ଗଛକୁ ହୃଦୟ ଦେଇ ଭଲ ପାଉଥିବା ବ୍ୟକ୍ତି ସେକ ଚାନ : ଲଗାଇଛନ୍ତି ୨୦ ହଜାରରୁ ଅଧିକ ଗଛ

61

କନକ ବ୍ୟୁରୋ : ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଗଛ ଲଗାଇବା ପାଇଁ ଯେପରି କାହା ପାଖରେ ସମୟ ହିଁ ନାହିଁ । ନିଜ କାମରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । ଦୁନିଆରେ କଣ ହେଉଛି କଣ ହେଉନାହିଁ ତାହା ବୁଝିବା ଲାଗି କାହାରି ପାଖରେ ସମୟ ହିଁ ନାହିଁ । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯେ, ଗଛକୁ ନିଜର ସାଥୀ ଭାବରେ ଗ୍ରହଣ କରି ବାଟ ଚାଲୁଛନ୍ତି । ରୋଜଗାର ସେତେଟା ନଥିଲେ ବି ଗଛ କିଣିକି ଲଗାଇବା ତାଙ୍କର କର୍ତ୍ତବ୍ୟ ମାନି ନେଇଛନ୍ତି । କେବଳ ଗଛ ଲଗାନ୍ତି ନାହିଁ ବରଂ ତାହାର ରକ୍ଷଣାବେକ୍ଷଣ ମଧ୍ୟ କରନ୍ତି । ଏମିତି ଜଣେ ନିଆରା ମଣିଷ ହେଲେ କେନ୍ଦ୍ରାପଡା ଜିଲ୍ଲାର ସେକ ଚାନଙ୍କ କଥା ।

ସେକ ନିଜର ଏକ ଛୋଟ ବ୍ୟବସାୟ କରନ୍ତି । ବ୍ୟବସାୟ କହିଲେ ବାଟରେ ବୁଲିବୁଲି ପିଲାମାନଙ୍କ ଖେଳନା, ଟୋପି ଓ ଚଷମା ବିକ୍ରି କରନ୍ତି । ସେହି ବେପାରରୁ ଯେତିକି ଲାଭ ହୁଏ ସେଥିରେ ଖାଇ ପି ବଞ୍ଚିବା କଥା । ତାଙ୍କ ପାଖକୁ ଆସୁଥିବା ଲୋକମାନଙ୍କୁ ଗୋଟିଏ ଗଛ ଲଗାଇବା ଲାଗି ଅନୁରୋଧ କରିବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଗୋଟିଏ ଗୋଟିଏ ଗଛ ମଧ୍ୟ ଦିଅନ୍ତି ।

ଏପରି ଆଚରଣ ଦେଖି ଲୋକମାନେ ସେକଙ୍କୁ ପାଗଳ କହି ଥାଆନ୍ତି । କିନ୍ତୁ ଏବେ ସେଠାକାର ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ପ୍ରଶଂସା କରିବାରେ ପଛାଉନାହାନ୍ତି । ବର୍ତ୍ତମାନ ସମୟରେ ସେକ ୨୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି । କେବଳ ଏତିକି ନୁହେଁ ସାରା ଜିଲ୍ଲାରେ ଗଛ ମଣିଷ ଭାବରେ ପରିଚିତ ମଧ୍ୟ ହୋଇଛନ୍ତି । ଆଜିର ଦିନରେ ଯେପରି ଭାବରେ ସାରା ବିଶ୍ୱ ବିଷବଳୟ ଭିତରେ ରହିଛି କେବଳ ସେକଙ୍କ ଭଳି ସମସ୍ତେ ମିଶି ଗଛ ଲଗାଇଲେ ଏଥିରୁ ମୁକ୍ତି ମିଳିପାରିବ । ନଚେତ ଆଗାମୀ ଦିନରେ ତାପମାତ୍ରା ଯେପରି ଭାବରେ ସନ୍ତୁଳନ ହରାଉଛି ପୃଥିବୀ କେଉଁ ପରିସ୍ଥିିରେ କି ରୂପ ଧାରଣ କରିବ ତାହାର ଉତ୍ତର କାହା ପାଖରେ ନାହିଁ ।