ଆଇଆଇଟି ଖଡଗପୁର ବିଶେଷଜ୍ଞଙ୍କ ସାଂଘାତିକ ରିପୋର୍ଟ । ସାମାନ୍ୟ ଝଟକାରେ ତାଳଚେର ହୋଇପାରେ ପାତାଳଗାମୀ

ସାମାନ୍ୟ ଝଟକାରେ ତାଳଚେର ସହର ପାତାଳଗାମୀ ହେବ

662

କନକ ବ୍ୟୁରୋ : ସାମାନ୍ୟ ଝଟକାରେ ତାଳଚେର ସହର ପାତାଳଗାମୀ ହେବ। ଶକ୍ତିଶାଳୀ ଭୂକମ୍ପ ଜୋନରେ ତାଳଚେର ସହର ଅବସ୍ଥିତ ଥିବାର ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞମାନେ ରିପୋର୍ଟ ଦେବା ପରେ ଏଭଳି ଆଶଙ୍କା ଦେଖାଦେଇଛି। ଭୂଗର୍ଭରୁ କୋଇଲା ଉତ୍ତୋଳନ ପରେ ସାରା ସହରକୁ କିଛି କୋଇଲା ସ୍ତମ୍ଭ ଧରି ରଖିଥିବାରୁ ଅଘଟଣ କେଉଁ ମୁହୂର୍ତ୍ତ ବି ଘଟିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞଗଣ।

 

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜାରି ରିପୋର୍ଟ ଓ ଆଇଆଇଟି ଖଡଗପୁରର ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ, ତାଳଚେର ସହର ଭୂକମ୍ପ ପ୍ରବଣ -ରିସ୍କ ‘ଜୋନ ୩’ରେ ଆସୁଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଓଡ଼ିଶା ରାଜ୍ୟରେ ଭୂକମ୍ପ ଜୋନ୍ ମଧ୍ୟରେ ଥିବା ସହରଗୁଡ଼ିକ ପ୍ରତି ସମ୍ଭାବ୍ୟ ବିପଦ ସ˚ପର୍କରେ ଅନୁଧ୍ୟାନ କରିବା ପାଇଁ ଆଇଆଇଟି ଅନୁଷ୍ଠାନ, ଖଡଗପୁରକୁ ଦାୟିତ୍ବ ଦିଆଯାଇଥିଲା। ଆଇଆଇଟି ଖଡଗପୁର ପକ୍ଷରୁ ଏହି କାର୍ଯ୍ୟ ପାଇଁ ବିଶେଷଜ୍ଞ ସାଇବଲ ଗୁପ୍ତା,ଉଇଲିୟମ୍ କେ ମହାନ୍ତି, ଅନିମେଶ ମଣ୍ତଳ ଓ ସୁରଜିତ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଥିଲା।

 

ଏହି ଚାରିଜଣିଆ କମିଟିର ରିପୋର୍ଟ ଅନୁଯାୟୀ, ତାଳଚେର ସହର ତଳୁ କୋଇଲା ଉତ୍ତୋଳନ ପରେ ସହର ପ୍ରତି ବିପଦ ବୃଦ୍ଧିପାଇଛି। ୧୯୫୮, ୧୯୬୨ ମସିହାରେ ୫.୨ ରିଚର ସ୍କେଲ୍, ୧୯୮୬ ମସିହା ଜାନୁଆରିରେ ପ୍ରଥମ ଥର ୪.୪ ଓ ଦ୍ବିତୀୟ ଥର ୪.୧ ରିଚର ସ୍କେଲ୍, ୧୯୯୫ ମସିହା ମାର୍ଚ୍ଚ ୨୭ରେ ୫.୦ ରିଚର ସ୍କେଲ୍ ଓ ଜୁନ ୨୨ ରେ ୪.୮ ରିଚର ସ୍କେଲ୍ ମାତ୍ରାର ଭୂକମ୍ପ ଏହି ଜୋନରେ ଘଟି ସାରିଛି। ଦେଶର ଲାଟୁର, ଅହମ୍ମଦାବାଦ ଓ ଜବଲପୁର ରେ ଅତୀତରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପ ତାଳଚେରରେ ମଧ୍ୟ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

 

ଏଭଳି ଭାବେ ଶକ୍ତିଶାଳୀ ଭୂକମ୍ପ ଜୋନରେ ତାଳଚେର ସହର ରହିଥିବା ବେଳେ ୧୯୨୮ ମସିହାରେ କୋଇଲା ବଦଳରେ ପ୍ରାଚୁର୍ଯ୍ୟ ପାଇଁ ଆରମ୍ଭ ହୋଇଥିବା ଭୂଗର୍ଭ କୋଇଲା ଖଣି ଗୁଡିକ ଏବେ ତାଳଚେରବାସୀଙ୍କ ପାଇଁ ଅଭିଶାପରେ ପରିଣତ ହୋଇଛନ୍ତି। ତାଳଚେର ସହର ମଧ୍ୟରେ ଥିବା ଦେଉଳବେଡ଼ା କୋଇଲା ଖଣି ଭୂଗର୍ଭରେ ପୂର୍ବ-ପଶ୍ଚିମ ଦିଗରେ ସାଢେ ୪ ଓ ଉତ୍ତର -ଦକ୍ଷିଣକୁ ୨.୧ କିଲୋମିଟର ବ୍ୟାପିଛି। ଖଣି ଭିତରୁ କୋଇଲା ଉତ୍ତୋଳନ ପରେ ଭୂପୃଷ୍ଠକୁ ଟେକି ରଖିବା ପାଇଁ ଖଣି ଭିତରେ ଛାଡ଼ି ଦିଆଯାଇଛି କିଛି କୋଇଲା ଖମ୍ବ। ଷାଠିଏ ଓ ସତୁରି ଦଶକରେ ଭୂପୃଷ୍ଠରେ ନିର୍ମିତ କିଛି ସୌଧକୁ ନଜରରେ ରଖି କୋଇଲା ସ୍ତମ୍ଭ ଛାଡ଼ି ଦିଆଯାଇଥିଲା।

 

ମାଟି ତଳ ଫମ୍ପା ଅବସ୍ଥାକୁ ଅଣଦେଖା କରି ଏବେ ଭୂପୃଷ୍ଠରେ ନିର୍ମିତ ହୋଇଛି ହଜାର ହଜାର ଘର। ସହରର ଲୋକସ˚ଖ୍ୟା ୨୦୧୧ ଜନଗଣନା ଅନୁଯାୟୀ, ୪୧,୮୪୧ ଥିବା ବେଳେ ଏବେ ଲୋକସ˚ଖ୍ୟା ପ୍ରାୟ ପଚାଶ ହଜାରକୁ ଛୁଇଁଲାଣି। ସହରର ଭୂଗର୍ଭ ଫମ୍ପା ହୋଇଥିବା ଏବ˚ ଅଞ୍ଚଳ ଭୂକମ୍ପ ପ୍ରବଣ ବଳୟରେ ଥିବାରୁ ସାମାନ୍ୟ ଭୂକମ୍ପ ହେଲେ ପ୍ରାୟ ପଚାଶ ହଜାର ଜନବସତି ବିଶିଷ୍ଟ ତାଳଚେର ସହର ଯେ ପାତାଳଗାମୀ ହେବା ଆଶଙ୍କା ଦେଖାଦେଇଛି। ଏହି ସମସ୍ୟାର ଗମ୍ଭୀରତାକୁ ଉପଲବ୍ଧି କରି ବେଳ ଥାଉଁ ଏହାର ପ୍ରତିକାର କରା ନ ଗଲେ ପରିସ୍ଥିତି ଆଗକୁ ଆହୁରି ଭୟାନକ ହୋଇପଡ଼ିବ, ଏଥିରେ ସନ୍ଦେହ ନାହିଁ।