ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭରୁ ବାଟବଣା : କାକଟପୁର ଅଂଚଳରୁ ଆସିଲା ଅନିୟମିତତା ଅଭିଯୋଗ

97

କନକ ବ୍ୟୁରୋ : ଆହାର ମୁକ୍ତ ଓଡିଶା ଗଠନ ପାଇଁ ସଂକଳ୍ପ ନେଇଥିିବା ନବୀନ ସରକାର ଗତକାଲି ଆରମ୍ଭ କରିଛନ୍ତି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଏହି ଯୋଜନାରେ ବାଦ ପଡିଥିବା ୨୫ ଲକ୍ଷ ଗରିବ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ଆରମ୍ଭରୁ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଛି । କାକଟପୁର ବ୍ଲକ ଅଂଚଳରେ ଏହି ଅଭିଯୋଗ ସାଂଘାତିକ ହୋଇଛି । ଯୋଗ୍ୟ ହାତିଧିକାରୀଙ୍କୁ ତାଲିକାରେ ସାମିଲ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକ ।

ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ବାଦ ପଡିଥିବା ୨୫ଲକ୍ଷ ଗରିବଙ୍କୁ ଟଙ୍କାଙ୍କିଆ ଚାଉଳ ଓ ଗହମ ଯୋଗାଇଦେବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ କାକଟପୁର ଅଂଚଳରେ ଆରମ୍ଭରୁ ଏହି ଯୋଜନା ବାଟବଣା ହୋଇଥିବାର ଅଭିଯୋଗ ଆସିଛି । ସରକାରୀ କର୍ମଚାରୀଙ୍କ ସମ୍ପର୍କୀୟ ଓ ଶାସକ ଦଳକୁ ସୁହାଇଲା ଭଳି ଲୋକଙ୍କୁ ସାମିଲ କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଅଯାଇଥିବାବେଳେ ଅଯୋଗ୍ୟ ଓ ଥିଲାବାଲା ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ରାସନ କାର୍ଡ ପାଇଁ ଅପେକ୍ଷାକରିଥିବା ଆବେଦନକାରୀ ।

କାକଟପୁର ବ୍ଲକରେ ୭୦ଭାଗ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସୁବିଧା ପାଉଛନ୍ତି । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପୁଣି ୫ହଜାର ନଅ ଶହ ୨୭ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ତେବେ ଆହୁରି ଅନେକ ରାସନ କାର୍ଡ ପାଇବା ଅପେକ୍ଷାରେ ରହିଛନ୍ତି । ଫଳରେ ପ୍ରତିଦିନ ବ୍ଲକରେ ଦରଖାସ୍ତ ପାଇଁ ଲମ୍ବାଧାଡି ଲାଗିବା ସହ ଗଣ୍ଡଗୋଳ ମଧ୍ୟ ହେଉଛି । ଯାହାକୁ ସମ୍ମୁଖୀନ ହେଉଛନ୍ତି ବ୍ଲକ୍ ପ୍ରଶାସନ ।

ପୁରୀ ଜିଲ୍ଲାପାଳ କହିଛନ୍ତି ଯାହା ଅଭିଯୋଗ ଆସିଛି ତାହାର ତଦନ୍ତ କରାଯିିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ଉଦ୍ୟମ କରାଯିବ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଠିକ୍ ଭାବରେ ହିତାଧିକାରୀ ଚୟନ ନହେଲେ ସମସ୍ୟା ଆଗକୁ ବିସ୍ଫୋରକ ମୋଡ ନେବାର ଆଶଙ୍କା କରାଯାଉଛି ।