କେରଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି : ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ୍ ସହ ସେନାର ଦୁଇ ବାହିନୀ ମୁତୟନ

35

କନକ ବ୍ୟୁରୋ : ଚଳିତ ଶତାବ୍ଦୀର ସବୁଠାରୁ ବଡ ବନ୍ୟାରେ ଦେଖିବାକୁ ମିଳିଛି କେରଳର କରାଳ ରୂପ । ବନ୍ୟା ଏବଂ ବର୍ଷା ଏ ପର୍ଯ୍ୟନ୍ତ ୩୨୪ଜଣଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟନ ଏହା ଟୁଇଟ କରି ସୂଚନା ଦେଇଛନ୍ତି । ପାଖାପାଖି ୨.୨ ଲକ୍ଷ ଲୋକ ବେଘର ହୋଇଛନ୍ତି । ଏବଂ ସେମାନେ ରିଲିଫ କ୍ୟାମ୍ପରେ ରହିଛନ୍ତି । ଏହି ବନ୍ୟାରେ ସମଗ୍ର ରାଜ୍ୟରୁ ପ୍ରାୟ ୨କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ପାଲକଡାର ନେନମାରରେ ମାଟି ଧସିବା କାରଣରୁ ୧୦ ଜଣ ପ୍ରାଣ ହରାଇଛନ୍ତି । ସେଠାରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାତିପ୍ରାୟ ୧୧ଟା ସମୟରେ କେରଳରେ ପହଂଚିସାରିଛନ୍ତି ।

ରାଜଭବନରେ ରାତିରେ ରହିବା ପରେ ଆଜି ସକାଳେ ସେ ଆକାଶମାର୍ଗରୁ କେରଳର ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ପଂଜାବ ଏବଂ ଦିଲ୍ଲୀ ଭଳି ରାଜ୍ୟ ୧୦ କୋଟି ଲେଖାଁଏ ସହାୟତା ରାଶି କେରଳ ବନ୍ୟା ପ୍ରଭାବିତଙ୍କୁ ପ୍ରଦାନ କରିଛନ୍ତି । ୨୦୯୪ଟି ରିଲିଫ କ୍ୟାମ୍ପରେ ବନ୍ୟା ପ୍ରପିଡିତଙ୍କୁ ସହାୟତା ପ୍ରଦାନ କରାଯାଉଛି । ୧୪ଟି ଆର୍ମି ହେଲିକପ୍ଟର, ୭୯ଟି ଏନଡିଆରଏଫ ବୋଟ, ୪୦୩ଟି ମତ୍ସ୍ୟଜୀବୀଙ୍କ ବୋଟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଜଳର ସ୍ରୋତ ଅଧିକ ଥିବାରୁ ଚାଲାକୁଦି, ଚେଙ୍ଗାନୁର ଅଂଚଳରେ ସ୍ଥିତି ସଙ୍ଗିନ ରହିଛି ।

ଆଜି ଅଧିକ ସଂଖ୍ୟକ ବୋଟ ଏବଂ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ୧୦କୋଟି ଟଙ୍କାର ବନ୍ୟା ରିଲିଫ ଦିଆଯାଇଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ମେଟ୍ରିକ ଟନର ରନ୍ଧାଖାଦ୍ୟ ବନ୍ୟା ବିପନ୍ନ ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ମାନକା ଗାନ୍ଧି ସୂଚନା ଦେଇଛନ୍ତି । ଦକ୍ଷିଣ ରେଳବାଇ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ପାଣି ବୋତଲ ଯୋଗାଇବାର ବ୍ୟବସ୍ଥା ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି । ଷ୍ଟାର ଇଣ୍ଡିଆ ପକ୍ଷରୁ ମଧ୍ୟ ୨କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରାଯାଇଛି ।