ମାଲକାନଗିରି ଜିଲ୍ଲାରେ ଖାପ ପଂଚାୟତ ! ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ପରିବାରକୁ ବାସନ୍ଦ

33

କନକ ବ୍ୟୁରୋ : ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗାଁଗୁଡିକରେ ଖାପ ପଂଚାୟତ ପରମ୍ପରା ଥମିବାର ନାଁ ଧରୁନାହିଁ । ଖାପ ପଂଚାୟତର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲା ଓରକେଲ ଥାନା ଏମ.ଭି–୩୮ ଗାଁର ବିମଳ ସରକାରଙ୍କ ପରିବାରକୁ ଗାଁ କମିଟି ବାସନ୍ଦ କରିଦେଇଥିବା ଅଭିଯୋଗ ହୋଇଛି ।

ବିମଳଙ୍କ ପରିବାର ଗତ ୩୦ ବର୍ଷ ଧରି ସେଠାରେ ବସବାସ କରୁ ଥିବା ବେଳେ ସାମାନ୍ୟ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ବିମଳଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି । ଏପରିକି ବିମଳଙ୍କ ପରିବାର ସଦସ୍ୟଙ୍କ ସହ କେହି କଥା ହେଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଗାଁ କମିଟି ଏକ ଖାପ ପଂଚାୟତରେ ନିଷ୍ପତି ନେଇ ଥିବା କହିଛନ୍ତି ବିମଳଙ୍କ ପରିବାର । ବିମଳ ଗୋଟିଏ ଛୋଟ ଦୋକାନ କରି ପରିବାର ଚଳାଉଥିବା ବେଳେ ଏଭଳି ନିଷ୍ପତି ପରେ ଗତ ଏକ ମାସ ହେଲା ଅତି ଦୁଖ କଷ୍ଟରେ ଦିନ ବିତାଉଛନ୍ତି ତାଙ୍କ ପରିବାର । ଏ ନେଇ ବିମଳ ଓରକେଲ ଥାନା ପୋଲିସକୁ ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ସେ କହିଛନ୍ତି ।