ଛାତିରୁ ଜାମୁ ଡାଳ ବାହାରିବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ କେନ୍ଦୁଝରର ବିଷ୍ଣୁ : ଗଛରୁ ପଡି ଗୁରୁତର ଅବସ୍ଥାରେ ଆସିଥିଲେ କଟକ ବଡ ମେଡିକାଲ

44

କନକ ବ୍ୟୁରୋ : ନୂଆ ଜୀବନ ପାଇ ଘରକୁ ଫେରିଛନ୍ତି କେନ୍ଦୁଝରର ବିଷ୍ଣୁ ମହାକୁଡ । ୧୮ ଦିନର ସଂଘର୍ଷ ପରେ କଟକ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ୧୩ ବର୍ଷୀୟ ବିଷ୍ଣୁ । ଜାମୁକୋଳି ଗଛରୁ ପଡିଯିବା ପରେ ତାଙ୍କ ଛାତି ଭିତରେ ପଶି ଯାଇଥିଲା ଜାମୁ ଡାଳ । ବିରଳ ଅପରେସନ୍ ଓ ଡାକ୍ତରଙ୍କ ଆକ୍ଳାନ୍ତ ଉଦ୍ୟମ ପରେ ତାଙ୍କୁ ମିଳିଛି ଦ୍ୱିତୀୟ ଜନ୍ମ । ଆଉ ଦୁଷ୍ଟ ନହୋଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

କଟକ ବଡ଼ ଡାକ୍ତରଖାନାରୁ ଡିସଚାର୍ଜ ହେଉଛନ୍ତି କେନ୍ଦୁଝରର ବିଷ୍ଣୁ ମହାକୁଡ଼ । ୧୮ ଦିନ ତଳେ ତାଙ୍କ ଜୀବନରେ ଏପରି ବିପଦ ମାଡ଼ି ଆସିଥିଲା, ଜୀବନ-ମୃତ୍ୟୁର ଦୋଛକି ପଡିଯାଇଥିଲେ ସେ । ଛାତିରେ ତୀର ଭଳି ପଶି ଯାଇଥିଲା ଜାମୁ ଡାଳ । ଡାକ୍ତରଙ୍କ ବିରଳ ଅପରେସନ ଯୋଗୁଁ ଦ୍ୱିତୀୟ ଜନ୍ମ ପାଇ ଘରକୁ ସୁସ୍ଥ ହୋଇ ଫେରୁଛନ୍ତି ୧୩ ବର୍ଷର ବିଷ୍ଣୁ ।

ବିଷ୍ଣୁଙ୍କ କାହାଣୀ ଯେତିକି ଲୋମହର୍ଷଣକାରୀ, ଚିକିତ୍ସା ବିଜ୍ଞାନର କରିସ୍ମା ସେତିକି ଆଶା ଉଦ୍ରେକକାରୀ । ଡାକ୍ତରଙ୍କ ପ୍ରଚେଷ୍ଟା ଜଣେ ଛୋଟ ପିଲାକୁ ନୂଆ ଜନ୍ମ ଦେଇଛି । ଜୁନ ୧ ଅପରାହ୍ନ ସମୟରେ ଏପରି ଘଟଣା ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କ ଦେହ ଥରାଇ ଦେଇଥିଲା । ତୀର ମାରିଲା ଭଳି ଛାତିରେ ପଶି ରହିଥାଏ ଗଛର ଡାଳ, ଆଉ ଛଟପଟ ହେଉଥାଏ ୧୩ ବର୍ଷୀୟ ବିଷ୍ଣୁ ମହାକୁଡ଼ । ଗଛରେ ଚଢ଼ି ଜାମୁକୋଳି ତୋଳିବା ବେଳେ ଅଚାନକ୍ ତଳେ ପଡ଼ିଯିବାରୁ ପଶି ଯାଇଥାଏ ଜାମୁ ଡାଳ । ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି କୁନି ପିଲାକୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଆଉ ସେଠୁ ସିଧା କଟକ ବଡ ମେଡ଼ିକାଲ । ପିଲାଟିର ଅବସ୍ଥା ଦେଖି, ତୁରନ୍ତ ଅପରେସନ୍ ପାଇଁ ପ୍ରସ୍ତୁତ ହୋଇଗଲା ଏସସିବିର ଡାକ୍ତରୀ ଟିମ୍ ।

ବେକ, ଛାତି, ହୃଦୟ ଏବଂ ଶ୍ୱାସନଳି, ଭଳି ଅତି ସମ୍ବେଦନଶୀଳ ଅଙ୍ଗକୁ ସୁରକ୍ଷା ଦେଇ ଏହି ଅପରେସନ୍ କରିବା ଏତେ ସହଜ ନଥିଲା । ଛାତିରୁ ବେକ ଯାଏଁ ଗଳି ଯାଇଥିବା ଏହି ଡାଳକୁ ବାହାର କରିବା ଯେତିକି ବଡ ଚ୍ୟାଲେଂଜ୍ ଥାଏ, ସଫଳତାର ସହ ଅପରେସନ୍ କରିବା ଡାକ୍ତରଙ୍କ ପାଇଁ ସେତିକି ବଡ ଆହ୍ୱନ୍ ଥାଏ । ଦୀର୍ଘ ୪ ଘଂଟାର ଆପ୍ରାଣ ଉଦ୍ୟମ ପରେ ସଫଳ ହୋଇଥିଲା ଅପରେସନ୍ । ସଫଳ ଅପରେସନ ଓ ୧୮ ଦିନ ଡାକ୍ତରଙ୍କ ତତ୍ୱାବଧାନରେ ରହିବା ପରେ ପୂରା ସୁସ୍ଥ ହୋଇଛନ୍ତି ବିଷ୍ଣୁ ମହାକୁଡ । ନୂଆ ଜୀବନ ପାଇ ଡାକ୍ତରଙ୍କୁ ବିଷ୍ଣୁ ଧନ୍ୟବାଦ ଦେଇଥିବା ବେଳେ ଆଉ ଦୁଷ୍ଟ ନ ହୋଇ ଦେହର ଯତ୍ନ ନେବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ।