ବନ୍ୟାର ବିଭିଷିକାରେ ବଦଳିଲା କେରଳର ନକ୍ସା ! ୩୭୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ରିଲିଫ୍ କ୍ୟାମ୍ପରେ ପ୍ରାୟ ୮ ଲକ୍ଷ ବନ୍ୟା ବିପନ୍ନ ।

44

କନକ ବ୍ୟୁରୋ : ଶତାବ୍ଦୀର ସବୁଠୁ ବଡ ସଙ୍କଟ ହୋଇ ସାମନାକୁ ଆସିଛି କେରଳ ବନ୍ୟା । ଗତ ଶହେ ବର୍ଷ ଭିତରେ ଏଭଳି ବନ୍ୟା ସଙ୍କଟ କେବେ ଦେଖାଦେଇନଥିଲା । ପୁରା କେରଳରେ ବନ୍ୟାର ବିଭୀଷିକା ଦେଖାଦେଇଛି । ବନ୍ୟାରେ ୩୭୦ ଜଣଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହଜାର ହଜାର ଲୋକ ଏବେବି ଉଦ୍ଧାର ହେବା ପାଇଁ ଅପେକ୍ଷା କରିଛନ୍ତି । ଭାରତୀୟ ସେନା, ଏନଡିଆରଏଫ୍ ଏବଂ ବିଭିନ୍ନ ସଂସ୍ଥା ସବୁଠାରୁ ବଡ ଉଦ୍ଧାର କାମରେ ଲାଗିଛନ୍ତି । ପ୍ରାୟ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ବନ୍ୟାର ବିଭିଷିକା କେତେ ବଡ ବିପର୍ଯ୍ୟୟ ଆଣିପାରେ, କେରଳର କୋଣ ଆନୁକୋଣର ଚିତ୍ର ହିଁ ବୟାନ୍ କରୁଛି । ମାତ୍ର ୧୦ ଦିନ ଭିତରେ ଯେମିତି ବଦଳି ଯାଇଛି ସମଗ୍ର ରାଜ୍ୟର ନକ୍ସା । ପାଣି ଭିତରେ ବୁଡି ରହିଛି ଗାଁ, ସହର ଓ ମହାନଗର । ଆକାଶମାର୍ଗରୁ ଦେଖିଲେ ଲାଗୁଛି ଯେମିତି ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଜନବସତି । ଜୁଆଡେ ଚାହିଁବ ପାଣି ହିଁ ପାଣି ।

ଯୁଦ୍ଧକାଳୀନ ଭିିତ୍ତିରେ ଚାଲିଛି ଉଦ୍ଧାର । ଲୋକଙ୍କ ଜୀବନ ରକ୍ଷା ସବୁଠୁ ବଡ ଆହ୍ୱାନ । ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ବର୍ତମାନ ସମୟରେ ସବୁଠୁ ବଡ ଚ୍ୟାଲେଂଜ୍ ପାଲଟିଛି । କାରଣ ରାଜ୍ୟର ଅଧିକାଂଶ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଲୋକଙ୍କ ପାଖରୁ ପହଂଚିବା ପାଇଁ ଭରସା କହିଲେ, ଜଳପଥ ଏବଂ ଆକାଶ ପଥ । ମାତ୍ର ବନ୍ୟା ଜଳର ସୁଅ ସ୍ଥାନେ ସ୍ଥାନେ ଏତେ ପ୍ରଖର ରହିଛି ଯେ ବୋଟ୍ ନେଇ ଯିବା ବି ସଂଭବ ହେଉନି । ଅନ୍ୟପଟେ ମେଘୁଆ ପାଗ ଭିତରେ ବିମାନ ଯୋଗେ ସହାୟତା ପହଞ୍ଚାଇବା କଷ୍ଟକର ହେଉଛି ।

ଆଶ୍ରା ପାଲଟିଛି ଆଶ୍ରୟ ସ୍ଥଳି ! ଅସ୍ଥାୟୀ କ୍ୟାମ୍ପରେ ବିତୁଛି ଜୀବନ । ପିଲାଛୁଆ ଧରି ବନ୍ୟା ଆଶ୍ରୟସ୍ଥଳରେ ପଡି ରହିଛନ୍ତି ବନ୍ୟା ବିପନ୍ନ । କାରଣ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ବନ୍ୟା ପାଣିରେ ଧୋଇ ହୋଇଯାଇଛି ସବୁ କିଛି । ଘର, ଗାଁ ସହର ସବୁ ନିଶ୍ଚିହ୍ନ ହୋଇଯାଇଛି । ପ୍ରାୟ ୮ ଲକ୍ଷ ଲୋକଙ୍କ ଏବେ ଠିକଣା କହିଲେ ଏହି ବନ୍ୟା ଆଶ୍ରୟସ୍ଥଳ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିଲିଫ୍ ସାମଗ୍ରୀ ଉପରେ ଭରସା କରି ବିତୁଛି ଜୀବନ । ଆକାଶ ମାର୍ଗରୁ ଲୋକଙ୍କ ପାଖରେ ପହଂଚୁଛି ରିଲିଫ୍ ସାମଗ୍ରୀ । ଖାଦ୍ୟ ପୁଡିଆରୁ ଆରମ୍ଭ କରି ଔଷଧ ଓ ପିଇବା ପାଣି ବନ୍ୟା ବିପନ୍ନଙ୍କୁ ପହଂଚାଇବାର ଉଦ୍ୟମ ଜାରି ରହିଛି ।

ବର୍ଷା କମିବା ନେଇ ହୋଇଛି ପୂର୍ବାନୁମାନ । ହେଲେ ଟଳିନି ସଂକଟ ଓଲଟି ବଢ଼ୁଛି ସମସ୍ୟା । ଏବେବି କେରଳର ୧୦ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ୍ ଥିବା ବେଳେ ୨ଟି ଜିଲ୍ଲାରେ ୟେଲ୍ଲୋ ଆର୍ଟଲ୍ ଜାରି ରହିଛି । ଏପଟେ ଆଗାମୀ ୫ ଦିନ ଯାଏଁ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏବଂ ଏସବୁ ଭିତରେ କେରଳ ବନ୍ୟାକୁ ନେଇ ଆସୁଥିବା ତଥ୍ୟ ସାରା ଦେଶକୁ ବିବ୍ରତ କରିଦେଉଛି ।

-ବର୍ତମାନ ସୁଦ୍ଧା କେରଳ ବନ୍ୟାରେ ୩୭୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି
– ପ୍ରାୟ ୮ଲକ୍ଷ ଲୋକ ଏବେ ବନ୍ୟା ଆଶ୍ରୟସ୍ଥଳରେ ଅଛନ୍ତି

– ରାଜ୍ୟର ୧୩୪ଟି ପୋଲ ବନ୍ୟା ପାଣିରେ ଧୋଇ ଯାଇଛି

– ୧୬ ହଜାର କିଲୋମିଟର ରାସ୍ତା ସଂପୂର୍ଣ୍ଣ ଧୋଇ ଯାଇଛି

– ୪୦ ହଜାର ହେକ୍ଟର ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି

– ୨୭ ହଜାର ଘର ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି

– ଉଦ୍ଧାର କାର୍ଯ୍ୟରେ ୬୭ ଚପର୍, ୨୪ ବିମାନ ଏବଂ ୫୪୮ ବୋଟ୍ ନିୟୋଜିତ ଅଛନ୍ତି

– ବନ୍ୟା ଯୋଗୁଁ ପ୍ରାୟ ୨୧ ହଜାର କୋଟିର ସଂପତି ନଷ୍ଟ ହୋଇଛି

ବନ୍ୟାର ତାଣ୍ଡବ କେତେ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି ଏହି ସବୁ ତଥ୍ୟରୁ ହିଁ ପ୍ରମାଣିତ ହେଉଛି ।