ସସପେନ୍ସ ବଢ଼ାଉଛି କେନ୍ଦୁଝର ସଦର ! ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ନେଇ ଚିନ୍ତାରେ ବିଜେଡି, ଯୋଗ୍ୟ ପ୍ରାର୍ଥୀ ଖୋଜୁଛନ୍ତି ବିଜେପି-କଂଗ୍ରେସ ।

ଏହି ଆସନ କାହା ହାତକୁ ଯିବ, ତାହାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଛି ।

125

କନକ ବ୍ୟୁରୋ: କାହାର ହେବ କେନ୍ଦୁଝର । ଗତ ଦୁଇଟି ବିଧାନସଭାରେ କେନ୍ଦୁଝର ବିଧାନସଭା ଆସନ ରେ କବଜା କରିଛି ବିଜେଡି । ଏହା ପୂର୍ବରୁ ବିଜେପି ଏହି ଆସନରେ ନିଜର ଦବଦବା ରଖିଥିଲା । ତେବେ ଆଗାମୀ ନିର୍ବାଚନରେ ପୁଣି ଏହି ନିର୍ବାଚନରେ ନବୀନ ହାୱା ବହିବ ନା ମୋଦି ମ୍ୟାଜିକରେ ଏଥର ପଦ୍ମ ଫୁଟିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିଭଳି ଏଠାରେ କଂଗ୍ରେସର ସ୍ଥିତି ଖାସ୍ ଭଲ ନଥିବାବେଳେ ଯୁବ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓ ପିିସିସି ମୁଖିଆ ନିରଞ୍ଜନଙ୍କ ରଣନୀତିରେ ‘ହାତ’କୁ ମଜଭୁତ କରିବାକୁ ବଳ କଷୁଛି କଂଗ୍ରେସ । ତେବେ ଏହି ଆସନ କାହା ହାତକୁ ଯିବ, ତାହାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଛି ।

କେନ୍ଦୁଝର ସଦର କହିଲେ ସଦର ବ୍ଲକ, ଝୁମ୍ପୁରା ବ୍ଲକର ୧୨ଟି ପଞ୍ଚାୟତ ଓ ବା˚ଶପାଳ ବ୍ଲକର ୫ଟି ପଞ୍ଚାୟତକୁ ନେଇ ଏହି ଅନୁସୂଚିତ ଜନଜାତି ଆସନ ବର୍ଗ ପାଇଁ ସଂରକ୍ଷିତ ରହିଛି । ଏହି ଆସନରୁ ଗତ ବିଧାନସଭା ନିର୍ବାଚନରେ ବିଜେଡିର ଅଭିରାମ ନାଏକ ବିଜୟୀ ହୋଇଥିଲେ । ତାଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପିର ମୋହନ ଚରଣ ମାଝୀ । ସେହିଭଳି ସ୍ୱାଧୀନ ପ୍ରାର୍ଥୀ ଦ୍ୱାରିକାନାଥ ନାଏକ ତୃତୀୟ ସ୍ଥାନ ପାଇଥିଲେ । ଆଉ କଂଗ୍ରେସ ଚତୁର୍ଥ ସ୍ଥାନରେ ରହି ସନ୍ତୁଷ୍ଟ ହୋଇଥିଲା । କିନ୍ତୁ ଏହି ଆସନ ପାଇଁ ଲଢେଇ ଘମାସାନ ହେବ ବୋଲି ସ୍ଥାନୀୟ ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

ଶାସକ ବିଜେଡି ପକ୍ଷରୁ ବିଧାୟକ ଅଭିରାମ ନାଏକ ଆଶାୟୀ ହେବା ଏକ ପ୍ରକାର ସ୍ଥିର ହୋଇଥିବା ଶୁଣିବାକୁ ମିଳୁଛି । କିନ୍ତୁ ଗତ ଦୁଇ ବର୍ଷ ଧରି ତାଙ୍କୁ ଜିଲ୍ଲାର ବିଜେଡି ସଭାପତି ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗୋଷ୍ଠୀ କୋଣଠେସା କରି ରଖିଛନ୍ତି । ଅନ୍ୟ ଦୁଇ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ବାବୁରାମ ନାଏକ ଓ ମାଧବ ସର୍ଦ୍ଦାରଙ୍କ ନାମ ରହିଛି । ୨୦୧୪ ନିର୍ବାଚନରେ ମନ୍ତ୍ରୀ ଗୋଷ୍ଠୀ ବାବୁରାମଙ୍କୁ ପ୍ରାର୍ଥୀ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସଫଳ ହୋଇ ନ ଥିଲା । ବର˚ ମନ୍ତ୍ରୀଙ୍କ ଚାଲକୁ ଚକମାଦେଇ ଅଭିରାମ ନାଏକ ଟିକେଟ ପାଇବାକୁ ସର୍ମଥ ହୋଇଥିଲେ ବୋଲି ଆଲୋଚନା ହୋଇଥିଲା । ଗତ କିଛି ଦିନ ପୂର୍ବେ କଂଗ୍ରେସ ଛାଡ଼ି ଆସିଥିବା ପୂର୍ବତନ ସା˚ସଦ ମାଧବ ସର୍ଦାର ପ୍ରାର୍ଥୀ ହେବା ଆଶାନେଇ ଶଙ୍ଖ ଧରିଛନ୍ତି । ସେହିଭଳି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ଦଳର ସୁପ୍ରିମୋଙ୍କ ନିଷ୍ପତିକୁ ଚାହିଁ ବସିଛନ୍ତି । ଅନ୍ୟଥା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ବିଜେଡିକୁ ଟକ୍କର ଦେଇଥିଲେ ମଧ୍ୟ ବିଜେପିର ମୋହନ ଚରଣ ମାଝୀ ଗତ ଦୁଇଥର ନିର୍ବାଚନରେ ପରାଜିତ ହୋଇଛନ୍ତି । ଏହାସତ୍ତେ୍ୱ ଆଗାମୀ ନିର୍ବାଚନରେ ମଧ୍ୟ ବିଜେପିର ପ୍ରମୂଖ ଦାବିଦାର ରହିଥିବା ଚର୍ଚ୍ଚା ହେଉଛି । ଅନ୍ୟ ଆଶାୟୀ ପ୍ରାର୍ଥୀଭାବେ ମାନସ ରଞ୍ଜନ ସି˚ହଙ୍କ ନାଁ ବି ଟିକେଟ୍ ଦୌଡ଼ରେ ରହିଛ । ତେବେ ଗେରୁଆ କ୍ୟାମ୍ପକୁ କିଏ ଶକ୍ତି ଦେବ ଏବଂ ବିଜେଡିକୁ ମାତ୍ ଦେଇ ପଦ୍ମ ଫୁଟାଇବାରେ ସକ୍ଷମ ହୋଇପାରିବ ତାକୁ ହିଁ ବାଛିବେ ରାଜ୍ୟ ବିଜେପି ନେତୃବୃନ୍ଦ ।

ଅପରପକ୍ଷେ ଉଭୟ ବିଜେଡି ଓ ବିଜେପିର ଶକ୍ତିକୁ ସାମ୍ନା କରିପାରିନଥିବା କଂଗ୍ରେସ ଚଳିତ ନିର୍ବାଚନ ପାଇଁ ଶକ୍ତି ଜୁଟାଇବାରେ ଲାଗିଛି । ଆଉ ନୂଆ ମୁହଁକୁ ସୁଯୋଗ ଦେଇ ଭୋଟ ହାତେଇପାରେ ବୋଲି କଂଗ୍ରେସ କ୍ୟାମ୍ପରେ ଶୁଣିବାକୁ ମିଳୁଛି । ତେଣୁ ଗତ ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ସିଦ୍ଧେଶ୍ବର ନାଏକ ମୋଟ ୧୭,୫୩୧ ଖଣ୍ତ ଭୋଟ ପାଇଥିଲେ ସୁଦ୍ଧା ଏଥର କେଂଗ୍ରସ ପ୍ରାର୍ଥୀ ଦୌଡରେ ବିଦ୍ୟାଧର ଦେହୁରୀ ଅଛନ୍ତି । କାରଣ ବିଦ୍ୟାଧର ଏବେ ‘ହାତ’କୁ ମଜଭୁତ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି ।