କେନ୍ଦୁଝର ପୋଲିସର ବାହୁବଳୀ ଫର୍ମୁଲା ! ହେଲମେଟ୍ ପାଇଁ ସଚେତନତା

29

ଅମରେନ୍ଦ୍ର ବାହୁବଳୀ । ବକ୍ସ ଅଫିସ୍ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମୁହଁରେ ଛାଇ ଯାଇଥିଲା ଏହି ନାଁ । ଆଉ ଏବେ କେନ୍ଦୁଝର ପୋଲିସ୍ ବାହୁବଳୀ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଅଂଟା ଭିଡିଛି । ଅମରେନ୍ଦ୍ର ବାହୁବଳୀ ଆଉ ଜୀବିତ ନାହାନ୍ତି ହେଲେ ଅନେକଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ ।

କେନ୍ଦୁଝର ପୋଲିସ୍ ଟ୍ୱିଟ୍ କରି ଲୋକଙ୍କୁ ହେଲମେଟ୍ ବ୍ୟବହାର ବାବଦରେ ସଚେତନ କରିବାକୁ ଚାହିଁଛି । ଟ୍ୱିଟରେ କୁହାଯାଇଛି, ରିଲ୍ ଲାଇଫରେ ସୁପର ହିରୋ ହେଲମେଟ୍ ବ୍ୟବହାର କରୁଥିଲେ, ତେଣୁ ରିୟଲ୍ ଲାଇଫରେ ଆମେ ଗାଡି ଚଲାଇଲା ବେଳେ ହେଲମେଟ୍ ବ୍ୟବହାର କରିବା ଆବଶ୍ୟକ ।

ଏନେଇ କେନ୍ଦୁଝର ଏସପି ରାଜେଶ ପଣ୍ଡିତ କହିଛନ୍ତି, ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ ରଖାଯାଇଛି । ଅଗାମୀ ଦିନରେ ବିଭିନ୍ନ ପୋଷ୍ଟର, ବ୍ୟାନର ମାଧ୍ୟମରେ ମଧ୍ୟ ଲୋକଙ୍କ ଭିତରେ ଟ୍ରାଫିକ୍ ନିୟମ ବାବଦରେ ସଚେତନତା ସୃଷ୍ଟି କରାଯିବ । ଖାଲି ଏତିକି ନୁହେଁ, ସର୍ଟ ପ୍ଲେକୁ ମଧ୍ୟ ମାଧ୍ୟମ କରାଯିବ ବୋଲି ରାଜେଶ ପଣ୍ଡିତ କହିଛନ୍ତି ।

ତେବେ ବଡ କଥା ହେଉଛି, ଗତ କିଛି ଦିନ ତଳେ ଜଶପ୍ରୀତ ବୁମରାହଙ୍କ ନୋ-ବଲ୍ ଫଟୋକୁ ବ୍ୟବହାର କରି ଜୟପୁର ପୋଲିସ ଟ୍ରାଫିକ ନିୟମ ବାବଦରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଥିଲା । ହେଲେ ଏହା ସେତେବେଳେ ବିବାଦୀୟ ହୋଇଥିଲା । କାରଣ, ପାକିସ୍ତାନ ବିପକ୍ଷ ଫାଇନାଲରେ ବୁମରାହଙ୍କ ଏହି ନୋ ବଲ୍ ଭାରତ ପାଇଁ ମହଙ୍ଗା ହୋଇଥିଲା । ହେଲେ କେନ୍ଦୁଝର ପୋଲିସ୍ ଏବେ ରିଲ୍ ଲାଇଫରେ ହିରୋଙ୍କୁ ବ୍ୟବହାର କରି ଲୋକଙ୍କୁ ସଚେତନ କରିବାକୁ କରିଥିବା ଉଦ୍ୟମ ସବୁ ମହଲରେ ପ୍ରଶଂସିତ ହୋଇଛି ।