କେରଳର ବନ୍ୟାରେ ମହିଳା ପାଇଲଟଙ୍କ ଦୁଃସାହାସିକ ଉଦ୍ଧାରକାର୍ଯ୍ୟକୁ ପ୍ରଶଂସା । ମାତ୍ର ୩୦ଫୁଟ ଉଚ୍ଚରୁ ରହି ଲୋକମାନଙ୍କୁ ବନ୍ୟାରୁ କରିଥିଲେ ସୁରକ୍ଷିତ ଉଦ୍ଧାର

51

କନକ ବ୍ୟୁରୋ : କେରଳ ଭୟଙ୍କରର ବନ୍ୟାରେ ଅନେକ ଲୋକ ବାସହରା ହୋଇ ପଡିଥିବା ବେଳେ ବିପୁଳ ମାତ୍ରାରେ କ୍ଷୟକ୍ଷତି ହୋଇଛି ସେଠାରେ । ତେବେ ସେହି ସମୟରେ ସେନା ବନ୍ୟାରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲା । ତେବେ ଅନେକ ଲୋକମାନଙ୍କୁ ସେନା ପବନହଂସରେ ହିଁ ଉଦ୍ଧାର କରିଥିବା ନେଇ ମିଳିଛି ସୂଚନା । ତେବେ ନିକଟରେ କେରଳରେ ବନ୍ୟା ହେବା ପରେ ଉଦ୍ଧାରକାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବାୟୁସେନା । ବାୟୁସେନାର ପାଇଲଟମାନେ ଏହି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଉଲ୍ଲେଖ ଦାବି କରନ୍ତି ଆଇଏଏଫ୍ ପାଇଲଟ ଲ୍ୟୁଟନାଣ୍ଟ ସ୍ୱାତୀ ରାଠୋର। ସ୍ୱାତୀ ଦୁଇ ବର୍ଷ ତଳେ ପାଇଲଟ୍ ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ କରି ଉଦ୍ଧାରକାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଥିଲେ।

 

କେରଳ ବନ୍ୟା ପାଇଁ ନିୟୋଜିତ କରାଯାଇଥିବା ସମସ୍ତ ଉଦ୍ଧାରକାରୀଙ୍କ ମଧ୍ୟରୁ ସ୍ୱାତୀ ହେଉଛନ୍ତି ସର୍ବକନିଷ୍ଠ ମହିଳା ପାଇଲଟ୍। ସେ ଏମ୍ଆଇ-୧୭ ଭି୫ ହେଲିକପ୍ଟର ଯୋଗେ ଏହି ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଥିଲେ। ବନ୍ୟା ହେତୁ ଚାରିଆଡ଼େ ପାଣି ଘେରି ହୋଇ ରହିଥାଏ। ଲ୍ୟୁଟନାଣ୍ଟ ସ୍ୱାତୀ ହେଲିକପ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଉଦ୍ଧାର କରିବାକୁ ଯାଇ ପ୍ରାୟ ୩୦୦ ଜଣଙ୍କୁ ଉଦ୍ଧାର କରି ଚର୍ଚ୍ଚା ପାଲଟିଛନ୍ତି। ବିଭିନ୍ନ ଘରର ଛାତ, ବାଲକୋନି  ଓ ଗଛ ଉପରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ସେ ଉଦ୍ଧାର କରିଛନ୍ତି। ଏପରିକି ଭୂଇଁରୁ ୧୦ ମିଟର ଭିତରେ ହେଲିକପ୍ଟର ତଳକୁ ନେଇ ସେ ଲୋକଙ୍କୁ ଉଠାଇ ଆଣିବା ପରି ମହାନ କାର୍ଯ୍ୟ କରି ସାହସିକତାର ପରିଚୟ ପ୍ରଦାନ କରିଛନ୍ତି । ତେବେ ପାଇଲଟଙ୍କ ଏପରି କାର୍ଯ୍ୟକୁ ସାରା ଦେଶରେ ପ୍ରଶଂସା କରାଯାଇଛି ।