ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ! ସମସ୍ୟା ସହ ସାଲିସ୍ ନକରି ମହିଳା ଖୋଳିଲେ ୧୯୦ଟି କୂଅ

46

‘ସମସ୍ୟା ଏବଂ ସମୟ ସହ ସାଲିସ୍ କରିବା ମହିଳା ମାନଙ୍କ ଅଭ୍ୟାସ’ । ଏକଥାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି କେରଳ ପକ୍କୁଟୁକ୍କାଭୁ ଗ୍ରାମର ମହିଳାମାନେ । ନିଜର ଆତ୍ମବିଶ୍ୱାସ ବଳରେ ଏହି ମହିଳାମାନେ ଏଭଳି ଏକ ସମସ୍ୟାର ସମାଧାନ କରି ଦେଖାଇଛନ୍ତି ଯାହା ଅବିଶ୍ୱସନୀୟ । ପାନୀୟ ଜଳ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ପ୍ରଚେଷ୍ଟାରେ ଖୋଳିଛନ୍ତି ୧୯୦ଟି କୂଅ । ତା ପୁଣି ବିନା କାହା ସହାୟତାରେ ।

ପଲ୍ଲକଡ଼ ଜିଲ୍ଲାଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୨୦ ହଜାର । ଯେଉଁଠି ପାଣି ମୁନ୍ଦେ ସ୍ୱପ୍ନ ଥିଲା । ଫଳରେ ଗ୍ରାମବାସୀଙ୍କୁ ପାଣି ଟ୍ୟାଙ୍କର୍ ଉପରେ ନିର୍ଭର କରିବାକୁ ପଡୁଥିଲା । ଖରାଦିନେ ଅବସ୍ଥା କହିଲେ ନସରେ । ତେବେ ଜଳ ପାଇଁ ଏହି ଯୁଦ୍ଧରେ ଅଂଟା ଭିଡିଥିଲେ ଗାଁର ମହିଳା ମାନେ । ଆଉ ଏକାଠି ହୋଇଥିଲେ ବୟସ୍କ ଠାରୁ ଆରମ୍ଭ କରି ବୃଦ୍ଧା ଯାଏଁ ପାୟ ୩୦୦ ମହିଳା । କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଏହି ମହିଳା ମାନଙ୍କ ଇଚ୍ଛା ଆଗରେ ହାର୍ ମାନିଥିଲା ବୟସ, ଅସହାୟତା ଓ ଶାରୀରିକ ସୀମା । ସିଡ଼ିର ବ୍ୟବହାର କରି କୂଅ ମଧ୍ୟରେ ପଶି କୋଦାଳ, କାଙ୍କଡ଼ ଆଦି ସହାୟତାରେ ମାଟି ଖୋଳିବା ଆରମ୍ଭ କରିଥିଲେ ।

ତେବେ ଏହି ୧୯୦ଟି କୁଅ ଖୋଳିବା ଏତେ ସହଜ ନଥିଲା । ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ ବି ନା ଅଟକି ଯାଇଥିଲେ ନା ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଥିଲେ ଏହି ମହିଳାମାନେ । ୩୫ରୁ ୭୦ ବର୍ଷର ଏହି ମହିଳାମାନେ ନିଜର ପରିଶ୍ରମ ବଳରେ ପାଣି ବିନା ହନ୍ତସନ୍ତ ହେଉଥିବା ନିଜର ଗ୍ରାମରେ ମହାତ୍ମାଗାନ୍ଧି ରାଷ୍ଟ୍ରିୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନୁଯାୟୀ ଗତ ଅଗଷ୍ଟ ମାସରୁ ଏବେ ମଧ୍ୟରେ ୧୯୦ଟି କୂଅ ଖୋଳିବାରେ ସଫଳ ହୋଇଛନ୍ତି । ତେବେ ଏହି କାମ ପାଇଁ ସେମାନେ ଟଙ୍କା ଟିଏ ମଧ୍ୟ ପାଇନାହାଁନ୍ତି ।

କୌଣସି ମେସିନ ସାହାଯ୍ୟ ନନେଇ ସେମାନେ ୧୦-୧୨ ମିଟର ପର୍ଯ୍ୟନ୍ତ ଗଭୀର କୂଅ ଖୋଳିବାରେ ସଫଳ ହୋଇଛନ୍ତି । ଏହା ସହ ବିନା କୌଣସି ଟ୍ରେନିଂରେ ମହିଳାମାନେ ଏପରି କଠିନ କାର୍ଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଅନନ୍ୟ ଉଦାହରଣ ପାଲଟିଛନ୍ତି ।