ଭୁଲ୍ ରକ୍ତ ମାରିଦେଲା ! ଡାକ୍ତର ଓ ନର୍ସଙ୍କ ଅବହେଳା ନେଲା ରୋଗୀଙ୍କ ଜୀବନ

31

କେନ୍ଦୁଝର : ରୋଗ ଭଲ କରିବାକୁ ଆସିଥିଲେ ହସପିଟାଲ୍ । ହେଲେ ରୋଗରୁ ଅଧିକ ପୀଡା ଦେଲା ହସପିଟାଲ୍ । ଡାକ୍ତରଙ୍କ ଅବହେଳାରୁ ଭଲ ହେବା ବଦଳରେ ସବୁ ଦିନ ପାଇଁ ଆଖିବୁଜିଛନ୍ତି ଜଣେ ମହିଳା । କେନ୍ଦୁଝର ହସପିଟାଲରେ ଭୁଲ୍ ରକ୍ତ ଦିଆଯିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଦୁଇ ଅସ୍ଥାୟୀ ନର୍ସଙ୍କୁ ପ୍ରଥମେ ନିଲମ୍ବନ ଏବଂ ପରେ ବହିଷ୍କୃତ କରାଯାଇଛି । ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟବିଭାଗକୁ ସୁପାରିସ କରିଛନ୍ତି ସିଡିଏମ୍ଓ ।

ଦେହ ଅସୁସ୍ଥ ହେବାରୁ ଗତକାଲି ସୁକାନ୍ତି ନାଏକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ କହିଥିଲେ । ତେବେ ଓ-ପଜିଟିଭ୍ ବଦଳରେ ତାଙ୍କୁ ଦିଆଯାଇଥିଲା ଏ-ପଜିଟିଭ୍ ରକ୍ତ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଗଲା । ଥରେ ନୁହେଁ , ଦୁଇ ଦୁଇ ଥର ଦିଆଯାଇଥିଲା ଭୁଲ୍ ରକ୍ତ । ଆଉ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡୁଥିବା ବେଳେ ଦେଖିବାକୁ ପାଖରେ ନଥିଲେ ଡାକ୍ତର ।

ଏପରିକି କାକୁତି ମିନତି କଲା ପରେ ବି ଏଡିଏମଓ ଆସିନଥିବା ଅଭିଯୋଗ ହୋଇଛି । ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହସପିଟାଲ ବେଡରେ ପ୍ରାଣ ହରାଇଥିଲେ ସୁକାନ୍ତି । କିଛି ସମୟ ମଧ୍ୟରେ ବାହାରେ ପ୍ରଚାରିତ ହୋଇଗଲା ଖବର । ହସପିଟାଲ ବାହାରେ ଆରମ୍ଭ ହୋଇଗଲା ଉତେଜନା । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକେ । ସିଡିଏମ୍ଓ ଓ ଏଡିଏମଓଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା ।

ଅନ୍ୟପଟେ ଅବହେଳାକୁ ମାନିଛନ୍ତି ସିଡିଏମ୍ଓ । କହିଛନ୍ତି, ଅକ୍ଷମଣୀୟ ଭୁଲ୍ ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଆସିଥାନ୍ତି ରୋଗୀ । ଆଉ ଯଦି ଡାକ୍ତର ହିଁ ଭୁଲ୍ କରିଦେବେ ତେବେ ରୋଗୀଙ୍କୁ ବଂଚାଇବ କିଏ ? କେନ୍ଦୁଝର ମୁଖ୍ୟ ଡାକ୍ତରଖାନାର ଏହି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଭୁଲ୍ ରକ୍ତ ଦେବା ପଛରେ ଦାୟୀ କିଏ ? ରକ୍ତ ଦେବା ପୂର୍ବରୁ ପରୀକ୍ଷା କରାଯାଇନଥିଲା କି ? ହସପିଟାଲ କର୍ମଚାରୀଙ୍କ ଖାମଖିଆଲ୍ ମନୋଭାବରୁ ଏଭଳି ଘଟଣା ଘଟିଲା କି ? ଏସବୁ ପ୍ରଶ୍ନ ଏବେବି ଅସମାହିତ ହୋଇ ରହିଛି ।