କେନ୍ଦୁଝରରୁ ଆସିଲା ସଂଘର୍ଷ ଆଉ ସଫଳତାର କାହାଣୀ: ବରା ବିକି ବଡ ର‌୍ୟାଙ୍କ ପାଇବା ପରେ ଚର୍ଚ୍ଚାରେ ଭବାନୀ ଶଙ୍କର

1,000

କନକ ବ୍ୟୁରୋ: ସତ ହେଲା ସ୍ୱପ୍ନ । ବହୁ ସଂଘର୍ଷ ପରେ ମିଳିଲା ସଫଳତା । ବରା ବିକାଳି ପାଇଲା ବଡ ର‌୍ୟାଙ୍କ । ଘରର ଆର୍ଥିକ ପରିସ୍ଥିତି ଭଲନଥାଇ ବି ଭଲ ର‌୍ୟାଙ୍କ ପାଇଛନ୍ତି ଜଣେ ଗରିବ ଘରର ପିଲା । ଓଜେଇଇ ରେଜଲ୍ଟ ବାହାରିବା ପରେ କେନ୍ଦୁଝରରୁ ଆସିଛି ଏମିତି ଏକ କାହାଣୀ ।

ଘଟଗାଁ ପିପିଳିଆର ଭବାନୀ ଶଙ୍କର ବେହେରା ଓଜେଇଇରେ ଟପ୍ପର ହେବାପରେ ସାରା ଓଡିଶାରେ ଏବେ ଚର୍ଚ୍ଚା ହେଉଛି ତାଙ୍କ ସଫଳତାର କାହାଣୀ । ଜଳଖିଆ ଦୋକାନରୁ ଓଜେଇଇ ଟପ୍ପର ହୋଇଛନ୍ତି ଭବାନୀ । ବରା ବିକି ଆଉ ବାକି ସମୟରେ ପାଠ ପଢି ଟପ୍ପର ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସେ ।

ତେବେ ବାପା ଗୁରୁଚରଣ ବେହେରା ଜଳଖିଆ ଦୋକାନକୁ ଭଡାରେ ନେଇ ସେଥିରୁ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ପୁଅ ଭବାନୀ ମଧ୍ୟ ବାପାଙ୍କୁ ଦୋକାନରେ ସାହାଯ୍ୟ କରିବା ସହ ପାଠ ପଢାପଢି କରନ୍ତି । ଦିନରେ ଦୋକାନ ଚଳାଇବା ସହ ରାତିରେ ପାଠ ପଢନ୍ତି ଭବାନୀ । ଛୋଟ ବେଳୁ ଇଂଜିନିୟର ହେବାର ଆଶା ରଖିଥିବା ଭବାନୀ ଘରର ଅର୍ଥର୍ନୈତିକ ସ୍ଥିତି ଭଲ ନଥିବାରୁ ବହୁ କଷ୍ଟରେ ପାଠ ପଢନ୍ତି । ଅନେକ ଦୁଃଖ କଷ୍ଟ ସହି ସେ ଆଜି ସଫଳତା ପାଇଛନ୍ତି । ତେବେ ଭବାନୀଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ବାପା ମା ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।