେକ୍ସନ କ୍ୟାଟେଗୋରି ଅଧିନରେ ଆସୁଥିବା ବ୍ୟକ୍ତିମାନେ, ଯାହାର ବାର୍ଷିକ ଆୟ ୧ଲକ୍ଷ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ଥିବ, ସେହି ବ୍ୟକ୍ତିଙ୍କୁ ମାଗଣାରେ ଏହି ଜମି ଦିଆଯିବ । ଇଡବ୍ଲୁଏସ୍ କ୍ୟାଟେଗୋରୀ ବ୍ୟତୀତ ବସ୍ତିରେ ବାସ କରୁଥିବା ବ୍ୟକ୍ତିଙ୍କୁ ଏକ ଧାର୍ଯ୍ୟ ମୂଲ୍ୟରେ ଜମି ଦିଆଯିବ ।

ତେବେ ବସ୍ତି ମୁକ୍ତ ସହର ପାଇଁ କଥା ଉଠୁଥିବା ବେଳେ ଏବେ ସହରଗୁଡିକ ବସ୍ତି ଯୁକ୍ତ ହେବାକୁ ଯାଉଛି । ପ୍ରଶ୍ନ ଉଠୁଛି,

୧- ଏହି ପଦକ୍ଷେପ ଅଧିକରୁ ଅଧିକ ବସ୍ତି ଗଢି ଉଠିବା ପାଇଁ ବାଟ ଖୋଲି ଦେବ କି?
୨- ଅସାଧୁ ଉପାୟରେ ଜବରଦଖଲ କରୁଥିବା ବ୍ୟକ୍ତିଙ୍କୁ ଫାଇଦା ମିଳିବ କି?
୩- ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ପାଇବେ କି?

ପଂଚାୟତ ନିର୍ବାଚନରେ ଧକ୍କା ଖାଇବା ପରେ ସହରାଂଚଳ ନିର୍ବାଚନ ଉପରେ ଫୋକସ କରିଛି ବିଜେଡି । ଆଉ ଓଡ଼ିଶାର ସହରାଂଚଳ ବସ୍ତିରେ ରହୁଥିବା ୨୦ରୁ ୨୫ ଲକ୍ଷ ଲୋକଙ୍କୁ ଟାର୍ଗେଟ କରୁଛି ଦଳ ।