ଜବରଦଖଲରେ ଶ୍ରୀବଳଦେବଜିଉଙ୍କ ଜମି, ପୂଜା ପାଇବା ପାଇଁ ଭକ୍ତଙ୍କ ଦାନ ଅର୍ଥକୁ ଭରସା କରିଛନ୍ତି ତୁଳସୀ କ୍ଷେତ୍ରର ମାଲିକ !

42

କନକ ବ୍ୟୁରୋ : କେନ୍ଦ୍ରାପଡାର ପରିଚୟ ମହାପ୍ରଭୁ ବଳଦେବଜିଉଙ୍କ ପାଇଁ । ଠାକୁରଙ୍କର ରହିଛି କୋଟି କୋଟି ଟଙ୍କାର ସମ୍ପତି । କିନ୍ତୁ ଏବେ ଠାକୁରଙ୍କ ନୀତି ଚାଲିଛି ଦାନ ଅର୍ଥରେ । ଏକଥା ବିଶ୍ୱାସ ହେଉନଥିଲେ ବି ସଂପୂର୍ଣ୍ଣ ସତ । ଅଭିଯୋଗ ହୋଇଛି ବଳଦେବ ଜୀଉଙ୍କ ଜମି ଜବରଦଖଲରେ ଥିବାରୁ ଠାକୁରଙ୍କ ନୀତି ଦାନ ଅର୍ଥରେ ଚାଲିଛି ।

ଦାନ ଅପେକ୍ଷାରେ ତୁଳସୀ କ୍ଷେତ୍ରର ମାଲିକ । ଦାନ ଦକ୍ଷିଣାରେ ଚାଲିଛି କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜିଉଙ୍କ ନୀତି । ଅଭିଯୋଗ ଅନୁସାରେ, ଠାକୁରଙ୍କ ଜମି ଜବରଦଖଲରେ ଥିବା ବେଳେ ନୀତି କରାଯାଉଛି ଦାନ ଅର୍ଥରେ । ବଳଦେବ ଜୀଉଙ୍କର ମୋଟ ୭ଶହ ୨୦ ଏକର ସମ୍ପତି ରହିଛି । ସେଥିରୁ ୨ ଏକର ଠାକୁରଙ୍କ ବିଜେସ୍ଥଳି, ୧୦ ଏକର ରଥଦାଣ୍ଡ ଓ ୭ ଏକର ପୋଖିରୀକୁ ଛାଡିଦେଲେ ବାକି ସବୁ ଚାଷ ଜମି । ଏସବୁ ଜମି ଗୁଡିକ କଟକ ଓ କେନ୍ଦ୍ରପଡାର ବିଭିନ୍ନ ସ୍ଥାନରେ ଥିବା ବେଳେ ୨୩୨ ଏକର ଜମି ଜବରଦଖଲରେ ରହିଛି । ସେଥିରୁ କୌଣସି ଆୟ ଆସୁନଥିବା କହିଛନ୍ତି ପୂର୍ବତନ ଟ୍ରଷ୍ଟି । ସେହିପରି ପ୍ରାୟ ୫୦ ଏକର ଜମିକୁ କେହି ନକଲି କାଗଜ ପତ୍ର କରି ବିକ୍ରି କରି ଦେବାରୁ ସେଥିପାଇଁ କୋର୍ଟରେ ମାମଲା ଚାଲିଛି ।

ବଳଦେବ ଜୀଉଙ୍କ ନୀତି ଓ ପାଶ୍ୱର୍ଦେବାଦେବୀଙ୍କ ନିତି ବାବଦକୁ ଦିନକୁ ପ୍ରାୟ ୭ ହଜାର ଟଙ୍କା ଖର୍ଚ ହୋଇଥାଏ । ଏବି ହିସାବରେ ବାର୍ଷିକ ୨୪ ଲକ୍ଷ, ୭୩ ହଜାର ଟଙ୍କା ଖର୍ଚ ହୁଏ । ୭ ଶହ ଏକର ଜମିର ମାଲିକଙ୍କ ଏତିକି ଖର୍ଚ ପାଇଁ ସଭ୍ୟ ସଂଗ୍ରହ କରୁଛି ମନ୍ଦିର ପ୍ରଶାସନ । ୪୦ ହଜାର ଟଙ୍କାରେ ଜଣେ ବ୍ୟକ୍ତି ବାର୍ଷିକ ସଦସ୍ୟ ହେଲେ ସେହି ଟଙ୍କାର ସୁଧରେ ଠାକୁରଙ୍କ ନୀତି କରାଯିବ ବୋଲି ସ୍ଥିର କରାଯାଇଛି । ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି । ରାଜସ୍ୱ ବିଭାଗର ଅପାରଗତା ଯୋଗୁ ଠାକୁରଙ୍କ ଜମି ଜବର ଦଖଲରେ ଥିବା ବେଳେ ନିତିପାଇଁ ଚାଉଳ ମଧ୍ୟ କିଣାଯାଉଛି । ରାଜସ୍ୱ ବିଭାଗର ଅଣଦେଖା ଯୋଗୁଁ ବଳଦେବ ଜୀଉଙ୍କ ଜମିଗୁଡିକ ଏକ ପ୍ରକାର ସରିଗଲାଣି । କିନ୍ତୁ ଏଥିପ୍ରତି କାହାର ଧ୍ୟାନ ନାହିଁ ।