ଧାନ ପରେ ଚିନ୍ତାରେ ଟସର ଚାଷୀ : ନିମ୍ନମାନର ବିହନ ଯୋଗୁଁ ରେଶମ ହେବା ଆଗରୁ ମରିଗଲା ରେଶମ ପୋକ

677

କନକ ବ୍ୟୁରୋ : ନିମ୍ନମାନର ସାର ଓ ଔଷଧ ଯୋଗାଣ ଯୋଗୁଁ ରାଜ୍ୟରେ ଧାନ ଚାଷ ଉଜୁଡି ଯାଇଥିବା ବେଳେ ଏବେ ଟସର ଚାଷୀଙ୍କ ପାଳି ପଡିଛି । ସରକାର ଧାନ ଚାଷୀଙ୍କୁ ଠକିବା ପରି ଟସର ଚାଷୀଙ୍କୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଛି । ସରକାରଙ୍କ ପ୍ରଦତ୍ତ ରେଶମ ଅଣ୍ଡା ନିମ୍ନମାନର ହୋଇଥିବାରୁ ରେଶମ ହେବା ଆଗରୁ ରେଶମ ପୋକ ମରି ଯିବାରୁ ଚାଷ ଉଜୁଡି ଯାଇଛି । ଫଳରେ ଶହଶହ ଏକର ଜମିରେ ଟସର ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । କେନ୍ଦୁଝର ଜିଲ୍ଲାର ଗୋଟିଏ ଗାଁକୁ ଉଦାହରଣ ଭାବେ ନେଲେ ଏହା ବେଶ ବାରି ହୋଇପଡୁଛି ।

କେନ୍ଦୁଝର ତେଲକୋଇ ବ୍ଲକ ବିଂଜବାହାଳ ଗାଁର ୧୦୦ରୁ ଅଧିକ ଚାଷୀ ୧୦୦ ହେକ୍ଟର ଜମିରେ କରିଛନ୍ତି ଟସର ଚାଷ । ସରକାରଙ୍କ ସିକୃତି ପ୍ରାପ୍ତ ସମବାୟ ସମିତି ଜଗମୋହନପୁର ଟସର ସୋସାଇଟରୁ ସରକାରଙ୍କ ପ୍ରଦତ ରୋଗ ମୁକ୍ତ ରେଶମ ଅଣ୍ଡା ଆଣି ଚାଷ କରିଛି ଚାଷୀ । କିଲୋ ପ୍ରତି ୬ହଜାର ଟଙ୍କା ଦେଇ ଡି.ଏଲ.ଏଫ ଅଣ୍ଡା ଆଣି ଚାଷ କରିଥିବା ଚାଷୀର ସ୍ୱପ୍ନ ଭାଙ୍ଗି ଯାଇଛି  ।

ଅଣ୍ଡା ଫାଟିବା ସମୟରେ ସରକାର ଔଷଧ ଯୋଗାଇବାରେ ବିଳମ୍ବ ସାଙ୍ଗକୁ ନିମ୍ନମାନର ବିହନ ଯୋଗୁଁ ରେଶମ ପୋକ ଲାଗିବା ପୂର୍ବରୁ ଅଣ୍ଡା ସବୁ ଶୁଖି ଝଡି ପଡିଛି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା ଏଯାଏଁ ଚାଷୀଙ୍କ ନିକଟରେ କୌଣସି ବିଭଗୀୟ କର୍ମଚାରୀ ପହଂଚି ପାରିନଥିବା ଅଭିଯୋଗ ହୋଇଛି । ଏଣେ ୩୦ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହିଥିବା ଚାଷୀଙ୍କୁ ଏବେ ଋଣ ପରିଶୋଧ ଚିନ୍ତାରେ ଘାରିଛି ।

ଟସର ଚାଷୀଙ୍କ ଅଭିଯୋଗକୁ ସ୍ୱୀକାର କରିଛନ୍ତି ତେଲକୋଇ ଟସର ସମବାୟ ସମିତିର ସଂପାଦକ । କହିଛନ୍ତି, ବିଭିନ୍ନ କାରଣରୁ ରେଶମ ପୋକ ମରିଥାନ୍ତି, ନିମ୍ନ ମାନର ଅଣ୍ଡା ବିହନ ମଧ୍ୟ ଏକ କାରଣ ।  ଚଳିତ ବର୍ଷ ଉଜୁଡି ଯାଇଥିବା ଟସର ଚାଷ ପାଇଁ କ୍ଷତି ପୁରଣ ଦିଆନଗଲେ ଆଉ ଟସର ଚାଷ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।