କେରଳରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ବର୍ଷା : ୭ଦିନରେ ୭୧ରେ ପହଂଚିଲା ମୃତ୍ୟୁ ସଂଖ୍ୟା

53

କନକ ବ୍ୟୁରୋ : କେରଳରେ ଜାରି ରହିଛି ଲଗାଣ ବର୍ଷା  । ଆଜି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ରେଡ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ । ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ନେଇ ଆର୍ଲଟ ଜାରି କରାଯାଇଛି । ଏହାସହ ପ୍ରବଳ ବର୍ଷା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୭୧ରେ ପହଂଚିଛି । ଏହାରି ମଧ୍ୟରେ ବର୍ଷା ଜଳ ନିଷ୍କସାନ ପାଇଁ ପେରିୟାର ନଦୀ ବନ୍ଧର ଗେଟ୍ ଖୋଲାଯାଇଛି । ସେପଟେ ଅଗଷ୍ଟ ୧୮ତାରିଖ ଦିନ ୨ଟା ପର୍ଯ୍ୟନ୍ତ କୋଚି ବିମାନ ବନ୍ଦରରୁ ସମସ୍ତ ଉଡାଣ ରଦ୍ଦ କରିଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ କୌଣସି ବିମାନ ଉଡାଣ ଭରିନପାରିବା ଯୋଗୁଁ ବିମାନ ବନ୍ଦରକୁ ୧୮ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି ।ଏହାଦ୍ୱାରା ଅନେକ ଜାତୀୟ ଓ ଅର୍ନ୍ତଜାତୀୟ ଉଡାଣ ସେବା ପ୍ରଭାବିତ ହୋଇଛି । ସେହିପରି ଅଗଷ୍ଟ ୧୮ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ୱାୟନାଡ, କୋଝିକୋଡ, କନ୍ନୁର, କାସରଗୋଜ, ମଲ୍ଲପୁରମ, ପଲ୍ଲକଡ ଓ ଏର୍ନାକୁଲମରେ ଗୁରୁବାର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ କେରଳ-କର୍ଣ୍ଣାଟକ ସୀମା ନିକଟରେ ଦୀର୍ଘ ସମୟ ଧରି ଟ୍ରାଫିକ ଅବ୍ୟବସ୍ଥା ଦେଖାଦେଇଛି । ବନ୍ୟା ପ୍ରଭାବିତ ଏର୍ନାକୁଲମରେ ୪୦ଟି ଉଦ୍ଧାର ଶିବିର ଖୋଲା ଯାଇଥିବା ବେଳେ ଏଠାରେ ୩୯୫ଟି ପରିବାରର ୧୧୮୦ଲୋକଙ୍କୁ ରଖାଯାଇଛି । ବନ୍ୟା ଯୋଗୁଁ ଏର୍ଣ୍ଣାକୁଲମରୁ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ବନ୍ୟା ପୀଡିତଙ୍କୁ ୧୧୭ଟି ଶିବିରୁକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ ବନ୍ୟା ଜଳ ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ଏନଡିଆରଏଫ ଟିମ ।

କେରଳରେ ଏବର୍ଷ ବର୍ଷା ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଏପରି ବର୍ଷା ଦକ୍ଷିଣଭାରତର ଏହି ରାଜ୍ୟରେ ପୂର୍ବରୁ କେବେ ହୋଇନଥିଲା । ବିଶେଷକରି ଗତ କିଛିଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ଦିନକୁ ଦିନ ବର୍ଷା ପରିମାଣ ବଢୁଛି ସିନା କମୁନାହିଁ । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଦେଶର ସର୍ବାଧିକ ବର୍ଷା ହୋଇଥିବା ୧୦ ଟି ସ୍ଥାନ ମଧ୍ୟରୁ କେରଳର ସର୍ବାଧିକ ୬ଟି ରହିଥିବାବେଳେ ଓଡ଼ିଶାର ୨ଟି ( ୬ଷ୍ଠ ସ୍ଥାନରେ କୋରାପୁଟ) ଓ ତାମିଲନାଡୁ (ଭାଲପରାଇ ୫ମ) ଓ ମହାରାଷ୍ଟ୍ରର (ମହାବଳେଶ୍ୱର ୧୦ମ ) ଗୋଟିଏ ଲେଖାଏଁ ସ୍ଥାନ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳ, ଓଡ଼ିଶା, ଉତ୍ତର-ତାମିଲନାଡୁ, ମଧ୍ୟପ୍ରଦେଶ ଓ କୋଙ୍କଣ ( ମହାରାଷ୍ଟ୍ର,ଗୋଆ ଓ କର୍ଣ୍ଣାଟକର ଉପକୂଳ ଅଞ୍ଚଳ) ରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଗାମା ୨୪ ଘଣ୍ଟାରେ ମଧ୍ୟ ଏସବୁ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ।

ସେପଟେ ମଧ୍ୟପ୍ରଦେଶ ଶିବପୁରାର ସୁଲତାନଗଡର ଏକ ଝରଣାରେ ଅଚାନକ ବନ୍ୟା ଆସିବାରୁ ଭାସିଗଲେ ପିକ୍ନିକ୍ କରିବାକୁ ଆସିଥିବା ୨ଜଣ । ତେବେ ଫଶିଥିବା ୪୫ଜଣଙ୍କ ଉଦ୍ଧାର କରାଯାଇଛି । ହେଲିକପ୍ଟର ସହାୟତାରେ ୫ଜଣଙ୍କ ଉଦ୍ଧାର କରାଯାଇଥିବାବେଳେ ରସି ସହାୟତାରେ ୪୦ଜଣଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ୍ । ଗତକାଲି ଗ୍ୱାଲିୟର ଶିବାପୁରୀ ସୀମା ନିକଟସ୍ଥ ସୁଲତାନଗଡରେ ବହୁ ସଂଖ୍ୟାରେ ଲୋକ ପିକ୍ନିକ୍ କରିବାକୁ ଆସିଥିଲେ । ଏହି ପିକନିକ୍ ସ୍ଥଳକୁ ଚାରିପଟୁ ପାହାଡ ଘେରି ରହିଛି । ଝରଣା ନିକଟରେ ପାର୍ବତୀ ନଦୀ ଓ ଅନ୍ୟ ନଦୀରେ ଅଚାନକ ବନ୍ୟା ଆସିଥିଲା । ଯାହାଦ୍ୱାରା ନଦୀର ଜଳସ୍ତର ବଢ଼ିଯାଇଥିଲା ଓ ଏଥିରେ ୪୭ରୁ ଉର୍ଦ୍ଧ ଲୋକ ଫଶିଯାଇଥିଲେ । ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାର ଓ ଏନଡିଆରଏଫର ସହାୟତା ନିଆଯାଇଥିଲା । ଉଦ୍ଧାରକାରୀ ଦଳର ସୂଚନା ଅନୁଯାୟୀ ୪୭ଜଣ ପର୍ଯ୍ୟଟକ ଫଶିଥିଲେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଫଶି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନର ସହାୟତା ନେଇଥିଲେ । ଏବଂ ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି ।