କେରଳରେ କନଫେସନ ପ୍ରଥା ବନ୍ଦ କରିବା ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ସଂଖ୍ୟାଲଘୁ ସଂଘ : ଜାଣିଶୁଣି ଏପରି କରାଯାଉଥିବା ଅଭିଯୋଗ କଲା ସଂଘ !

27

କନକ ବ୍ୟୁରୋ : କେନ୍ଦ୍ରରେ ଶାସନ କରୁଥିବା ମୋଦୀ ସରକାରଙ୍କୁ ବିରୋଧୀମାନେ ଗୋଟିଏ ପରେ ଗୋଟିଏ ସମସ୍ୟା ଉପରେ ପକାଉଛନ୍ତି । ପ୍ରଥମେ ସେମାନଙ୍କ ଅଭିଯୋଗ ଅନୁସାରେ ଏହି ସରକାର ମହିଳାମାନଙ୍କୁ ସଠିକ ଭାବରେ ସୁରକ୍ଷା ଦେଇପାରିନାହାନ୍ତି । ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ କୈାଣସି ପ୍ରକାର ଉନ୍ନତି ମୂଳକ କାମ ମଧ୍ୟ ହୋଇ ପାରୁନାହିଁ । ତେବେ ଏହାରି ମଧ୍ୟରେ କେରଳରେ କ୍ୟାଥୋଲିକ୍ ବିସପ୍ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଚର୍ଚ୍ଚରେ କନଫେସନ (ସ୍ୱୀକାରୋକ୍ତି) ପ୍ରଥାକୁ ବନ୍ଦ କରିବା ପାଇଁ ଜାତୀୟ ମହିଳା କମିସନ ଅଧ୍ୟକ୍ଷାଙ୍କ ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି। ଏଭଳି ପ୍ରସ୍ତାବ ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ଦର୍ଶାଇ ସଂଖ୍ୟାଲଘୁଙ୍କ ବିରୋଧରେ ଏହା କୌଣସି ‘ଗୁପ୍ତ ଏଜେଣ୍ଡା’ କି ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ନିକଟରେ କହିଥିଲେ ଯେ ଚର୍ଚ୍ଚରେ କନଫେସନ ପ୍ରଥାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ଆବଶ୍ୟକ।

 

ଏଥିରେ ମହିଳାଙ୍କୁ ବ୍ଲାକ୍ମେଲ କରାଯାଉଛି ଏବଂ ସେମାନଙ୍କ ଦୁର୍ବଳତାରୁ ଫାଇଦା ଉଠାଇ ଶୋଷଣ ଚାଲିଛି। କମିସନ ଅଧ୍ୟକ୍ଷ ରେଖା ଶର୍ମା କହିଥିଲେ ଯେ ଚର୍ଚ୍ଚରେ ପାଦ୍ରୀମାନେ କନଫେସନ ଆଳରେ ମହିଳାଙ୍କ ଉପରେ ଚାପ ସୃଷ୍ଟି କରି ସେମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକମେଲ କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଚର୍ଚ୍ଚରେ ପାଦ୍ରୀଙ୍କ ସମ୍ମୁଖରେ ନିଜ ଦୋଷତ୍ରୁଟି ସ୍ୱୀକାର କରିବା ପରମ୍ପରାକୁ କନଫେସନ କୁହାଯାଉଛି। କେରଳରେ କେତେକ ବଳାତ୍କାର ମାମଲାରେ ଏଭଳି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବାପରେ ଏହାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଥିଲା। ଏହାପରେ କନଫେସନ ଉଚ୍ଛେଦ ପାଇଁ ମହିଳା କମିସନ ପ୍ରସ୍ତାବ ଦେଇଥିଲେ। ତେବେ ଚର୍ଚ୍ଚରେ କନଫେସନ ଆଳରେ କୌଣସି ଅପରାଧିକ କାର୍ଯ୍ୟକୁ କଦାପି ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ବିଭିନ୍ନ ସଂଗଠନ ମତ ରଖିଛନ୍ତି। ତେବେ ଏହା ପ୍ରଥମ ନୁହେଁ ଅନେକ ସମୟରେ ଧାର୍ମିକ ଭାବନାକୁ ନେଇ ସମସ୍ୟା ଦେଖାଯାଇଛି । ତେବେ ସରକାରଙ୍କୁ ଏପରି ସମସ୍ୟା ଘେରିଛି । କାରଣ ପ୍ରତ୍ୟେକ ସମୟରେ ଅନେର ରାଜ୍ୟରେ ଧାର୍ମିକ ସମସ୍ୟା ଦେଖାଯାଉଛି ।

ଏଥରେ କେନ୍ଦ୍ରସରକାର ଓ ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ ମାମଲା ମଧ୍ୟ ହୋଇଛି । ଯେହେତୁ ଏହା ଧାର୍ମିକ କଥା ତେଣୁ ହଠାତ କୈାଣସି ପ୍ରକାର ନିଷ୍ପତ୍ତି ହୋଇପାରୁନାହିଁ । ପୂର୍ବରୁ କେରଳରେ ସାବରମାଳା ମନ୍ଦିରରେ ମହଳାମାନଙ୍କ ପ୍ରବେଶ ଉପରେ ଯେଉଁ କଟକଣା ଲାଗିଥିଲା ତାହାକୁ ଉଚ୍ଚେଦ କରିବା ପାଇଁ କୋର୍ଟରେ ମାମଲା ରୁଜୁ ହୋଇଥିଲା କିନ୍ତୁ କୋର୍ଟ ମନ୍ଦିର ପ୍ରଶାସନକୁ କହିଥିଲେ ଯଦି ଏପରି କିଛି ନିୟମ ରହିଛି ତେବେ ତାହାକୁ କୋର୍ଟରେ ଦାଖଲ କରନ୍ତୁ ନଚେତ ସମ୍ବିଧାନ ଅନୁସାରେ ରାୟ ପ୍ରକାଶ ହେବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ତେବେ ପୁଣିଥରେ ଚର୍ଚ୍ଚରେ ଦେଖାଯାଇଥିବା ସମସ୍ୟାକୁ କିପରି ଭାବରେ ସମଧାନ କରାଯିବ ତାହା ଉପରେ ରହିଛି ନଜର ।