କେନ୍ଦୁଝର ମୁଖ୍ୟ ମେଡିକାଲରେ ଅବ୍ୟବସ୍ଥା ! ଶଯ୍ୟା ଅଭାବରୁ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ

0

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଦୂର ହେବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି । ଏହି ମେଡିକାଲକୁ ଜିଲ୍ଲା ସମେତ ପଡୋଶୀ ଅନୁଗୁଳ, ମୟୁରଭଞ୍ଜ ଜିଲ୍ଲା ଏବଂ ଝାଡଖଣ୍ଡରୁ ରୋଗୀ ଆସୁଛନ୍ତି । କିନ୍ତୁ ସେମାନଙ୍କ ଚିକିତ୍ସାପାଇଁ ଅବଶ୍ୟକୀୟ ଭିତ୍ତିଭୂମି ନାହିଁ । ଛଅ ମାସ ହେବ ସାଢେ ୪ କୋଟି ଟଙ୍କାରେ ମେଡିକାଲର ନୂଆ କୋଠା ନିର୍ମାଣ ସରିଛି । ହେଲେ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି ।

ରୋଗୀ ସଂଖ୍ୟା ବଢୁଥିବାରୁ କେନ୍ଦୁଝର ମେଡିକାଲରେ ଥିବା ୧୬୨ଟି ଶଯ୍ୟା ନିଅଣ୍ଟ ପଡୁଛି । ଅନ୍ୟପଟେ ଶଯ୍ୟା ନପାଇ ରୋଗୀ ବାଧ୍ୟ ହୋଇ ବାରଣ୍ଡାରେ ପଡି ରହୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାରିପାର୍ଶ୍ୱିକ ପାଣ୍ଠିରୁ ସାଢେ ୪କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା କାର୍ଯ୍ୟକ୍ଷମ ହୋଇନାହିଁ । କେନ୍ଦୁଝର ଜିଲ୍ଲାପାଳ କହିଛନ୍ତି, ବିଦ୍ୟୁତ ସଂଯୋଗୀକରଣ ହୋଇନଥିବାରୁ ନୂତନ କୋଠା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ବିଦ୍ୟୁତ ସଂଯୋଗ ପାଇଁ ନେସ୍କୋ ନିକଟରେ ୧୦ଲକ୍ଷ ଟଙ୍କା ପୈଠ କରାଯାଇଛି । ହେଲେ ନେସ୍କୋ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଜିଲ୍ଲାପାଳ କହିଛନ୍ତି । ଅପରପକ୍ଷେ ନେସ୍କୋ ଅଧିକାରୀ ତୁରନ୍ତ ନୂତନ କୋଠାରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି ।

ଶହେ ବର୍ଷ ପୂରଣ କରିଥିବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ମୃତିରେ ୧୮ଶହ ବର୍ଗଫୁଟର ଏହି କୋଠା ନିର୍ମିତ ହୋଇଛି । ତେବେ ଜିଲ୍ଲାପାଳଙ୍କ ବାରମ୍ବାର ତାଗିଦ୍ ପରେ ବିି ମେଡିକାଲ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମାସ ମାସ ଧରି ବିଦ୍ୟୁତ୍ ସଂଯୋଗୀ କରଣ ନହେବା ନେସ୍କୋର ମନମୁଖୀ କାର୍ଯ୍ୟକୁ ପ୍ରମାଣିତ କରୁଛି ।

Comments are closed.