ଖସୁଛି ବନ୍ୟା ପାଣି, ବଢ଼ୁଛି ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶା ! କେରଳରେ ୧୦ଲକ୍ଷ ବାସହୀନଙ୍କୁ ଥଇଥାନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ, ୭ଶହ କୋଟିର ସହାୟତା ଘୋଷଣା କଲା ୟୁଏଇ ।

34

କନକ ବ୍ୟୁରୋ : କେରଳରେ କମିଯାଇଛି ବନ୍ୟା ପାଣି । ବିଭିନ୍ନ ସ୍ଥାନରେ ଜଳସ୍ତର କମିଛି ସତ କିନ୍ତୁ ବଢିଛି ବିପନ୍ନଙ୍କ ଦୁର୍ଦ୍ଦଶା । ଉଦ୍ଧାରକାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ ବାସହରାଙ୍କୁ ଥଇଥାନ କରିବା ଏବେ ସରକାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଂଜ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ପ୍ରଳୟଙ୍କାରୀ ବନ୍ୟାରେ ବାସହରା ହୋଇପଡିଥିବା ଲୋକେ ମୁଣ୍ଡ ଗୁଂଜିବା ପାଇଁ ରାହା ଖୋଜୁଛନ୍ତି । ବନ୍ୟାରେ ଘରଦ୍ୱାର ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ କିଛି ଧୋଇଯାଇଛି । ତେବେ ବନ୍ୟା କମିଗଲା ପରେ ଏବେ ନିଜ ଘରକୁ ଫେରି ଉଜୁଡି ଯାଇଥିବା ସଂସାରକୁ ପୁଣି ଥରେ ସଜାଡିବାର ପ୍ରୟାସ କରୁଛନ୍ତି ବନ୍ୟା ପୀଡିତ ।

ବନ୍ୟା ଜଳ କମିଯିବା ପରେ ପ୍ରଭାବିତ ଅଂଚଳରେ ଏବେ ମହାମାରୀ ଆଶଙ୍କା ଦେଖାଦେଇଛି । ମହାମାରି ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । କେରଳକୁ ୫୦ରୁ ଅଧିକ ଟନ ଔଷଧ ପଠାଇଛି କେନ୍ଦ୍ର । ଅନ୍ୟପଟେ କେରଳ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହେଉଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୟଙ୍କର ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ସେପଟେ କେନ୍ଦ୍ରକୁ ୨ହଜାର ୬ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି କେରଳ ସରକାର ।

ଆସନ୍ତା ୪ ଦିନ ମଧ୍ୟରେ କେରଳରେ ବର୍ଷା ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହା କେରଳବାସୀଙ୍କ ପାଇଁ ଟିକେ ଆଶ୍ୱସ୍ତି ଆଣିଛି । ସେହିପରି ଅଗଷ୍ଟ ୧ ରୁ ୨୦ ତାରିଖ ଯାଏଁ କେରଳରେ ସବୁଠୁ ଅଧିକ ବର୍ଷା ହୋଇଛି ବୋଲି ଆଇଏମଡି କହିଛି । ଏହି ବର୍ଷାର ରେକର୍ଡ ଦୀର୍ଘ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି । ଚଳିତ ମାସ ୧ରୁ ୨୦ ତାରିଖ ଭିତରେ କେରଳରେ ୭୭୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା କେରଳରେ ଭୟଙ୍କର ବିପର୍ଯ୍ୟୟରେ ୪ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୧୦ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୦ ହଜାର କିଲୋମିଟର ରାସ୍ତା ଧୋଇ ହୋଇଯାଇଥିବାବେଳେ ପୋଲଗୁଡିକ ଭାଙ୍ଗିଯାଇଛି । ରେଳ ଓ ବିମାନସେବା ପ୍ରଭାବିତ ହୋଇଛି । ବର୍ଷା ଓ ବନ୍ୟା ଯୋଗୁଁ ୨୧ ହଜାର କୋଟି କ୍ଷତି ହୋଇଥିବା ଆକଳନ କରାଯାଉଛି ।

ସେପଟେ ବନ୍ୟା ବିତ୍ପାତରେ ଜୁଝୁଥିବା କେରଳକୁ ସହାୟତାର ହାତ ବଢାଇଛି ସଂଯୁକ୍ତ ଆରବ ଏମିରେର୍ଟ୍ସ ବା ୟୁଏଇ । କେରଳକୁ ୭ଶହ କୋଟିର ସହାୟତା ରାଶି ଦେବାକୁ ୟୁଏଇ ଘୋଷଣା କରିଛି । କେରଳ ବନ୍ୟା ବିପନ୍ନଙ୍କୁ ସହାୟତା କରିବା ପାଇଁ ୟୁଏଇ ସରକାର ନ୍ୟାସନାଲ ଇମରଜେନ୍ସି କମିଟି ଗଠନ କରି ଏହି ନିଷ୍ପତି ନେଇଛନ୍ତି । ୟୁଏଇରେ କେରଳର ଅନେକ ଲୋକ ରହୁଛନ୍ତି । ଆବୁଧାବୀ ରାଜକୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି । ବିଭିନ୍ନ ରାଜ୍ୟ କେରଳକୁ ବିପଦ ସମୟରେ ସାହାଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।