ବଢୁଛି କେନ୍ଦୁଝର ସସପେନ୍ସ ! ବିଜେଡିର ଆଶାୟୀ ଅନେକ । ଦ୍ୱନ୍ଦରେ ବିଜେପି, ପ୍ରାର୍ଥୀ ଖୋଜୁଛି କଂଗ୍ରେସ ।

201

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ବଳ କଷାକଷି ଚାଲିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଲାଣି । ଏହାରି ମଧ୍ୟରେ କେନ୍ଦୁଝର ଲୋକସଭା ଆସନରେ ରାଜନୀତି ରୋଚକ ମୋଡ଼ ନେଲାଣି । କାରଣ ଲଗାତାର ଦୁଇଥର ଏହି ଆସନ ଅକ୍ତିଆର କରିଥିଲେ ବି ଏଥର ବିଜେଡି ପ୍ରାର୍ଥୀ ବଦଳାଇବାର ସମ୍ଭାବନା ଢ଼େର ଅଧିକ ।

୨୦୦୯ ଓ ୨୦୧୪ ନିର୍ବାଚନରେ କେନ୍ଦୁଝର ଲୋକସଭା ଆସନରୁ ବିଜେଡି ବିଜୟୀ ହୋଇଥିଲା। ୨୦୦୪ରେ ଯଶୋବନ୍ତ ନାରାୟଣ ସି˚ ଲାଗୁରୀ ବିଜୟୀ ହୋଇଥିଲେ । ସେହିଭଳି ୨୦୧୪ ରେ ଯଶୋବନ୍ତଙ୍କ ସ୍ତ୍ରୀ ଶକୁନ୍ତଳା ନାରାୟଣ ସି˚ ଲାଗୁରୀ ବିଜୟୀ ହୋଇଥିଲେ । ଜିଲ୍ଲାର ମନ୍ତ୍ରୀ ବଦ୍ରି ନାରାୟଣଙ୍କ ଖାସ୍ ସମର୍ଥକ ଭାବେ ଜଣାଶୁଣା ଏହି ଦମ୍ପତି ବିଜୟୀ ହେବା ପରେ ସାଧାରଣ ଲୋକଙ୍କ ସହ ସମନ୍ୱୟ ରଖିପାରିନାହାନ୍ତି । ଏପରିକି ଯଶୋବନ୍ତଙ୍କ ସମୟରେ ଯଦିଓ ଏଭଳି ଅଭିଯୋଗ ଥିଲା, ମାତ୍ର ତାଙ୍କ ପତ୍ନୀ ଶକୁନ୍ତଳା ବିଜୟୀ ହେବା ପରେ ଏଭଳି ଅଭିଯୋଗ ବଢ଼ିବାରେ ଲାଗିଥିଲା । ଏମିତିକି ହାତଗଣତି କିଛି ସଭାସମିତିକୁ ଛାଡ଼ିଦେଲେ ଜିଲ୍ଲାବାସୀ ସା˚ସଦଙ୍କ ମୁହଁ କଦବା କ୍ୱଚିତ୍ ଦେଖିବାକୁ ପାଇଥିଲେ । ଯାହାର ପରିଣାମ ଏବେ କେନ୍ଦୁଝର ଲୋକସଭା ଆସନରେ କନଫ୍ୟୁଜନ ହି କନଫ୍ୟୁଜନ୍ । ତେଣୁ ବିଜେଡିରୁ ଏବେ ଏକାଧିକ ଆଶାୟୀ ସା˚ସଦ ହେବାକୁ ମନ ବଳାଇଲେଣି ।

ସେପଟେ ଏହି ଲୋକସଭା ଆସନ ଡ଼ୋରୀକୁ ହାତକୁ ନେବାପାଇଁ ରେସରେ ଅଛନ୍ତି-ପାଟଣା ବିଧାୟକ ହୃଷୀକେଶ ନାଏକ, ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ରାମରାଇ ମୁନ୍ଦିଆ ଏବ˚ ଉପାଧ୍ୟକ୍ଷା ମୀନା ମାଝିଙ୍କ ସମେତ ପୂର୍ବତନ ସା˚ସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ମଧ୍ୟ ଆଶାୟୀ ଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି । ଏଥିପାଇଁ ଦଳ ଏବେ କାହାକୁ ଭରସା କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । କାରଣ ବିଜେଡି ଦଳରେ ଏହି ଦ୍ୱନ୍ଦର ଫାଇଦା ଉଭୟ ବିଜେପି ଓ କଂଗ୍ରେସ ନେବା ପାଇଁ ଗୋଟିଚାଳନା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ବିଜେଡି-ବିଜେପି ମେଣ୍ଟ ସମୟରେ ୧୯୯୯ ଓ ୨୦୦୪ରେ ଅନନ୍ତ ଚରଣ ନାୟକ ଏଠାରୁ ସା˚ସଦ ହୋଇଥିଲେ । ମେଣ୍ଟ ଭାଙ୍ଗିଯିବା ପରେ ଦୁଇଥର ଅନନ୍ତ ନାଏକ ପ୍ରାର୍ଥୀ ହୋଇଥିଲେ ବି ସେ ବିଜୟୀ ହୋଇ ପାରି ନାହାନ୍ତି । ଏଣୁ ଚଳିତ ନିର୍ବାଚନରେ ସେ ସା˚ସଦ ପ୍ରାର୍ଥୀ ନ ହୋଇ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ମନ ବଳାଉଥିବା ଆଲୋଚନା ହେଉଛି । ସେପଟେ ବିଜେପି କୌଣସି ନୂଆ ପ୍ରାର୍ଥୀ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଶାୟୀଙ୍କ ମଧ୍ୟରେ ସୁକେଶୀ ଓରାମ , ଡକ୍ଟର ଫକୀର ମୋହନ ନାଏକ, ଶ୍ରୀପତି ନାଏକଙ୍କ ନାମ ରହିଛି ।

ସେହିଭଳି ୨୦୧୪ ନିର୍ବାଚନରେ କ˚ଗ୍ରେସରୁ ମାଧବ ସର୍ଦ୍ଦାର ପ୍ରାର୍ଥୀ ହୋଇଥିଲେ ମଧ୍ୟ ହାତକୁ ସେତେ ପରିମାଣରେ ମଜଭୁତ କରିପାରିନଥିଲେ । ଯାହାଫଳରେ ମୋଟ ୧ ଲକ୍ଷ ୯୦ ହଜାର ଭୋଟ ପାଇ ପରାଜିତ ହୋଇଥିଲେ କଂଗ୍ରେସର ମାଧବ ସର୍ଦ୍ଦାର । ଇତିମଧ୍ୟରେ ମାଧବ ସର୍ଦ୍ଦାର ବିଜେଡିରେ ସାମିଲ ହୋଇଥିବାରୁ ଏବେ କ˚ଗ୍ରେସର କିଏ ଲୋକସଭା ପ୍ରାର୍ଥୀ ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ସେପଟେ କେନ୍ଦୁଝର ଲୋକସଭା ଆସନରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥକ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।