ଗେରୁଆ କ୍ୟାମ୍ପ ଯିବାକୁ ଗୋଡ଼ କାଢ଼ିଛନ୍ତି ଖାରବେଳ, ବ୍ରଜ । ବିଜେପିର ଗ୍ରୀନ୍ ସିଗନାଲକୁ ଅପେକ୍ଷା ।

607

କନକ ବ୍ୟୁରୋ: ଶାସକ ବିଜେଡିକୁ ମାତ୍ ଦେବା ପାଇଁ ଶକ୍ତି ଗୋଟାଉଛନ୍ତି ବିରୋଧୀ । ତେଣୁ ଏବେ ବିଜେପି ମୁହାଁ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ୍ ନେତା ତଥା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟର ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ ଓ ବ୍ରଜ କିଶୋର ତ୍ରିପାଠୀ । ଏନେଇ ଖାରବେଳ କହିଛନ୍ତି ଯେ, ବିଜେପି ବୈଜୟନ୍ତଙ୍କୁ ନେବା ସ୍ପଷ୍ଟ କରୁଛି ଯେ ବିଜେପି ବର୍ତ୍ତମାନ ବିଜେଡି ସହ ଲଢେଇ କରିବାକୁ ପ୍ରସ୍ତୁତ । ମୁଁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଆଲୋଚନା କରିଛି । ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାରୀ ସରକାରକୁ ଗାଦିଚ୍ୟୁତ କରିବାକୁ ଆମେ ବିଜେପି ସାଙ୍ଗେ ବୁଝାମଣା କରିବାକୁ ରାଜି ଅଛୁ । ଦରକାର ପଡିଲେ ବିଜେପିର ନିର୍ବାଚନୀ ଚିହ୍ନରେ ମଧ୍ୟ ଲଢିବାକୁ ପ୍ରସ୍ତୁତ । ଯଦିଓ ବିଜେପି ପକ୍ଷରୁ ଆମକୁ ସକାରାତ୍ମକ ସଙ୍କେତ ମିଳିଛି କିନ୍ତୁ ସ୍ପଷ୍ଟ ସମ୍ମତି ମିଳିନାହିଁ ବୋଲି କହିଛନ୍ତି ଖାରବେଳ ।

ଗତ କିଛି ଦିନ ପୂର୍ବେ ଓଡ଼ିଶା ରାଜନୀତିରେ ଜନ୍ମ ନେଇଥିଲା ଏକ ନୂଆ ରାଜନୈତିକ ସାମ୍ମୁଖ୍ୟ । ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିଥିଲେ । ଆସନ୍ତା ନିର୍ବାଚନରେ ଶାସକ ବିଜେଡିକୁ କଡ଼ା ଚ୍ୟାଲେଞ୍ଜ ଦେବା ଲକ୍ଷ୍ୟରେ ଏହି ଦୁଇ ନେତା ଏକାଠୀ ହୋଇଥିଲେ । କିନ୍ତୁ ଏବେ ଦୁଇ ନେତାଙ୍କ ଗତି ଗେରୁଆ କ୍ୟାମ୍ପ ଅଭିମୁଖେ ଅଗ୍ରଗତି କରୁଛି । ଯାହା ଶାସକ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଉଭୟ ବ୍ରଜ ଓ ଖାରବେଳ ବିଜେଡି ବିରୋଧରେ ଜନସଭା କରୁଥିବା ଦେଖିବାକୁ ମିଳୁଛି । ତେଣୁ ଏମାନେ ଯଦି ବିଜେପିରେ ସାମିଲ ହୁଅନ୍ତି ତେବେ ଏହାର ଫାଇଦା ବିଜେପି ଉଠାଇବାକୁ ଚାହିଁବ ବୋଲି ବିଭିନ୍ନ ମହଲରେ ଶୁଣିବାକୁ ମିଳୁଛି । ନବୀନ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ବାନ କରିଛି ଦେଉଥିବା ଏହି ଦୁଇ ନେତା ଏବେ ବିଜେପିରେ ଖୁବଶୀଘ୍ର ସାମିଲ ହୋଇପାରନ୍ତି ବୋଲି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ତରଫରୁ ଗ୍ରୀନ ସିଗନାଲ ମିଳି ସାରିଛି ।