ଟଙ୍କିକିଆ ଚାଉଳ ପାଇଁ ୫୦ ଟଙ୍କା ଖର୍ଚ୍ଚ : ନଦୀରେ ବନ୍ଧାରେ ପଡ଼ିଛି ଜୀବନ, ଦହଗଞ୍ଜ ହେଉଛନ୍ତି କେନ୍ଦୁଝର ଜିଲ୍ଲା କେନ୍ଦୁଘାଟି ଗାଁର ଲୋକେ

651

କନକ ବ୍ୟୁରା : ଟଙ୍କିକିଆ ଚାଉଳ ପାଇଁ ୫୦ ଟଙ୍କା ଖର୍ଚ୍ଚ । ଏମିତି ଦହଗଞ୍ଜ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ କେନ୍ଦୁଘାଟିର ହିତାଧିକାରୀମାନେ। ଗୁହାରି, ନିବେଦନ, ଦାବି କରିବା ପରେ ଭୋଟ ବର୍ଜନ କଲେ । ତଥାପି ସେମାନଙ୍କ ଦାବି ପୂରଣ ହୋଇପାରିଲାନାହିଁ । ଆଜି ବି କେନ୍ଦୁଘାଟିବାସୀଙ୍କ ଜୀବନ ନଈରେ ବନ୍ଧା ହୋଇଛି । ବର୍ଷର ୩/୪ ମାସ ଜଳବନ୍ଦୀ ହୋଇ ରହୁଛନ୍ତି । ଗାଁର ତିନି ପାର୍ଶ୍ବରେ ଦୁଇଟି ନଦୀ- ବୈତରଣୀ ଓ ମାଲଦା ନଦୀ ବହି ଯାଇଛି। ଗୋଟିଏ ପାର୍ଶ୍ବରେ କାଳିମାଟି ପାହାଡ଼। ଏକପ୍ରକାର ବନ୍ଦୀ ଅବସ୍ଥା । ବର୍ଷା ୩/୪ ମାସ ଟଙ୍କିକିଆ ଚାଉଳ ପାଇଁ ସେମାନଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

କେନ୍ଦୁଘାଟି ଗ୍ରାମରୁ ପଞ୍ଚାୟତ କାର୍ଯ୍ୟାଳୟ ଫୁଲଝର ୫-୬ କିଲୋମିଟର ରାସ୍ତା । ନଦୀରେ ପୋଲ ନାହିଁ । ଲୋକମାନେ ଅଣ୍ଟାଏ ପାଣିରେ ପଶି ପାରି ହେଉଛନ୍ତି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସ୍ରୋତ ପ୍ରଖର ଥିଲେ ବି ଅନ୍ୟଗତି ନାହିଁ । ସମସ୍ତେ ଗରିବ ଆଦିବାସୀ ଶ୍ରେଣୀର । ଚାଷରରୁ ଯାହା ରୋଜଗାର ହୁଏ, ସେତିକିରେ ପେଟ ପୂରେ ନାହିଁ । ଟଙ୍କିକିଆ ଚାଉଳ ନେବା ପାଇଁ ଫୁଲଝର ପଞ୍ଚାୟତ କାର୍ଯ୍ୟାଳୟକୁ ନଦୀରେ ପଶି ଆସନ୍ତି । ନଦୀକୂଳରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବାରେ ଅଟୋ ଭଡ଼ା ୫୦ ଟଙ୍କାରୁ ଅଧିକ ତାଙ୍କର ଖର୍ଚ୍ଚ ହୋଇଥାଏ । ତାଙ୍କ ଗାଁରେ ଚାଉଳ ଦେବା ପାଇଁ ବର୍ଷ ବର୍ଷ ଧରି କେନ୍ଦୁଘାଟିବାସୀ ଦାବି କରୁଥିଲେ ହେଁ ତାହା ହେଉନାହିଁ ।

ବୈତରଣୀ ନଦୀରେ ଏକ ପୋଲ ନିର୍ମାଣ ହୋଇଗଲେ ସେମାନଙ୍କର ଦୁଃଖ ସରିଯାଆନ୍ତା ବୋଲି ଗ୍ରାମାବସୀ କହିଛନ୍ତି। ଅନେକ ସମୟରେ ଲୋକମାନେ ହୁଲିଡଙ୍ଗାରେ ପାର ହୋଇଥାଆନ୍ତି। ସେଥିରେ ମାତ୍ର ୪ରୁ ୫ ଜଣ ଯାଇପାରିବେ। ସେଠାରେ ଆଣ୍ଠେଇକି ବସିବାକୁ ପଡ଼େ। ତଥାପି ପ୍ରଶାସନର ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟ ର ବିଷୟ‌।