ରାଗିଂର ଶିକାର ହୋଇ ଅଧାରୁ ପାଠପଢ଼ା ଛାଡ଼ିଥିଲେ , ଏବେ କେରଳ ପ୍ରଥମ କିନ୍ନର ସାମ୍ବାଦିକ ନିଯୁକ୍ତ ହେଲେ ହେଦୀ ସାଦିଆ

469

କନକ ବ୍ୟୁରୋ : ସମୟ ବଦଳୁଛି । ସମାଜର ଚିରାଚରିତ ବିଚାରଧାରାରେ ପରିବର୍ତ୍ତନ ଆସୁଛି । କିନ୍ନରଙ୍କ ପ୍ରତି ଥିବା ସମାଜର ଭିନ୍ନ ଦୃଷ୍ଟିଭଙ୍ଗୀ ଧୀରେ ଧୀରେ ବଦଳୁଛି । ତୃତୀୟ ଲିଙ୍ଗ ପ୍ରତି ଥିବା ଅସୂୟାଭାବ ଧୀରେ ଧୀରେ ଦୂରୀଭୂତ ହେଉଛି । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି କିନ୍ନର । କେନ୍ଦ୍ର ସରକାର ମଧ୍ୟ ତୃତୀୟ ଲିଙ୍ଗ ନିମନ୍ତେ ଅନେକ କାର୍ୟ୍ୟକ୍ରମ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟରେ ସଂରକ୍ଷଣ ଠାରୁ ଆରମ୍ଭ କରି କୋଚି ମେଟ୍ରୋ ଷ୍ଟେସନରେ ନିଯୁକ୍ତି ଦେବାପରି ପଦକ୍ଷେପ ନେଇଛନ୍ତି ସରକାର । ତେବେ ତୃତୀୟ ଲିଙ୍ଗକୁ ସୁଯୋଗ ଦେବାରେ କେରଳର ଏକ ନ୍ୟୁଜ ଚ୍ୟାନେଲ ଉଦାହରଣ ସୃଷ୍ଟି କରିଛି । ଜଣେ କିନ୍ନରଙ୍କୁ ନ୍ୟୁଜ ଚ୍ୟାନେଲରେ କାମ କରିବାର ସୁଯୋଗ ଦେଇଛି ।

ପ୍ରଥମ ଥର ପାଇଁ କେରଳର ଏକ ନ୍ୟୁଜ ଚ୍ୟାନେଲ ଜଣେ କିନ୍ନରଙ୍କୁ ସାମ୍ବାଦିକ ଟ୍ରେନି ରୂପରେ କାମ ଦେଇଛି । ୨୨ ବର୍ଷୀୟ ହେଦି ସାଦିଆଙ୍କୁ ୩୧ ଅଗଷ୍ଟରେ ବ୍ରଡବ୍ୟାଣ୍ଡ ସାମ୍ବାଦିକ ଭାବେ ନିଯୁକ୍ତି ମିଳିଛି । ଚାକିରିରେ ଯୋଗଦେବାର ମାତ୍ର ଦୁଇଦିନ ମଧ୍ୟରେ ଗତକାଲି ତାଙ୍କ ଉପରେ ହାତୀ ସୁନାକଳସ ଢ଼ାଳିଥିଲା । ଚନ୍ଦ୍ରଯାନ୨ ଉଭୟରେ ଲାଭି ରିପୋର୍ଟିଂ କରିଥିଲେ ହେଦ । ଅଳ୍ପ ଦିନରେ ଦାୟିତ୍ୱପୂର୍ଣ୍ଣ କାମ ସମର୍ପି ଭରସା କରିଥିବାରୁ ପ୍ରଥମେ ହେଦି ଡରିଯାଇଥିଲେ । ହେଲେ ନ୍ୟୁଜ ଚ୍ୟାନେଲର ମୁଖ୍ୟ ତାଙ୍କୁ ଲାଇଭ ପାଇଁ ସାହସ ଦେଇଥିଲେ । ପ୍ରଥମେ ଟିକିଏ ଡରିଯାଇଥିଲେ ମଧ୍ୟ ବରିଷ୍ଠଙ୍କ ସାହସ ପାଇଁ ମାତ୍ର କିଛି ସମୟର ପ୍ରସ୍ତୁତି ପରେ ଖୁବ ଭଲ ଭାବରେ ଚନ୍ଦ୍ରଯାନ-୨ ଉପରେ ଲାଇଭ ଦେଇଥିଲେ ।

ହେଦି  ପିଲାବେଳୁ ଖୁବ ମେଧାବୀ ଏବଂ ପରିଶ୍ରମୀ । ଯୁକ୍ତ ୨ ପରେ ସେ ମାଙ୍ଗଲୁରୁରେ ଏମବିବିଏସ୍ ପାଇଁ ଏକ ବେସରକାରୀ ମେଡ଼ିକାଲ କଲେରେ ନାମ ଲେଖାଇଥିଲେ । ହେଲେ ଲିଙ୍ଗଗତ ଭେଦଭବା ତଥା ରାଗିଂର ଶିକାର ହୋଇ ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସବୁ ତୃତୀୟ ଲିଙ୍ଗୀମାନେ ଯେପରି ଦ୍ୱେସର ଶିକାର ହୁଅନ୍ତି ତାଙ୍କୁ ବି ସେପରି ସାମ୍ନା କରିବାକୁ ପଡ଼ିଥିଲା । ସବୁଠାରୁ ଦୁଃଖର କଥା ହେଲା ତାଙ୍କ ମା’ବାବା ବି ତାଙ୍କୁ  ଗ୍ରହଣ କରୁନଥିଲେ । ସବୁ ପ୍ରତିକୂଳ ସ୍ଥିତିରେ ମଧ୍ୟ ହେଦି ହାରିଯାଇନଥିଲେ । ସଂଘର୍ଷ ଓ ପାଠପଢ଼ା ଜାରି ରଖିଥିଲେ ।  ୨୦୧୮ରେ ତ୍ରିଭେନ୍ଦ୍ରମ ପ୍ରେସ କ୍ଲବରେ ପିଜି ଡିପ୍ଲୋମା କୋର୍ସ ପାଇଁ ଆବଦେନ କରିଥିଲେ । ଆଉ ତାଙ୍କୁ ୧୮ ତମ ରାଙ୍କରେ ନାମ ଲେଖାଇଥିଲେ । ଭଲ ନମ୍ବର ରଖି ସାମ୍ବାଦିକ ପାଠ୍ୟକ୍ରମରେ ସେ ଉତୀର୍ଣ୍ଣ ମଧ୍ୟ ହୋଇଥିଲେ । ହେଲେ ପୁଣି ତାଙ୍କ ପାଖରେ ଆଉ ଏକ ବାଧା ଆସି ଛିଡାହୋଇଥିଲା । ଇଣ୍ଟର୍ନସିପ ପାଇବାରେ ବହୁତ କଷ୍ଟ କରିବା ପାଇଁ ପଡ଼ିଥିଲା ।

ଅନେକ ଚ୍ୟାନେଲ ବିନା କାରଣରେ ତାଙ୍କୁ ରିଜେକ୍ଟ କରିଦେଉଥିଲା । ଶେଷରେ କେରଳର ଏକ ଟିଭି ଚ୍ୟାନେଲ ତାଙ୍କୁ ସୁଯୋଗ ଦେଇଛି । ଦୟାରେ ନୁହେଁ ତାଙ୍କର ମେଧା ଓ କିଛି କରିବାର ଇଚ୍ଛା ଦେଖି ତାଙ୍କୁ କାମ କରିବାର ସୁଯୋଗ ମିଳିଛି ।