କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଚାଷ କାମ ଠପ୍ ! କେନାଲ ଅଛି, ଆସୁନିି ପାଣି

48

ଚାଷୀ ପାଇଁ ସମସ୍ତେ କାନ୍ଦୁଛନ୍ତି । କିନ୍ତୁ ଚାଷୀଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ କାହାରି ଆନ୍ତରିକତା ନାହିଁ । ଅଭାବି ବିକ୍ରିଠାରୁ ଆରମ୍ଭ କରି ବିହନ, ଜଳସେଚନ ସବୁଠି ଅଣଦେଖା ହୋଇଛି ଚାଷୀପୁଅ । ଚାଷ ଜମିରେ ପାଣି ମଡାଇବା ପାଇଁ ପ୍ରକଳ୍ପ ହୋଇଛି, ବିଭାଗ ଅଛି, ଅଧିକାରୀ ବି ଅଛନ୍ତି ହେଲେ ଜମିକୁ ମାଡୁନି ପାଣି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ କିଭଳି ଚାଲିଛି ଉଠା-ଜଳସେଚନ ଯୋଜନା ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ।

ଚାଷ କାମ ଠପ୍ । ଚାଷ ଜମିକୁ ପାଣି ମଡାଇବା ପାଇଁ ନିର୍ମାଣ କରାଯାଇଛି କେନାଲ । ହେଲେ ବର୍ଷ ବର୍ଷ ଧରି ଏହି ଉଠା ଜଳସେଚନ ପ୍ରକଳ୍ପ ଅକାମୀ ହୋଇ ପଡି ରହିଛି । କେଉଁଠି କେନାଲ ଭାଙ୍ଗିରୁଜି ଯାଇଛି ତ ଆଉ ପୋତି ହୋଇ ତା ଉପରେ ଗଛ ଉଠି ବୁଦା ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଚାଷୀ ଜମିକୁ ପାଣି ମାଡୁନି କିନ୍ତୁ ଚାଷୀମାନେ ଜଳକର ପୈଠ କରୁଛନ୍ତି । ଯାହାକୁ ନେଇ ଚାଷୀଙ୍କ ଭିତରେ ଦେଖାଦେଇଛିି ଅସନ୍ତୋଷ ।

ଉଠା ଜଳସେଚନ ପ୍ରକଳ୍ପର ବାସ୍ତବ ସ୍ଥିତି ପରଖିବା ପାଇଁ କନକ ନ୍ୟୁଜ୍ ଟିମ୍ ପହଁଚିଥିଲା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ପାଂଚପୋଖରିଆ ଓ ଶଙ୍କରପୁର ଗାଁରେ । ୧୦୦ ହେକ୍ଟରରୁ ଉର୍ଦ୍ଧ୍ୱ ଜମିକୁ ପାଣି ମାଡୁଥିଲା । ଚାଷ କରି ଶତାଧିକ ପରିବାର ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ,୧୦ବର୍ଷରୁ ଉର୍ଦ୍ଧ୍ୱ ହେଲା ଏହା ଅକାମୀ ହୋଇ ପଡିବା ଫଳରେ ଚାଷୀ ହାତ ବାନ୍ଧି ବସିଛନ୍ତି । ତେବେ,ଏନେଇ ଭିନ୍ନ ମତ ରଖିଛନ୍ତି ନିର୍ବାହୀ ଯନ୍ତ୍ରୀ । କହିଛନ୍ତି ଅଧିକାଂଶ ପ୍ରକଳ୍ପ ଠିକ୍ ଅଛି ଓ ଅକାମୀ ହୋଇ ପଡିଥିବା ପ୍ରକଳ୍ପ ଯଥାଶୀଘ୍ର ମରାମତି କରାଯିବ । ଗତ କିଛି ବର୍ଷ ହେବ ଅନିୟମିତ ବର୍ଷା ଦାଉ ସାଧୁଥିବା ବେଳେ,ଜମିରେ ପାଣି ମାଡୁ ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

ଦେଖନ୍ତୁ ଏହି ଭିଡିଓ –