ଟୋପାଏ ପାଣି ପାଇଁ ସଂଘର୍ଘ ଜାରି ! ଆଦିବାସୀ ବହୁଳ ରନ୍ଥମରା ଗାଁରେ ଲୋକଙ୍କ ଶୋଷ ମେଂଟାଉଛି ଡ୍ରେନ ପାଣି

39

କନକ ବ୍ୟୁରୋ : ସରକାର ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାକୁ ଅନେକ ଯୋଜନା କରିଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଟୋପାଏ ପାଣି ପାଇଁ ସଂଘର୍ଘ କରୁଛନ୍ତି ମଣିଷ । ଗାଁରେ ଥିବା ଏକମାତ୍ର ନଳକୂପରୁରୁ ପର୍ଯ୍ୟାପ୍ତ ପାଣି ବାହାରୁ ନଥିବାରୁ ଶୋଷ ମେଂଟାଇବାର ଶେଷ ଠିକଣା ପାଲଟିଛି ଡ୍ରେନ ।

କେନ୍ଦୁଝର ସଦର ବ୍ଲକର ଆଦିବାସୀ ବହୁଳ ରନ୍ଥମରା ଗାଁ । ସଦର ମହକୁମାଠାରୁ ୧୦ କି.ମି. ଦୁରରେ ଥିବା ଏହି ଗାଁରେ ମୁଣ୍ଡା ଓ ଆଦିବାସୀ ସଂପ୍ରଦାୟର ୧୫୦ ପରିବାର ବସବାସ କରନ୍ତି । ପ୍ରାୟ ୧ ହଜାରରୁ ଅଧିକ ଲୋକ ରହୁଥିବା ଏହି ଗାଁରେ ପିଇବା ପାଣି ପାଇଁ ମାତ୍ର ଗୋଟିଏ ନଳକୂଅ ରହିଛି । ସେଥିରୁ ପୁଣି ଠିକ୍ ଭାବେ ପାଣି ବାହରୁନାହିଁ । ଫଳରେ ଗ୍ରାମବାସୀ ଗାଁ ମଝୀ ଦେଇ ଯାଇଥିବା ଡ୍ରେନ ପାଣି ଉପରେ ଲୋକ ନିର୍ଭରଶୀଳ ।

ଡ୍ରେନ ପାଣିରେ ରନ୍ଧାବଢା, ବାସନ ଧୁଆ, ଲୁଗାପଟା ସଫା ସବୁ କିିଛି କରୁଛନ୍ତି । ଏବଂ ପାନୀୟ ଜଳ ଭାବେ ମଧ୍ୟ ବ୍ୟବହାର କରୁଛନ୍ତି । ପିଇବା ପାଣି ମୁନ୍ଦେ ପାଇଁ ପ୍ରଶାସନ ଠାରୁ ରାଜନେତା ଯାଏଁ ସମସ୍ତଙ୍କୁ ଗୁହାରି କରି ନିରାସ ହେବା ପରେ ଭାଗ୍ୟକୁ ଆଦରି ଡ୍ରେନ ପାଣି ପିଉଛନ୍ତି । ସେପଟେ ଏନେଇ ବଡିଓ ଅବଗତ ହେବା ପରେ ନଳକୂପକୁ ତୁରନ୍ତ ମରାମତି କରି ଗ୍ରାମଲୋକଙ୍କୁ ବିଶୁଦ୍ଧ ଜଳ ଯୋଗଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ରନ୍ଥମରା ଗ୍ରାମବାସୀଙ୍କ ଭାଗ୍ୟରେ କେବେ ବିଶୁଦ୍ଧ ପାନୀୟ ଜଳ ଟିକକ ପହଂଚି ପାରୁଛି ।