ଆଗକୁ ଘୋଷଯାତ୍ରା : ଜଗା ସେବାରେ ବ୍ୟସ୍ତ ବୁଣାକାର ପରିବାର

56

କନକ ବ୍ୟୁରୋ : ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅଣସନ ନୀତି ହେଉ ବା ଘୋଷଯାତ୍ରା । ଏସବୁ  ନୀତିକାନ୍ତି ଲାଗି ଦରକାର ପଡ଼େ ଗୀତ ଗୋବିନ୍ଦ ଖଣ୍ଡୁଆପାଟ ବସ୍ତ୍ର । ଚତୁର୍ଦ୍ଧାମୂର୍ତ୍ତିଙ୍କ ଏସବୁ ବସ୍ତ୍ରକୁ ବାନ୍ଧରେ ବୁଣିଥାନ୍ତି ଆଠଗଡ ନୂଆପାଟଣା ଗ୍ରାମର ବୁଣାକାର ପରିବାର । ଯାହାକୁ ପେଷା ନୁହେଁ ସେବା ରୂପେ ଗ୍ରହଣ କରିଥାନ୍ତି ବୁଣାକାର ପରିବାର ।

ତନ୍ତଶାଳରେ ବ୍ୟସ୍ତ ବୁଣାକାର ପରିବାର । କିଏ ସୁତା ଯୋଡ଼ିବାରେ ବ୍ୟସ୍ତ ତ କିଏ ତନ୍ତରେ ବସି ଗୀତ ଗୋବିନ୍ଦ ଲେଖିବାରେ ବ୍ୟସ୍ତ । କଟକ ଜିଲ୍ଲା ଆଠଗଡ ବ୍ଲକ ନୂଆପାଟଣା ଗାଁରେ ଏପରି କିଛି ଦେଖିବା ପାଇଁ ମିଳୁଛି । ବଡ ଠାକୁରଙ୍କ ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ ତ୍ରିଲୋଚନ ଦାସଙ୍କ ଭଳି ବୁଣାକାର ପରିବାର । ଆଗକୁ ଘୋଷଯାତ୍ରା ଥିବା ବେଳେ ପ୍ରଭୁଙ୍କ ଅଙ୍ଗରେ ଲାଗି ହେବ ୧୫ ସେଟ୍ ବିଶିଷ୍ଟ ଖଣ୍ଡୁଆ ପାଟ । ସ୍ନାନଯାତ୍ରା ଆଗରୁ ଏସବୁ ବସ୍ତ୍ରକୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପୈଠ କରିବା ପାଇଁ  ଚଳଚଂଚଳ ବୁଣାକାର ପରିବାର ।

ମହାପ୍ରଭୁଙ୍କ ଅଣସର ନିତୀଠାରୁ ଆରମ୍ଭ କରି ଘୋଷଯାତ୍ରା ଯାଏଁ ପ୍ରଭୁଙ୍କ ଅଙ୍ଗରେ ଲାଗିହୁଏ ଅନେକ ବସ୍ତ୍ର । ଏହି ବସ୍ତ୍ରରେ ଅନେକ ପ୍ରକାର କାରୁକାର୍ଯ୍ୟ ଓ ଅନେକ ସ୍ୱତନ୍ତ୍ରତା ଲୁଚି ରହିଥାଏ । କେଉଁ ବସ୍ତ୍ରରେ ଗୀତ ଗୋବିନ୍ଦ ଲେଖା ଯାଇଥାଏ ତ କେଉଁ ବସ୍ତ୍ରରେ ଲେଖାଯାଇଥାଏ ଅନେକ ପ୍ରକାର ଶ୍ଳୋକ । ସେବା ଆଗରେ ହାର ମାନିଥାଏ ବୟସ । ପିଲାଠାରୁ ବୟସ୍କ ସମସ୍ତେ ଜଗାର ଖଣ୍ଡୁଆ ପାଟକୁ ତିଆରି କରିଥାନ୍ତି । ଏହି ବସ୍ତ୍ରକୁ ପିନ୍ଧି ଶ୍ରୀଜିଉ ଘୋଷଯାତ୍ରାରେ ଗଲେ ଅନେକ ଆନନ୍ଦ ମିଳେ ବୋଲି କହୁନ୍ତି ବୁଣାକାର । ଜଗତର ନାଥ ଜଗନ୍ନାଥଙ୍କ ପାଇଁ ସେବାରେ ଲାଗିଥାନ୍ତି ଭିନ୍ନଭିନ୍ନ ଜାତିର ସେବକ । ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି ହେଉଥିବା ବସ୍ତ୍ର ବୁଣିବାର ସୌଭାଗ୍ୟ ମୃତ୍ୟୁ ପର୍ଯ୍ୟନ୍ତ ମିଳୁଥାଉ ବୋଲି ଜଗନ୍ନାଥଙ୍କ  ନିକଟରେ ପ୍ରାଥନା କରିଛନ୍ତି ବୁଣାକାର ପରିବାର ।