କେନ୍ଦ୍ରାପଡ଼ା ଶବରପଡ଼ାରେ ନଗଡ଼ାର ଚିତ୍ର : ଭାତ ତୋରାଣିରେ ପୁରୁଛି କୁନି ପିଲାଙ୍କ ପେଟ

60

କେନ୍ଦ୍ରାପଡ଼ା : ନଗଡ଼ା ନଅଙ୍କର ଚିତ୍ର ବ୍ୟାପିଛି ରାଜ୍ୟର କୋଣ ଅନୁକୋଣରେ । ଯାଜପୁରରୁ କେନ୍ଦ୍ରପଡ଼ା, ମାଲକାନଗିରିରୁ ନୂଆପଡ଼ା ସବୁଠି ଏକା ଚିତ୍ର। ଖାଦ୍ୟ ମୁଠିଏ ପାଇଁ ହାହାକାର । ସବୁଠି ଅପପୃଷ୍ଟିର ଶିକାର ହେଉଛନ୍ତି ଶିଶୁ । ନଗଡ଼ା ଶିଶୁ ମଡ଼କ ପରେ ସାରା ରାଜ୍ୟର ସ୍ଥିତି ପରଖିଛି କନକ ନ୍ୟୁଜ । କେନ୍ଦ୍ରପଡ଼ା ଶବରପଡ଼ାର ଯେଉଁ ଚିତ୍ର ଦେଖିବାକୁ ମିଳିଛି, ତାହା ଦେଖିଲେ ଯେକୌଣସି ଲୋକର ହୃଦୟ ବିଚଳିତ ହୋଇ ପଡିବ । ମହାକାଳପଡା ବ୍ଲକ ଅର୍ନ୍ତଗତ ଲୁଣିମାଠିଆ ଶବରପଡା ଗ୍ରାମର ଚିତ୍ର ଅତ୍ୟନ୍ତ ହୃଦୟ ବିଦାରକ । କିଛି ଦିନ ତଳେ ଗାଁର ଜଣେ ଅଢେଇ ବର୍ଷର ଶିଶୁ ପୁତ୍ରର ପୃଷ୍ଟିହୀନତାରେ ଶିକାର ହୋଇ ଅକାଳ ମୃତ୍ୟୁ ଘଟିଛି । ସେମାନଙ୍କ ପାଖରେ ପହଁଚିନି ସରକାରୀ ଯୋଜନା, ବିକାଶ ଏମାନଙ୍କ ପାଇଁ ସାତ ସପନ । ଖାଇବା କହିଲେ ଖାଲି ଭାତ ଓ ତୋରାଣି । ଗାଁକୁ ଯିବାଆସିବା ପାଇଁ ନା ଅଛି ରାସ୍ତା, ନା ଅଛି ଛୋଟ ଛୋଟ ପିଲାମାନେ ପାଠ ପଢିବାପାଇଁ ସ୍କୁଲ । ନିରକ୍ଷରତା ଓ ସଚେତନତା ଅଭାବରୁ ଗ୍ରାମବାସୀ ମାନେ ହେଉଛନ୍ତି ଆଉଟପାଉଟୁ ।

ଶବରପଡାରେ ରୁହନ୍ତି ୮୫ ଶବର ପରିବାର । ଲୋକସଂଖ୍ୟା ୫୦୦ରୁ ଅଧିକ । ଜୀବିକା କହିଲେ କେବଳ ମାଛ ଧରା । ରାତି ପାହିଲେ ଏମାନେ ବାହାରିଯାନ୍ତି ମାଛଧରିବା ପାଇଁ । ଯାହା ମାଛ ଧରନ୍ତି ବିକ୍ରିକରି ପରିବାରର ସଦସ୍ୟଙ୍କ ମୁହଁରେ ମୁଠାଏ ଦାନା ଦିଅନ୍ତି । ଓଳିଏ ଖାଇଲେ ଓଳିଏ ଉପାସ । ଲୋକଙ୍କ ପାଖରେ ଅନ୍ୟ କିଛି ରୋଜଗାରର ବାଟ ନାହିଁ । ଗାଁରେ ଅଙ୍ଗନବାଡି ସେଂଟର ଅଛି, ତାହା ନଥିଲା ଭଳି । ପୁଷ୍ଟିକର ଖାଦ୍ୟ ସେମାନଙ୍କ ପାଇଁ ସାତସପନ । ଛୁଆମାନଙ୍କୁ ଦେଖିଲେ, ଲାଗିବ ସତେଯେପରି ସେମାନେ ଖାଦ୍ୟ ମୁଠିଏ ପାଇଁ ବିକଳରେ ଚାହିଁ ବସିଛନ୍ତି ଅପପୃଷ୍ଟିରେ ଶିଶୁମୃତ୍ୟୁ ପରେ ଏବେ ପ୍ରଶାସନର ଚେତା ପଶିଛି ।